୬ଟି ବିଶ୍ୱକପ୍ ଖେଳିଥିବା କ୍ରିକେଟ୍ ଦଳର ସଦସ୍ୟତାକୁ ତତ୍କାଳ ନିଲମ୍ବିତ କଲା ICC, ଜାଣନ୍ତୁ କାହିଁକି?
ICC Board Meeting 2026: ଆଇପିଏଲ୍ ୨୦୨୬ ଶେଷ ହେବା ମାତ୍ରେ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନ୍ସିଲ୍ ନିଜର ବୋର୍ଡ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

Published : June 2, 2026 at 12:51 PM IST
Cricket Canada Suspended, ହାଇଦ୍ରାବାଦ: ଆଇପିଏଲ୍ ୨୦୨୬ ଶେଷ ହେବା ମାତ୍ରେ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନ୍ସିଲ୍ ନିଜର ବୋର୍ଡ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ବୈଠକରେ ୬ଟି ବିଶ୍ୱକପ୍ରେ ଭାଗ ନେଇଥିବା ଦଳ କାନାଡାର ସଦସ୍ୟତାକୁ ନିଲମ୍ବିତ କରାଯାଇଛି। ତେବେ ଏହି ନିଲମ୍ବନ ସତ୍ତ୍ୱେ ବିଶ୍ୱକପ୍ ଭଳି ପ୍ରତିଯୋଗିତାରେ ଭାଗ ନେବା ଉପରେ କୋହଳତା ରହିବ। ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।
ଆଇସିସି ବୋର୍ଡ ସୋମବାର ଦିନ ଅନୁଷ୍ଠିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କାନାଡା କ୍ରିକେଟ୍ ଦଳର ସଦସ୍ୟତାକୁ ନିଲମ୍ବିତ କରିଛି। ଆଇସିସି କହିଛି ଯେ, କ୍ରିକେଟ୍ କାନାଡା ସଦସ୍ୟତା ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ଓ ଦାୟିତ୍ୱର ଉଲ୍ଲଂଘନ କରିଛି। ଯେଉଁଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କାନାଡାରେ ଭାରତୀୟ ଉପମହାଦ୍ୱୀପର ଅନେକ ଖେଳାଳି ଅଛନ୍ତି। ଯେଉଁଥିରେ ମୁଖ୍ୟତଃ ଭାରତ ଏବଂ ପାକିସ୍ତାନର ଖେଳାଳି ସାମିଲ ଅଛନ୍ତି। ତେଣୁ ଏହି ନିଷ୍ପତ୍ତିକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
🚨 Following the ICC Board Meeting in Ahmedabad, Cricket Canada has been suspended from its ICC membership with immediate effect due to " serious breaches of its membership obligations"
— Cricbuzz (@cricbuzz) June 1, 2026
canadian national representative teams will be eligible, however, to participate in icc events… pic.twitter.com/BumsfzkIut
ରିପୋର୍ଟ ଅନୁଯାୟୀ ସ୍ଥାନୀୟ ପରିଚାଳନା ସଂସ୍ଥାରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସମସ୍ୟା ରହିଛି। ଯଦିଓ ଆଇସିସି ଏହାର ସଠିକ୍ କାରଣ ସ୍ପଷ୍ଟ କରିନାହିଁ, ତଥାପି ଏହା ନିଶ୍ଚିତ କରିଛି ଯେ କାନାଡା ଦଳ ଭବିଷ୍ୟତରେ ହେବାକୁ ଥିବା ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବ। ଗତ ବର୍ଷ କ୍ରିକେଟ୍ ୟୁଏସ୍ଏକୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ସଦସ୍ୟତା ନିୟମାବଳୀର ଗୁରୁତ୍ୱପୂର୍ଣ୍ଣ ଉଲ୍ଲଂଘନ ହେତୁ ଆଇସିସି ବୋର୍ଡ ତତ୍କାଳ ପ୍ରଭାବରୁ କ୍ରିକେଟ୍ କାନାଡାର ସଦସ୍ୟତାକୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି।
ଏହି ନିଷ୍ପତ୍ତି ନେବା ସମୟରେ ଆଇସିସି ବୋର୍ଡ ବିଶେଷ ଭାବେ ଧ୍ୟାନ ଦେଇଛି ଯେ ପ୍ରଶାସନିକ ବିବାଦ ଏବଂ ନିୟମ ପରିବର୍ତ୍ତନ କାରଣରୁ ଯେପରି କାନାଡାର ଜାତୀୟ ଖେଳାଳିମାନଙ୍କ କ୍ୟାରିୟରର ବିକାଶ ଉପରେ କୌଣସି ପ୍ରଭାବ ନ ପଡ଼େ। ପ୍ରଶାସନିକ ସମସ୍ୟା ଯୋଗୁଁ ସେମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ ନ ହୁଅନ୍ତୁ ଏବଂ ସେମାନଙ୍କର କୌଣସି କ୍ଷତି ନ ହେଉ। ଏହି ସଂକଳ୍ପକୁ ଦୃଷ୍ଟିରେ ରଖି ନିଲମ୍ବନ ଅବଧି ମଧ୍ୟରେ କାନାଡାର ଜାତୀୟ ପ୍ରତିନିଧି ଦଳ ଆଇସିସି ଟୁର୍ନାମେଣ୍ଟଗୁଡ଼ିକରେ ଭାଗ ନେବା ପାଇଁ ଯୋଗ୍ୟ ରହିବେ।
The ICC Board resolved to suspend Cricket Canada from ICC membership with immediate effect due to serious breaches of its membership obligations. pic.twitter.com/5FrLuGJ22K
— IANS (@ians_india) June 1, 2026
ଏହି ନିଷ୍ପତ୍ତି ପରେ ମଧ୍ୟ ଜାତୀୟ ଦଳଗୁଡ଼ିକର ନିରନ୍ତର ଅଂଶଗ୍ରହଣ ଏବଂ ବିକାଶକୁ ସମର୍ଥନ ଦେବା ପାଇଁ କ୍ରିକେଟ୍ କାନାଡାକୁ ଆଇସିସି ପରିଚାଳନା ଅଧୀନରେ କେବଳ ଅନୁମୋଦିତ ଜାତୀୟ ଦଳ କାର୍ଯ୍ୟକ୍ରମ ପାଇଁ ଏକ ନିୟନ୍ତ୍ରିତ ପାଣ୍ଠି ବ୍ୟବସ୍ଥା ମାଧ୍ୟମରେ ଆଇସିସିରୁ ଅର୍ଥ ପାଇବାକୁ ଅନୁମତି ଦିଆଯିବ।
ଆଇସିସି କହିଛି, “ଆଇସିସି କ୍ରିକେଟ୍ କାନାଡାକୁ କେତେକ ସର୍ତ୍ତ ମଧ୍ୟ ଦେବ, ଯାହାର ଉଦ୍ଦେଶ୍ୟ ହେଉଛି ବୋର୍ଡ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରଶାସନିକ ଏବଂ ପରିଚାଳନାଗତ ସମସ୍ୟାର ସମାଧାନ କରିବା। ଆଇସିସି ପରିଚାଳନା ସହାୟତାରେ ଆଇସିସି ସାଧାରଣକରଣ ସମିତି ଏହି ସର୍ତ୍ତଗୁଡ଼ିକର ଅଗ୍ରଗତି ଉପରେ ନଜର ରଖିବ ଏବଂ ସଦସ୍ୟତା ସେତେବେଳେ ଫେରସ୍ତ କରାଯିବ, ଯେତେବେଳେ ବୋର୍ଡ ସନ୍ତୁଷ୍ଟ ହେବ ଯେ ସମସ୍ତ ସର୍ତ୍ତ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଛି।”
ସୂଚନାଯୋଗ୍ୟ ଯେ, କାନାଡା ଗତ ଦୁଇଟି ଟି-୨୦ ବିଶ୍ୱକପ୍ରେ ଭାଗ ନେଇଛି। ଅର୍ଥାତ୍ ୨୦୨୪ ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ରେ କାନାଡା ଦଳ ସାମିଲ ଥିଲା। ଏହି ଦଳ ଚାରୋଟି ଦିନିକିଆ ବିଶ୍ୱକପ୍ ମଧ୍ୟ ଖେଳିଛି। କାନାଡା ଦଳ ୧୯୯, ୨୦୦୩, ୨୦୦୭ ଏବଂ ୨୦୧୧ ମସିହାରେ ଦିନିକିଆ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିଲା। କ୍ରିକେଟ୍ କାନାଡାକୁ ୧୯୬୮ ମସିହାରେ ଆଇସିସିର ଆସୋସିଏଟ୍ ସଦସ୍ୟତା ମିଳିଥିଲା।

