ମହାନଦୀର ଗଭୀର ଜଳରେ ଦୁଃସାହସିକ ଜଳକ୍ରୀଡା; କ୍ରୀଡାମନ୍ତ୍ରୀ କହିଲେ ଅଲମ୍ପିକରେ ଆମ ପିଲା ଭଲ ପ୍ରଦର୍ଶନ କରିବେ
5ଟି ଜିଲ୍ଲାର 150 ଛାତ୍ରଛାତ୍ରୀଙ୍କୁ ଦୁଃସାହାସିକ ଜଳକ୍ରୀଡ଼ା ପ୍ରଶିକ୍ଷଣ ଦିଆଯାଇଛି ।


Published : February 22, 2026 at 6:36 PM IST
କଟକ: ମହାନଦୀର ଗଭୀର ଜଳରାଶିରେ ରାଜ୍ୟର 5 ଜିଲ୍ଲାର 150 ଏନଏସଏସ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ଦୁଃସାହସିକ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର । ଉଚ୍ଚଶିକ୍ଷା ତଥା କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ଅତ୍ୟାଧୁନିକ ୱାଟର୍ ସ୍କୁଟରରେ ମହାନଦୀ ଜଳ ଭିତରକୁ ଯାଇ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ 6 ଦିନ ଧରି 12ଟି ଇଭେଣ୍ଟରେ ଦୁଃସାହସିକ ଜଳକ୍ରୀଡାର ବିଭିନ୍ନ କୌଶଳ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ପିଲାମାନେ ଦିନରାତି ମହାନଦୀ ଭିତରେ ଥିବା ପଠାରେ ରହି ଏହି ଜଳକ୍ରୀଡାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବେ ।
କଟକ ତୁଳସୀପୁର ଡିୟର ପାର୍କ ନିକଟରେ ମହାନଦୀର ଗଭୀର ଜଳରାଶିରେ ଆରମ୍ଭ ହୋଇଥିବା ଜଳକ୍ରୀଡାରେ ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ 6 ଦିନ ଧରି ଏହି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ଫଳରେ ସେମାନେ ସାହସୀ ହେବା ସହ ଆଗକୁ ଜଳକ୍ରୀଡାରେ ସୁନାମ ଆଣିବେ । ଏନେଇ କ୍ରୀଡା ମନ୍ତ୍ରୀ କହିଛନ୍ତି ଜଳକ୍ରୀଡ଼ା କରିବା ଓଡିଶାର ପ୍ରତ୍ୟକଟି ଓଡ଼ିଆଙ୍କ ଜିନରେ ରହିଛି । ଆମ ଓଡିଶାର କ୍ରୀଡାବିତ ମାନେ ଅଲମ୍ପିକରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।
ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଦୁଃସାହସିକ ଜଳକ୍ରୀଡ଼ା ଶିବିରର ଶୁଭାରମ୍ଭ ହୋଇଛି । ମହାନଦୀ ତଟର ସୂର୍ଯ୍ୟ ଦ୍ବୀପରେ ଏହି ରୋମାଞ୍ଚକ କ୍ରୀଡ଼ାରେ ୧୦ଟି ଭିନ୍ନ ବର୍ଗରେ ୧୫୦ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ଅନୁଭବୀ ପ୍ରଶିକ୍ଷକ ତଥା ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆମ ଯୁବ ପ୍ରତିଭାମାନେ ଅନୁଶାସନ, ଆତ୍ମବିଶ୍ୱାସ ଓ… pic.twitter.com/4QHyS03ne3
— Suryabanshi Suraj (@suryabanshibjp) February 22, 2026
ସୋସିଆଲ ମିଡିଆ ଏକ୍ସରେ କ୍ରୀଡାମନ୍ତ୍ରୀ ଲେଖିଛନ୍ତି, "ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଦୁଃସାହସିକ ଜଳକ୍ରୀଡ଼ା ଶିବିରର ଶୁଭାରମ୍ଭ ହୋଇଛି । ମହାନଦୀ ତଟର ସୂର୍ଯ୍ୟ ଦ୍ବୀପରେ ଏହି ରୋମାଞ୍ଚକ କ୍ରୀଡ଼ାରେ ୧୦ଟି ଭିନ୍ନ ବର୍ଗରେ ୧୫୦ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ଅନୁଭବୀ ପ୍ରଶିକ୍ଷକ ତଥା ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆମ ଯୁବ ପ୍ରତିଭାମାନେ ଅନୁଶାସନ, ଆତ୍ମବିଶ୍ୱାସ ଓ ସାହସ ସହିତ ଏହି ଜଳକ୍ରୀଡ଼ାର ଅଭ୍ୟାସ ଓ ପ୍ରଶିକ୍ଷଣ ଲାଭ କରିବେ । ଏଥିରେ ଭାଗ ନେଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଆନ୍ତରିକ ଶୁଭେଚ୍ଛା ।"
ଏହା ବି ପଢନ୍ତୁ- ବାଲିଯାତ୍ରାରେ ଦୁଃସାହାସିକ ଜଳକ୍ରୀଡାର ମଜା ନେଲେ ଦର୍ଶକ, ମନ ଜିଣିଲା ଫ୍ଲାଏ ବୋଟ୍ ସୋ
ଇଟିଭି ଭାରତ, କଟକ

