ETV Bharat / state

କୋଟିଆ ପରେ ଗଙ୍ଗାବାଡ଼: ଓଡ଼ିଶା ଗାଁରେ ଆନ୍ଧ୍ରର ଭୋଟର କାର୍ଡ, ଜିଲ୍ଲା ପରିଷଦ ନିର୍ବାଚନରେ ଭୋଟ ଦେବେ 103 ପରିବାର

ଆନ୍ଧ୍ରର ଭୋଟର ସାଜିଥିବା ଓଡିଶା ଲୋକଙ୍କୁ ନିଜ ପକ୍ଷକୁ ନେବା ପାଇଁ ଉଦ୍ୟମ ଚଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ରିପୋର୍ଟ ହରିହର ପଟ୍ଟନାୟକ

103 Odisha Families to Vote in Andhra Zilla Parishad Election
ଓଡ଼ିଶା ଗାଁରେ ଆନ୍ଧ୍ରର ଭୋଟର କାର୍ଡ (ETV Bharat Odisha)
author img

By ETV Bharat Odisha Team

Published : November 5, 2026 at 8:13 AM IST

2 Min Read
Choose ETV Bharat

ପାରଳାଖେମୁଣ୍ଡି: କୋରାପୁଟର କୋଟିଆ ପରେ ଏବେ ଗଜପତିର ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଓ ଓଡିଶା ସୀମା ବିବାଦ ଦେଖାଦେଇଛି । କିଛି ଅଞ୍ଚଳକୁ ନିଜର ଦାବି କରିବା ସହ ସେଠାକାର ଅଧିବାସୀଙ୍କୁ ପ୍ରଲୋଭିତ କରି ନିଜର ଭୋଟର ବନାଇଛି ଆନ୍ଧ୍ର । ଆଜି ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ । ଆନ୍ଧ୍ରର ଭୋଟର ସାଜିଥିବା ଓଡିଶାର ଲୋକଙ୍କୁ ନିଜ ପକ୍ଷକୁ ନେବା ପାଇଁ ଉଦ୍ୟମ ଚଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଯାହାକୁ ନେଇ କିଛି ଲୋକ ଉତ୍ସାହିତ ଥିବା ବେଳେ ଆଉ କିଛି ସଚେତକନ ନାଗରିକ ଏହାକୁ ନାପସନ୍ଦ କରିଛନ୍ତି ।

ଓଡ଼ିଶା ଗାଁରେ ଆନ୍ଧ୍ରର ଭୋଟର କାର୍ଡ, ଜିଲ୍ଲା ପରିଷଦ ନିର୍ବାଚନରେ ଭୋଟ ଦେବେ 103 ପରିବାର (ETV Bharat Odisha)

ଆନ୍ଧ୍ର ସୀମାରେ ରହିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ । ଏହି ପଞ୍ଚାୟତର ମାଣିକପାଟଣା, ଗୁଡିଖୁଡି, ମାଧିଆଖୋଲ, ବୁରୁସିଂ, ଆଖଡା, ଅମାରିଂ ଆଦି 6ଟି ଗାଁ ରେ କିଛି ଲୋକଙ୍କୁ ଆନ୍ଧ୍ର ନିଜର ଭୋଟର୍ କାର୍ଡ ଦେଇଛି। ମାଣିକପାଟଣା,ମାଧିଆଖୋଲ,ଆଖଡା ଆଦି 3ଟି ଗାଁ ଆନ୍ଧ୍ରର ମନ୍ଦସା ମଣ୍ଡଳର ସାବାକୋଟା ପଞ୍ଚାୟତର ବୋଲି ଦର୍ଶାଯାଇଥିବା ବେଳେ ବୁରୁସିଂ ଓ ଅମାରିଂ ଚିପି ପଞ୍ଚାୟତ ଓ ଗୁଡିଖୁଡିକୁ ବୁରାସିଂ ପଞ୍ଚାୟତର ବୋଲି କୁହାଯାଉଛି ।

ଭତ୍ତା ଲୋଭରେ ଆନ୍ଧ୍ର ଭୋଟର ସାଜିଲେ ଓଡ଼ିଆ

ଏଠାକାର ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜର ଭୋଟର ମଧ୍ୟ କରିସାରିଛି ଆନ୍ଧ୍ର। ସେମାନେ ଆନ୍ଧ୍ରରୁ ବିଭିନ୍ନ ଯୋଜନାରେ ଓଡ଼ିଶା ଠାରୁ ଅଧିକ ଲାଭବାନ ହେଉଛନ୍ତି । ଏଣୁ ଆନ୍ଧ୍ରକୁ ଯାଇ ସେଠାରେ ଭୋଟ ଦେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି।

ଆନ୍ଧ୍ର ଭୋଟର ସାଜିଥିବା ଦୟା ଶବର କୁହନ୍ତି ‘‘ଆନ୍ଧ୍ରରେ ଆମକୁ ଅଧିକ ଟଙ୍କା ଭତ୍ତା ମିଳୁଛି । ଅନ୍ୟ ସରକାରୀ ସୁବିଧା ମଧ୍ୟ ମିଳୁଛି । ଆମେ ଆନ୍ଧ୍ରର ଭୋଟର ହେବା ସହ ସେଠାକାର ପ୍ରାର୍ଥୀଙ୍କୁ ଭୋଟ ଦେବୁ ’’।

ସେପଟେ ଏହାକୁ କିନ୍ତୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳର ସ୍ବାଭିମାନୀ ଲୋକେ । ସେମାନଙ୍କ କହିବା କଥା ଗୋଟିଏ ରାଜ୍ୟରେ ଥାଇ ଅନ୍ୟ ରାଜ୍ୟର ଭୋଟର ଭାବେ ଭୋଟ ଦେବା ବେଆଇନ ବୋଲି ଯେତେ ବୁଝାଇଲେ ମଧ୍ୟ ସେମାନେ ଶୁଣୁନାହାନ୍ତି ।

ସ୍ବାଭିମାନୀ ଓଡିଆ କନ୍ତାରୁ ଶବର କୁହନ୍ତି ‘‘ସୀମାନ୍ତରେ ଏଭଳି ବିବାଦ ସୃଷ୍ଟି କରିବା ପାଇଁ ଆନ୍ଧ୍ର ସରକାର ଯେତିକି ଦାୟୀ, ଏହାକୁ ସହଯୋଗ କରୁଥିବା ଓଡିଶାର ଲୋକେ ମଧ୍ୟ ସେତିକି ପରିମାଣରେ ଦାୟୀ । ଯଦି ଆନ୍ଧ୍ର ସବୁ ଦେଉଛି ତାହାଲେ ସେମାନେ ଆନ୍ଧ୍ର ଚାଲିଯାଆନ୍ତୁ ଏବଂ ଓଡିଶାର କୌଣସି ସୁବିଧା ନ ନିଅନ୍ତୁ । ଉଭୟ ପଟରୁ ସୁବିଧା ପାଇଁ ଏଭଳି ବେଇମାନୀ କାମ କରିବା ଠିକ ନୁହେଁ’’

ଗଜପତିର ଗଙ୍ଗାବାଡରେ ଆନ୍ଧ୍ର ଛାପ

ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀ କହିଛନ୍ତି ‘‘ଆଜି ଯେଉଁ ନିର୍ବାଚନ ହେଉଛି 6 ଖଣ୍ଡ ଗାଁର 103 ପରିବାର ଆନ୍ଧ୍ରରେ ଭୋଟ ଦେବେ । ଓଡିଶାରେ ବାର୍ଦ୍ଧକ୍ୟ ଭତ୍ତା ଏକ ହଜାର ଟଙ୍କା ଦିଆଯାଉଥିବାବେଳେ ଆନ୍ଧ୍ରରେ 4 ହଜାର ଟଙ୍କା ମିଳୁଛି । ସେହିପରି ଆମ୍ମା ବଡି ଯୋଜନାରେ ଆନ୍ଧ୍ର ସ୍କୁଲରେ ପିଲା ପାଠ ପଢିଲେ ବର୍ଷକୁ 15 ହଜାର ଟଙ୍କା ସହ ମାଗଣା ବହିପତ୍ର ମିଳୁଛି । ଓଡିଶାରେ ପଞ୍ଚାୟତକୁ ଯାଇ ରାସନ ସାମଗ୍ରୀ ଆଣିବାକୁ ପଡୁଥିଲେ ଆନ୍ଧ୍ର ଘରେ ଆଣି ରାସନ ସାମଗ୍ରୀ ପହଞ୍ଚାଉଛି ’’।

ଦୀର୍ଘ ଦିନ ହେଲା ଏଭଲି ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବା ଚିନ୍ତାର ବିଷୟ । ଏନେଇ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ‘‘ଗତଥର ମଧ୍ୟ ସେଠାରେ ସମାନ ସ୍ଥିତି ଉପୁଜିଥିଲା । SIR ରେ ମଧ୍ୟ ଚଳିତ ଥର ସେମାନଙ୍କ ନାଁ ମୋହନା ନିର୍ବାଚନ ମଣ୍ଡଳୀରେ ସାମିଲ କରାଯାଇଛି । ସେମାନେ ମଧ୍ୟ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି । ଆଜି ଆନ୍ଧ୍ର ନିର୍ବାଚନରେ ସେମାନେ ଭୋଟ ଇପାରିବେ ନାହିଁ । କାରଣ ଜଣେ ଭୋଟର ଦୁଇଟି ସ୍ଥାନରେ ନାଁ ପଞ୍ଜୀକରଣ କରିବାର କୌଣସି ବ୍ୟବସ୍ଥା ନାହିଁ । ଯଦି ସେମାନେ ଏପରି କରନ୍ତି ତେବେ ପୋଲିସ ବ୍ୟାରିକେଡିଂ କରାଯିବା ସହ ଏସବୁ ସୀମାନ୍ତ ଗାଁରେ ପୋଲିସ ମୁତୟନ କରାଯିବ ’’।

ସୀମା ବିବାଦର ସ୍ଥାୟୀ ସମାଧାନ ହେଉ ନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି । ହେଲେ ସ୍ଥାୟୀ ସମାଧାନ ଦିଗରେ ସରକାର କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ କୋଟିଆ ପରେ ଧୁଳିପୁଟରେ ଓଡିଶା-ଆନ୍ଧ୍ର ଛକାପଞ୍ଝା; ସୀମାନ୍ତ ଗାଁରେ ଡେରା ପକାଇଛି ମାଲକାନଗିରି ପ୍ରଶାସନ, ଭୋଟ ପାଇଁ ଉସୁକାଉଛି ପଡୋଶୀ

ଏହା ମଧ୍ୟ ପଢନ୍ତୁ କୋଟିଆ ନେରିଡ଼ିବାଲସାରେ ଉତ୍ତେଜନା; ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ

ଇଟିଭି ଭାରତ, ଗଜପତି