ETV Bharat / sports

T20 World Cup: ଭାରତରେ ଅଟକିଛି ଏହି ଦୁଇ ଦେଶର ଟିମ୍; ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଫେରିବାରେ ଅନିଶ୍ଚିତତା

ଟି-୨୦ ବିଶ୍ୱକପ୍‌-୨୦୨୬ ଅଭିଯାନ ଶେଷ କରି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ବର୍ତ୍ତମାନ ଏକ ବଡ଼ ସମସ୍ୟାରେ ପଡ଼ିଛି।

Zimbabwe cricket team
ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଭାରତରେ ଅଟକିଲା ଏହି ଦେଶର ଟିମ୍ (IANS)
author img

By ETV Bharat Sports Team

Published : March 2, 2026 at 5:27 PM IST

2 Min Read
Choose ETV Bharat

T20 World Cup 2026: ଟି-୨୦ ବିଶ୍ୱକପ୍‌-୨୦୨୬ ଅଭିଯାନ ଶେଷ କରି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଆକାଶମାର୍ଗ (Airspace) ବନ୍ଦ ଯୋଗୁଁ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ବର୍ତ୍ତମାନ ଭାରତରେ ଅଟକି ରହିଛନ୍ତି। ବିଶ୍ୱକପ୍‌ରୁ ବିଦାୟ ନେବା ପରେ ଖେଳାଳିମାନେ ସ୍ୱଦେଶ ଫେରିବା କଥା, କିନ୍ତୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ସେମାନଙ୍କ ଫେରିବା ବିଳମ୍ବ ହୋଇଛି।

କାହିଁକି ଅଟକିଛନ୍ତି ଏହି ଦୁଇ ଦେଶର ଟିମ୍?

ସୁପର-୮ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଜିମ୍ବାୱେ ଦଳ ଦିଲ୍ଲୀରୁ ହରାରେ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ସମପରି ୱେଷ୍ଟଇଣ୍ଡିଜ୍ ଭାରତଠାରୁ ପରାସ୍ତ ହେବା ପରେ ସ୍ୱଦେଶ ଫେରିବାର ଥିଲା। କିନ୍ତୁ ଇସ୍ରାଏଲ, ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ସାମରିକ ସଂଘର୍ଷ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକ ନିଜର ଆକାଶମାର୍ଗ ବନ୍ଦ କରିଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଜିମ୍ବାୱେ ଖେଳାଳିମାନେ ଏମିରେଟ୍ସ ଏୟାରଲାଇନ୍ସ ଯୋଗେ ଦୁବାଇ ଦେଇ ସ୍ୱଦେଶ ଯିବାର ଥିଲା। କିନ୍ତୁ ବିମାନ ରଦ୍ଦ ହେବା କାରଣରୁ ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଦଳକୁ ଦିଲ୍ଲୀର ଏକ ହୋଟେଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ଜିମ୍ବାୱେ ନୁହେଁ ୱେଷ୍ଟଇଣ୍ଡିଜ୍ ସମେତ ଅନ୍ୟ କିଛି ଦଳ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛି।

ପାକିସ୍ତାନ ଫେରିଲା, ଜିମ୍ବାୱେ ଅଟକିଲା

ଆଶ୍ଚର୍ଯ୍ୟର କଥା ହେଉଛି ପାକିସ୍ତାନ ଦଳ ଶନିବାର କଲୋମ୍ବୋରୁ ଶ୍ରୀଲଙ୍କା ଏୟାରଲାଇନ୍ସ ଯୋଗେ ସୁରକ୍ଷିତ ଭାବେ ଲାହୋର ଫେରିଯାଇଛି। କିନ୍ତୁ ଶନିବାର ସକାଳୁ ଆରମ୍ଭ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଆନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଜିମ୍ବାୱେ କୋଚ୍ ଜଷ୍ଟିନ୍ ସମନ୍ସ କହିଛନ୍ତି ଯେ, "ମ୍ୟାଚ୍ ସମୟରେ ଆମ ପାଖରେ ଏଭଳି କୌଣସି ସୂଚନା ନଥିଲା, ଆମର ପୂରା ଫୋକସ୍ ଖେଳ ଉପରେ ଥିଲା। ଏବେ ପରିସ୍ଥିତି କ’ଣ ଅଛି ସେ ନେଇ ସ୍ପଷ୍ଟ ସୂଚନା ପାଇବାକୁ ଅପେକ୍ଷା କରିଛୁ।"

କିପରି ରହିଥିଲା ଜିମ୍ବାୱେ ଦଳର ପ୍ରଦର୍ଶନ

ଜିମ୍ବାୱେର ଟି-୨୦ ବିଶ୍ୱକପ୍ ୨୦୨୬ ଅଭିଯାନ ଏକ ଐତିହାସିକ ସଫଳତା ଥିଲା। ଯେଉଁଠାରେ ସେମାନେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ଭଳି ବଡ଼ ଦଳକୁ ହରାଇ ପ୍ରଥମ ଥର ପାଇଁ ସୁପର୍-୮ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଥିଲେ। ଅଧିନାୟକ ସିକନ୍ଦର ରଜାଙ୍କ ଶାନଦାର ଫର୍ମ ଏବଂ ବ୍ଲେସିଂ ମୁଜାରାବାନୀଙ୍କ ଦ୍ରୁତ ବୋଲିଂ ବଳରେ ସେମାନେ ଗ୍ରୁପ୍-ବି’ରେ ଅପରାଜେୟ ରହି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ଭଳି ଶକ୍ତିଶାଳୀ ଦଳ ନିକଟରୁ ପରାସ୍ତ ହୋଇ ସେମାନଙ୍କର ଏହି ଯାତ୍ରା ଶେଷ ହୋଇଥିଲେ ମଧ୍ୟ, ବିଶ୍ୱର ଶ୍ରେଷ୍ଠ ଦଳମାନଙ୍କ ସହ ସମାନ ଟକ୍କର ଦେଇ 'ଚେଭ୍ରନ୍ସ' ସାରା ବିଶ୍ୱରେ ପ୍ରଶଂସା ସାଉଣ୍ଟିଛନ୍ତି।

ଆଇସିସି ଉପରେ ନଜର

ବର୍ତ୍ତମାନ ଆଇସିସି (ICC) ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜକମାନେ ଖେଳାଳିଙ୍କୁ ଘରକୁ ପଠାଇବା ପାଇଁ ବିକଳ୍ପ ରୁଟ୍‌ ବା ଅନ୍ୟ ବିମାନ ସଂସ୍ଥା ସହ ଆଲୋଚନା କରୁଛନ୍ତି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଖେଳାଳିମାନେ ଦିଲ୍ଲୀରେ ହିଁ ଅପେକ୍ଷା କରିବେ।

ଏହା ମଧ୍ୟ ପଢ଼ନ୍ତୁ:

ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ପଛର ରହସ୍ୟ କହିଲେ କୋଚ୍ ଗମ୍ଭୀର; ଜାଣନ୍ତୁ କାହିଁକି ଦଳରୁ ବାହାରେ ଥିଲେ?

IND vs AFG: ଜୁନ୍‌ରେ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ: ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍

'ଇଣ୍ଡିଆ ପହଞ୍ଚିବ ନାହିଁ' ଭବିଷ୍ୟବାଣୀ କରିଥିଲେ ପାକିସ୍ତାନ କ୍ରିକେଟର, ସେମିରେ ପହଞ୍ଚିବା ପରେ ଏପରି ଟ୍ରୋଲ୍ କରୁଛନ୍ତି ପ୍ରଶଂସକ

T20 World Cup: ସେମିଫାଇନାଲ୍ ଲଢ଼େଇ ପାଇଁ ୪ଟି ଦଳ ପ୍ରସ୍ତୁତ; ଜାଣନ୍ତୁ କେବେ ଓ କେଉଁଠି ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ