ଭାଙ୍ଗିଗଲା କୋଟି କୋଟି ଫ୍ୟାନ୍ସଙ୍କ ସ୍ୱପ୍ନ! ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଡ୍ର ସହ ବିଶ୍ୱକପ୍ରୁ ବାଦ ପଡ଼ିଲା ଟିମ୍ ଇଣ୍ଡିଆ
ମହିଳା ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳର ଚାମ୍ପିଅନ୍ ହେବାର ସ୍ୱପ୍ନ ଭାଙ୍ଗିଯାଇଛି।

Published : August 24, 2026 at 2:14 PM IST
Women's Hockey World Cup: ମହିଳା ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳର ଚାମ୍ପିଅନ୍ ହେବାର ସ୍ୱପ୍ନ ଭାଙ୍ଗିଯାଇଛି। ରବିବାର (୨୩ ଅଗଷ୍ଟ) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଗୋଲ୍ ଶୂନ୍ୟ ଯୋଗୁଁ ଡ୍ର ରହିଥିଲା। ଭାରତ ନିଜର ଦୃଢ଼ ରକ୍ଷଣଭାଗ ବଳରେ ଅଷ୍ଟ୍ରେଲିଆକୁ ଗୋଲ୍ କରିବାକୁ ଦେଇନଥିଲା, କିନ୍ତୁ ଦଳକୁ ମିଳିଥିବା ସୁଯୋଗଗୁଡ଼ିକୁ ଗୋଲ୍ରେ ପରିଣତ କରିପାରିନଥିଲା। ଶେଷରେ ଟୁର୍ଣ୍ଣାମେଣ୍ଟରେ ଅଧିକ ଗୋଲ୍ ସ୍କୋର କରିବା ଆଧାରରେ ଅଷ୍ଟ୍ରେଲିଆ ସେମିଫାଇନାଲ୍ ଟିକେଟ୍ ହାସଲ କରିନେଇଛି। ଅନ୍ୟପଟେ ଭାରତ ବିଶ୍ୱକପ୍ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।
ମ୍ୟାଚ୍ ପରେ ଭାରତୀୟ ଅଧିନାୟିକା ସଲିମା ଟେଟେ ବହୁତ ନିରାଶ ନଜର ଆସିଥିଲେ। ସେ ସ୍ୱୀକାର କରିଛନ୍ତି ଯେ ଦଳ ମିଳିଥିବା ସୁଯୋଗର ଫାଇଦା ଉଠାଇପାରିଲା ନାହିଁ। ସଲିମା କହିଛନ୍ତି, "ଆମକୁ ଆଦୌ ଭଲ ଲାଗୁନାହିଁ। ଆମେ ବିଜୟର ବହୁତ ନିକଟତର ହୋଇଯାଇଥିଲୁ, କିନ୍ତୁ ଆମେ ଏହି ମ୍ୟାଚ୍କୁ ହାତଛଡ଼ା କରିଦେଲୁ। ଆମକୁ ଏଥିରୁ ଶିଖିବାକୁ ହେବ। ଏହା ଆମ ପାଇଁ ଏକ କଠିନ ମୁକାବିଲା ଥିଲା। ଆମ ପାଖକୁ ସୁଯୋଗ ଆସିଥିଲା, କିନ୍ତୁ ଆମେ ସେଗୁଡ଼ିକୁ ଗୋଲ୍ରେ ପରିଣତ କରିପାରିଲୁ ନାହିଁ।"
The Indian Women’s Team put up a determined fight against Australia, battling hard till the final whistle as the virtual quarterfinal ended in a 0–0 draw at the FIH Hockey World Cup Belgium & Netherlands 2026, with Australia claiming the second semifinal spot from Pool E to join… pic.twitter.com/dQMWoTyOS2
— Hockey India (@TheHockeyIndia) August 23, 2026
ଭାରତକୁ ସେମିଫାଇନାଲ୍ରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟର ଆବଶ୍ୟକତା ଥିଲା। ଦଳ ଏଥିପାଇଁ ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା, କିନ୍ତୁ ଗୋଲ୍ କରିବାରେ ବିଫଳ ହୋଇଥିଲା। ପ୍ରଥମ ହାଫ୍ର ଶେଷ ଭାଗରେ ଭାରତକୁ ଏକ ବଡ଼ ସୁଯୋଗ ମିଳିଥିଲା। ପେନାଲ୍ଟି କର୍ଣ୍ଣର ସମୟରେ ଆପଣାଯାଇଥିବା କୌଶଳ ଯୋଗୁଁ ବଲ୍ ନିକ୍କିଙ୍କ ପାଖରେ ପହଞ୍ଚିଥିଲା ଏବଂ ସେ ଗୋଲ୍ ପୋଷ୍ଟ ସମ୍ମୁଖରେ ସମ୍ପୂର୍ଣ୍ଣ ଖୋଲା ସ୍ଥିତିରେ ଥିଲେ, କିନ୍ତୁ ତାଙ୍କର ସେହି ପ୍ରୟାସ ସଫଳ ହୋଇପାରିନଥିଲା।
ଅଷ୍ଟ୍ରେଲିଆ ମଧ୍ୟ ଭାରତୀୟ ଗୋଲ୍ପୋଷ୍ଟ ଉପରେ ଚାପ ପକାଇଥିଲା ଏବଂ ଦୁଇ ଥର ବଲ୍କୁ ନେଟ୍ ଭିତରକୁ ପଠାଇଥିଲା, କିନ୍ତୁ ଭାରତର ସଫଳ ରେଫରାଲ୍ ପରେ ଉଭୟ ଗୋଲ୍କୁ ରଦ୍ଦ କରିଦିଆଯାଇଥିଲା। ଏହାଦ୍ୱାରା ଭାରତକୁ ମୁକାବିଲାରେ ବଜାୟ ରହିବାର ସୁଯୋଗ ମିଳିଥିଲା, ମାତ୍ର ଦଳ ଅନ୍ୟ ପଟେ ଆବଶ୍ୟକୀୟ ଗୋଲ୍ ହାସଲ କରିପାରିନଥିଲା। ଶେଷ ପାଞ୍ଚ ମିନିଟ୍ରେ ଭାରତ ଏକ ବଡ଼ ବାଜି ଖେଳି ଗୋଲ୍କିପର ବିଛୁ ଦେବୀଙ୍କୁ ପଡ଼ିଆରୁ ବାହାରକୁ ଡାକି ଜଣେ ଅତିରିକ୍ତ ଆଉଟ୍ଫିଲ୍ଡ ଖେଳାଳିଙ୍କୁ ମଇଦାନକୁ ଓହ୍ଲାଇଥିଲା। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆର ରକ୍ଷଣଭାଗକୁ ଭାଙ୍ଗିବାର କୌଣସି ରାସ୍ତା ମିଳିନଥିଲା ଏବଂ ମୁକାବିଲା ୦-୦ ରେ ଶେଷ ହୋଇଥିଲା।
𝐏𝐨𝐨𝐥 𝐄 𝐟𝐢𝐧𝐚𝐥 𝐬𝐭𝐚𝐧𝐝𝐢𝐧𝐠𝐬. 🇮🇳🏑
— Hockey India (@TheHockeyIndia) August 23, 2026
The FIH Hockey World Cup Belgium & Netherlands 2026 Pool E campaign comes to an end with the Netherlands and Australia securing the two semi-final spots. India finished third and will now play for the 5th-6th position. 🇮🇳… pic.twitter.com/PHuKKwftJF
ସେମିଫାଇନାଲ୍ ଆଶା ଭାଙ୍ଗିଯିବା ସତ୍ତ୍ୱେ ଅଧିନାୟିକା ସଲିମା ଟେଟେ ସ୍ପଷ୍ଟ କରିଛନ୍ତି ଯେ ଭାରତର ବିଶ୍ୱକପ୍ ଅଭିଯାନ ବର୍ତ୍ତମାନ ବି ଶେଷ ହୋଇନାହିଁ। ସେ କହିଛନ୍ତି, "ଆମେ ଏକ ଦଳ ହିସାବରେ ହାରିଥାଉ। ବର୍ତ୍ତମାନ ଆମେ ପଞ୍ଚମ ସ୍ଥାନ ପାଇଁ ଲଢ଼ିବୁ। ଆମ ପାଇଁ ଏହି ବିଶ୍ୱକପ୍ ବର୍ତ୍ତମାନ ଶେଷ ହୋଇନାହିଁ।"
ଚୀନ ବିପକ୍ଷରେ ୨-୨ ଗୋଲରେ ଡ୍ର' ସହ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ଆରମ୍ଭ କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକାକୁ ୬-୧ ରେ ପରାଜୟ ଦେଇଥିଲା ଏବଂ ଇଂଲଣ୍ଡ ବିପକ୍ଷ ମୁକାବିଲା ୦-୦ ରେ ଡ୍ର ରହିଥିଲା। ନେଦରଲାଣ୍ଡସ ହାତରୁ ୦-୨ ରେ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ଅତ୍ୟନ୍ତ ନିର୍ଣ୍ଣାୟକ ପାଲଟିଯାଇଥିଲା।

