ପୁରୀ ବେଳାଭୂମିରେ ବୁଡ଼ି ଉତ୍ତରପ୍ରଦେଶ ପର୍ଯ୍ୟଟକଙ୍କ ମୃତ୍ୟୁ, ବିହାର ଯୁବକ ଗୁରୁତର
ପୁରୀ ବେଳାଭୂମିରେ ଥିବା ଲାଇଟହାଉସ୍ ନିକଟରେ ସମୁଦ୍ରରେ ଗାଧୋଇବା ବେଳେ ପାଞ୍ଚ ଜଣ ପର୍ଯ୍ୟଟକ ଭାସିଯିବାରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ରିପୋର୍ଟ: ଶକ୍ତିପ୍ରସାଦ ମିଶ୍ର

Published : September 2, 2026 at 7:16 AM IST
Drowned To Death ପୁରୀ: ପୁରୀ ବେଳାଭୂମିରେ ପୁଣି ବଡ ଅଘଟଣ । ଲାଇଟ୍ ହାଉସ୍ ନିକଟ ସମୁଦ୍ରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ରାଣୀପୁରର ସୁମିତ୍ ଗୁପ୍ତା । ଗୁରୁତର ହୋଇ ଭୁବନେଶ୍ୱର ସ୍ଥାନାନ୍ତର ହୋଇଠିବା ଯୁବକ ହେଉଛନ୍ତି ବିହାରର ଅନିଶ ସିଂହ ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, "ମୃତକଙ୍କ ନାମ ଉତ୍ତରପ୍ରଦେଶର ରାଣୀପୁରର ସୁମିତ କୁମାର ଗୁପ୍ତା (୨୨) ଏବଂ ଆହତ ପର୍ଯ୍ୟଟକଙ୍କ ନାମ ବିହାରର ସୁସ୍ତା ଅଞ୍ଚଳର ଅନିଶ ସିଂହ (୨୫) ।"

ଗାଧୋଉଥିବା ବେଳେ ବୁଡ଼ିଗଲେ:
ଗତକାଲି ଅପରାହ୍ନରେ ଲାଇଟ୍ ହାଉସ୍ ସମୁଦ୍ର ନିକଟରେ ଗାଧୋଉଥିବା ବେଳେ ୫ ଜଣ ବୁଡ଼ି ଯାଇଥିଲେ । ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ସେଠାରେ ସୁମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୀଶ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଛନ୍ତି ।
ବେଳାଭୂମିରେ ଅଧିକ ଲାଇଫଗାର୍ଡ ନିଯୁକ୍ତ ଦାବି:
ତେବେ ପୁରୀରେ ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଛି । ବେଳାଭୂମିରେ ଆବଶ୍ୟକ ଅନୁସାରେ ଲାଇଫଗାର୍ଡ ନଥିବା ଅଭିଯୋଗ ହୋଇଛି । ଫଳରେ ସଙ୍ଗେ ସଙ୍ଗେ ସମୁଦ୍ର ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି । ସମୁଦ୍ର ଭିତରୁ ଉଦ୍ଧାର କରାଯାଉଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବେଳାଭୂମିରେ କୌଣସି ବ୍ୟବସ୍ଥା ନାହିଁ । ସେହିପରି ଗୁରୁତର ଲୋକଙ୍କୁ ମେଡିକାଲ ନେବା ପାଇଁ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ । ସଠିକ୍ ସମୟରେ ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲ ନିଆଯାଇ ପାରୁନଥିବା ହେତୁ ଲୋକଙ୍କ ଜୀବନ ଚାଲିଯାଉଛି ।
ଲୋକଙ୍କୁ ସଚେତନ କରିବା ପାଇଁ ବେଳାଭୂମିରେ ସୂଚନା ଫଳକ ନାହିଁ । ଫଳରେ ଅନେକ ପର୍ଯ୍ୟଟକ ସମୁଦ୍ର ସ୍ନାନ ବେଳେ ସଚେତନତା ଅଭାବରୁ ଅଧିକ ପାଣି ଭିତରକୁ ଯାଉଥିବାରୁ କରେଣ୍ଟ ହାବୁଡ଼ରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି । ପୁରୀକୁ ଏକ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିରେ ସ୍ୱତନ୍ତ୍ର ବ୍ୟବସ୍ଥାର ହେବାର ଆବଶ୍ୟକତା ରହିଥିବା ପର୍ଯ୍ୟଟମାନେ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଶ୍ୱେତଗଙ୍ଗାରେ ଗାଧୋଇବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ, ତୀର୍ଥ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନକୁ ନେଇ ଉଠିଲା ପ୍ରଶ୍ନ 'ବ୍ଲୁ ଲେକ'ରୁ ଉଦ୍ଧାର ହେଲା ଦୁଇ ଛାତ୍ରଙ୍କ ମୃତଦେହ, ଗତକାଲି ହୋଇଥିଲେ ନିଖୋଜ |
ଇଟିଭି ଭାରତ, ପୁରୀ

