କିଏ ଏହି ମାୟା ଜଏଣ୍ଟ? ୨୩ ଥରର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ ସେରେନାଙ୍କୁ ଧୂଳି ଚଟାଇଲେ ୨୦ ବର୍ଷର ଝିଅ
ୱିମ୍ବଲଡନ ୨୦୨୬ ର ପ୍ରଥମ ରାଉଣ୍ଡରେ ୨୩ ଥରର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ ସେରେନା ୱିଲିୟମ୍ସଙ୍କୁ ହରାଇ ଅଷ୍ଟ୍ରେଲିଆର ୨୦ ବର୍ଷୀୟା ମାୟା ଜଏଣ୍ଟ ଇତିହାସ ରଚିଛନ୍ତି। ଜାଣନ୍ତୁ କିଏ ଏହି ଖେଳାଳି।

Published : July 1, 2026 at 12:19 PM IST
Wimbledon 2026: ୨୩ ଥରର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ ସେରେନା ୱିଲିୟମ୍ସଙ୍କ ୱିମ୍ବଲଡନ ୨୦୨୬ ସିଙ୍ଗଲ୍ସ କମବ୍ୟାକ୍ ପ୍ରଥମ ରାଉଣ୍ଡରେ ହିଁ ଶେଷ ହୋଇଯାଇଛି। ଅଲ୍ ଇଂଲଣ୍ଡ କ୍ଲବର ସେଣ୍ଟର କୋର୍ଟରେ ଖେଳାଯାଇଥିବା ଏହି ମ୍ୟାଚରେ ୨୦ ବର୍ଷୀୟ ଅଷ୍ଟ୍ରେଲୀୟ ଖେଳାଳି ମାୟା ଜଏଣ୍ଟ ତିନି ସେଟ୍ ପର୍ଯ୍ୟନ୍ତ ଚାଲିଥିବା ଏକ ରୋମାଞ୍ଚକର ମୁକାବିଲାରେ ୬-୩, ୬-୭(୬), ୬-୩ ରେ ବିଜୟ ହାସଲ କରି ନିଜ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ପାଇଛନ୍ତି। ୱିମ୍ବଲଡନରେ ମାୟା ଜଏଣ୍ଟଙ୍କର ଏହା ପ୍ରଥମ ବିଜୟ ମଧ୍ୟ ଥିଲା। ବିଶେଷ କଥା ହେଉଛି, ସେ ଜାନୁଆରୀ ମାସରୁ କ୍ରମାଗତ ଭାବେ ୧୧ଟି ଟୁର୍-ଲେଭଲ୍ ମ୍ୟାଚ୍ ହାରିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇଥିଲେ। ଏବେ ଦ୍ଵିତୀୟ ରାଉଣ୍ଡରେ ସେ ଆଲେକ୍ସଜାଣ୍ଡ୍ରା ଇଲାଙ୍କ ସାମ୍ନା କରିବେ।
ମୁକାବିଲାରେ ମାୟା ପ୍ରଥମ ସେଟକୁ ୬-୩ ରେ ନିଜ ନାମରେ କରିଥିଲେ। ଦ୍ଵିତୀୟ ସେଟର ଟାଇ-ବ୍ରେକରେ ସେରେନା ପ୍ରଥମ ମ୍ୟାଚ୍ ପଏଣ୍ଟ ବଞ୍ଚାଇବା ସହ ଚମତ୍କାର କମବ୍ୟାକ୍ କରି ସେଟ୍ ଜିତିନେଇଥିଲେ ଏବଂ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ସେଟରେ ସେ ପ୍ରାରମ୍ଭିକ ଅଗ୍ରଣୀ ମଧ୍ୟ ହାସଲ କରିଥିଲେ, କିନ୍ତୁ ଯୁବ ଅଷ୍ଟ୍ରେଲୀୟ ଖେଳାଳି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେରେନାଙ୍କ ସର୍ଭିସକୁ ପାଞ୍ଚ ଥର ଭାଙ୍ଗିଥିଲେ ଏବଂ ମ୍ୟାଚ୍ ଜିତିନେଇଥିଲେ। ମାୟା ଏହି ମୁକାବିଲାରେ ୧୦ଟି ଏସ୍ (Ace) ମଧ୍ୟ ମାରିଥିଲେ।
An unforgettable night ✨
— Wimbledon (@Wimbledon) June 30, 2026
Maya Joint claims her maiden main draw win at The Championships with a brilliant performance against Serena Williams#Wimbledon pic.twitter.com/7THWx6vhzh
ମାୟା ଜଏଣ୍ଟ କିଏ?
ମାୟା ଜଏଣ୍ଟ (Maya Joint) ହେଉଛନ୍ତି ଜଣେ ୨୦ ବର୍ଷୀୟା ଉଦୀୟମାନ ଅଷ୍ଟ୍ରେଲୀୟ ଟେନିସ ଖେଳାଳି। ଯିଏ ବିମ୍ବଲଡନ ୨୦୨୬ରେ ୨୩ ଥରର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ ସେରେନା ୱିଲିୟମ୍ସଙ୍କୁ ହରାଇ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରୁ କ୍ରମାଗତ ଭାବେ ୧୧ଟି ଟୁର୍-ଲେଭଲ୍ ମ୍ୟାଚ୍ ହାରିବା ସତ୍ତ୍ୱେ ମାୟା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ସେରେନାଙ୍କୁ ୬-୩, ୬-୭(୬), ୬-୩ ରେ ପରାସ୍ତ କରି ନିଜ କ୍ୟାରିୟରର ସବୁଠାରୁ ବଡ଼ ବିଜୟ ହାସଲ କରିଛନ୍ତି। ବିମ୍ବଲଡନରେ ଏହା ତାଙ୍କର ପ୍ରଥମ ସିଙ୍ଗଲ୍ସ ବିଜୟ ରହିଥିଲା।
You're a star, Maya 💫#Wimbledon pic.twitter.com/btuZyQ7nA6
— Wimbledon (@Wimbledon) June 30, 2026
୧୩୯୭ ଦିନ ପରେ ଖେଳିଥିଲେ ସିଙ୍ଗଲ୍ସ ମ୍ୟାଚ୍ ସେରେନା
୪୪ ବର୍ଷୀୟ ସେରେନା ନିଜର ଶେଷ ସିଙ୍ଗଲ୍ସ ମୁକାବିଲା ୨୦୨୨ ୟୁଏସ୍ ଓପନରେ ଖେଳିଥିଲେ। ଏହାପରେ ୧୩୯୭ ଦିନର ବ୍ୟବଧାନ ପରେ ସେ ୱିମ୍ବଲଡନରେ ସିଙ୍ଗଲ୍ସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଓପନ୍ ଏରାରେ ସେ ୱିମ୍ବଲଡନ ମହିଳା ସିଙ୍ଗଲ୍ସ ଖେଳିଥିବା ଦ୍ଵିତୀୟ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ମସିହାରେ ୪୭ ବର୍ଷୀୟା ମାର୍ଟିନା ନଭରାତିଲୋଭା ଏହି ସଫଳତା ହାସଲ କରିଥିଲେ।
Centre Court rises for @serenawilliams 🫶#Wimbledon pic.twitter.com/O3XRkjQ4cv
— Wimbledon (@Wimbledon) June 30, 2026
ମ୍ୟାଚ୍ ପରେ କଣ କହିଥିଲେ ସେରେନା ଏବଂ ମାୟା?
ବିଜୟ ପରେ ମାୟା ଜଏଣ୍ଟ କହିଛନ୍ତି, "ମତେ ବୁଝାପଡ଼ୁନି ଯେ କଣ ହେଲା। ଆରମ୍ଭରେ ମୁଁ ବହୁତ ନର୍ଭସ ଥିଲି। ସେରେନା ଜଣେ ମହାନ ଖେଳାଳି ଏବଂ ତାଙ୍କ ବିରୋଧରେ ସେଣ୍ଟର କୋର୍ଟରେ ଖେଳିବା ମୋର ପିଲାଦିନର ସ୍ୱପ୍ନ ଥିଲା। ମ୍ୟାଚ୍ ଶେଷ କରିବା ସବୁଠାରୁ କଷ୍ଟକର ଅଂଶ ଥିଲା, କାରଣ ସେ ଦ୍ଵିତୀୟ ସେଟ୍ ପରେ ନିଜ ଖେଳର ସ୍ତର ବହୁତ ଉପରକୁ ଉଠାଇ ଦେଇଥିଲେ।"
ସେହିପରି ସେରେନା ଗଣମାଧ୍ୟମକୁ ଜାରି କରିଥିବା ବୟାନରେ କହିଛନ୍ତି, 'ୱିମ୍ବଲଡନକୁ ଫେରିବା ମୋ ପାଇଁ ବହୁତ ସ୍ୱତନ୍ତ୍ର ଥିଲା। ମୁଁ କେବେ ଭାବି ନଥିଲି ଯେ ମୁଁ ପୁଣି ଏଠାରେ ଖେଳିବି। ଏଠାକାର ପରିବେଶ ଚମତ୍କାର ଥିଲା ଏବଂ ମୁଁ ପ୍ରତିଟି ମୁହୂର୍ତ୍ତର ଭରପୂର ଆନନ୍ଦ ନେଇଛି।'
କହି ରଖୁଛୁ ଯେ ସିଙ୍ଗଲ୍ସରୁ ବାଦ୍ ପଡ଼ିବା ସତ୍ତ୍ୱେ ସେରେନାଙ୍କ ୱିମ୍ବଲଡନ ଅଭିଯାନ ଏବେ ଯାଏଁ ଶେଷ ହୋଇନାହିଁ। ସେ ନିଜ ଭଉଣୀ ଵିନସ ୱିଲିୟମ୍ସଙ୍କ ସହ ମହିଳା ଡବଲ୍ସ (Doubles) ପ୍ରତିଯୋଗିତାରେ ଭାଗ ନେବେ।

