ETV Bharat / sports

କିଏ ଏହି ଅର୍ଣ୍ଣବ ପାପରକର? ୩୬ ବର୍ଷ ପରେ ୱିମ୍ବଲଡନରେ ଇତିହାସ ରଚିଲେ ଏହି ଭାରତୀୟ ଖେଳାଳି

Arnav Paparkar: ୱିମ୍ବଲଡନରେ ପ୍ରାୟ ୩୬ ବର୍ଷ ପରେ ଜଣେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି।

Who is Wimbledon Star Arnav Paparkar
ୱିମ୍ବଲଡନରେ ଇତିହାସ ରଚିଲେ ଅର୍ଣ୍ଣବ ପାପରକର (gettyimages)
author img

By ETV Bharat Sports Team

Published : July 9, 2026 at 10:45 AM IST

2 Min Read
Choose ETV Bharat

Wimbledon 2026: ବର୍ତ୍ତମାନ ଜଣେ ଭାରତୀୟ ଟେନିସ୍ ଖେଳାଳିଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଛି ଏବଂ ସେହି ନାମଟି ହେଉଛି ଅର୍ଣ୍ଣବ ପାପରକର। ଯିଏକି ୱିମ୍ବଲଡନରେ ଇତିହାସ ରଚିଛନ୍ତି। ସେ ଏହି ଗ୍ରାଣ୍ଡସ୍ଲାମର ବଏଜ୍ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ୩୬ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ୧୮ ବର୍ଷୀୟ ଏହି ଖେଳାଳି ବୁଧବାର ଜାପାନର ର୍ୟୋ ତବାତାଙ୍କୁ ମାତ୍ର ୫୨ ମିନିଟରେ ୬-୨, ୬-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଲିଆଣ୍ଡର ପେସ୍‌ଙ୍କ ପରେ ଏହି ସଫଳତା ହାସଲ କରିବାରେ ପାପରକର ହେଉଛନ୍ତି ପ୍ରଥମ ଭାରତୀୟ। ଲିଆଣ୍ଡର ପେସ୍ ୧୯୯୦ ମସିହାରେ ଜୁନିୟର ୱିମ୍ବଲଡନ ଟାଇଟଲ୍ ଜିତିଥିଲେ।

ୱିମ୍ବଲଡନ ବଏଜ୍ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିବା ସହ ପାପରକର ଭାରତୀୟ ଖେଳାଳିମାନଙ୍କର ସେହି ସ୍ୱତନ୍ତ୍ର ତାଲିକାରେ ସାମିଲ ହୋଇଛନ୍ତି, ଯେଉଁଥିରେ ଲିଆଣ୍ଡର ପେସ୍, ରାମନାଥନ କ୍ରିଷ୍ଣନ ଓ ରମେଶ କ୍ରିଷ୍ଣନଙ୍କ ଭଳି ଖେଳାଳି ସାମିଲ ଅଛନ୍ତି। ଏହାସହ ୨୦୦୯ରେ ଯୁକି ଭାମ୍ବ୍ରିଙ୍କ ୟୁଏସ୍ ଓପନ ଅଭିଯାନ ପରେ ଜୁନିୟର ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ସେ ପ୍ରଥମ ଭାରତୀୟ ଖେଳାଳି ମଧ୍ୟ ହୋଇଛନ୍ତି। ପାପରକର ଏବେ କ୍ୱାର୍ଟର ଫାଇନାଲରେ ଆମେରିକୀୟ କ୍ୱାଲିଫାୟର୍ ଜର୍ଡାନ ଲି'ଙ୍କ ସାମ୍ନା କରିବେ।

First Indian in 36 Years to Reach Wimbledon Junior Quarter-Finals
୩୬ ବର୍ଷ ପରେ ୱିମ୍ବଲଡନ କ୍ୱାର୍ଟର ଫାଇନାଲରେ ଭାରତୀୟ ଖେଳାଳି (gettyiamges)

କିଏ ଏହି ଅର୍ଣ୍ଣବ ପାପରକର?

ପାପରକର ହେଉଛନ୍ତି ପୁଣେର ଜଣେ ୧୮ ବର୍ଷୀୟ ଟେନିସ୍ ଖେଳାଳି ଏବଂ ସେ ବର୍ତ୍ତମାନ ଆଇଟିଏଫ୍ ଜୁନିୟର ରାଙ୍କିଂରେ ବିଶ୍ୱର ୧୯ ନମ୍ବର ସ୍ଥାନରେ ଅଛନ୍ତି। ୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ପାପରକର କୋଚ୍ ପ୍ରସନ୍ନଜିତ୍ ପଲ୍‌ଙ୍କ ତତ୍ତ୍ୱାବଧାନରେ ହେମନ୍ତ ବେନ୍ଦ୍ରେ ଟେନିସ୍ ଏକାଡେମୀରେ ଟ୍ରେନିଂ ନେଉଛନ୍ତି। ସେ ସ୍ପେନ୍‌ର ସୋଟୋ ଏକାଡେମୀରେ କୋଚ୍ ନାଇଜେଲ୍ ବିଭର୍ସଙ୍କ ମାର୍ଗଦର୍ଶନରେ ମଧ୍ୟ ଟ୍ରେନିଂ ପାଇଁ ସମୟ ବିତାଉଛନ୍ତି।

ପାପରକରଙ୍କୁ ପ୍ରଥମ ବଡ଼ ସଫଳତା ୨୦୨୩ରେ ମିଳିଥିଲା, ଯେତେବେଳେ ସେ ମେଲବର୍ଣ୍ଣଠାରେ ଅଷ୍ଟ୍ରେଲିଆନ ଓପନ ଅଣ୍ଡର-୧୪ ଏସିଆ-ପାସିଫିକ ଏଲିଟ୍ ଟ୍ରଫି ଜିତିଥିଲେ। ସେହି ବର୍ଷ ପରବର୍ତ୍ତୀ ସମୟରେ ଏକ ୱାଇଲ୍ଡକାର୍ଡ କ୍ୱାଲିଫାୟର୍ ଭାବେ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପରେ ସେ କୋଲ୍ହାପୁରଠାରେ ନ୍ୟାସନାଲ ଅଣ୍ଡର-୧୬ ଚାମ୍ପିଅନ ହୋଇଥିଲେ। ୱାଇଲ୍ଡକାର୍ଡ ଏଣ୍ଟ୍ରି ମିଳିବା ପରେ ୨୦୨୪ରେ ନିଜର ୧୬ତମ ଜନ୍ମଦିନରେ ସେ ଏଟିପି (ATP) ଚ୍ୟାଲେଞ୍ଜରରେ ଡେବ୍ୟୁ କରିଥିଲେ।

୨୦୨୫ରେ ସେ ବହରିନଠାରେ ITF J60 ମନାମା ଏବଂ J200 କୁଆଲାଲମ୍ପୁରରେ ନିଜର ପ୍ରଥମ ବଡ଼ ଅନ୍ତର୍ଜାତୀୟ ଜୁନିୟର ଟାଇଟଲ୍ ଜିତିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ସେ AITA ବଏଜ୍ ଅଣ୍ଡର-୧୮ ନ୍ୟାସନାଲ ନମ୍ବର ୱାନ ହୋଇଥିଲେ ଏବଂ କ୍ରମାଗତ ୨୧ ସପ୍ତାହ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ରହିଥିଲେ। ସେ ୨୦୨୬ ଫ୍ରେଞ୍ଚ ଓପନ ଜୁନିୟର ଚାମ୍ପିଅନସିପ୍‌ର ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲେ। ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ ସେ ବିଶ୍ୱର ଟପ୍ ୨୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ।

ୱିମ୍ବଲଡନରେ ବଡ଼ ବିଜୟ

ପାପରକର ୱିମ୍ବଲଡନର ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଜୁନିୟର ୱାର୍ଲ୍ଡ ନମ୍ବର ୩ କିଟନ୍ ହ୍ୟାନ୍ସଙ୍କୁ ୬-୨, ୬-୩ରେ ପରାସ୍ତ କରି ନିଜର ଚମତ୍କାର ଉପସ୍ଥିତି ଜାହିର କରିଥିଲେ। ହ୍ୟାନ୍ସଙ୍କ ବିପକ୍ଷରେ ସେ ୬ଟି ଏସ୍ (aces) ମାରିଥିଲେ। ପ୍ରତ୍ୟେକ ବ୍ରେକପଏଣ୍ଟର ସଫଳ ରକ୍ଷଣାତ୍ମକ ବ୍ୟବହାର କରିଥିଲେ ଏବଂ ନିଜ ସର୍ଭିସରେ ମାତ୍ର ୧୮ ପଏଣ୍ଟ ହରାଇ ନିଜ କ୍ୟାରିୟରର ସବୁଠାରୁ ବଡ଼ ବିଜୟ ହାସଲ କରିଥିଲେ। ଏହାପରେ ସେ ତବାତାଙ୍କ ବିପକ୍ଷରେ ମଧ୍ୟ ଦେଖିବାକୁ ମିଳିଥିଲା ତାଙ୍କର ଦବ୍‌ଦବା। ସେ ୮ଟି ଏସ୍ ମାରିଥିଲେ ଏବଂ ନିଜର ୨୫ଟି ଫାଷ୍ଟ-ସର୍ଭ ପଏଣ୍ଟ ମଧ୍ୟରୁ ୨୩ଟି ଜିତିଥିଲେ। ତାଙ୍କର ସବୁଠାରୁ ଦ୍ରୁତତମ ସର୍ଭିସର ଗତି ଘଣ୍ଟା ପ୍ରତି ୨୦୮ କିଲୋମିଟର (୨୦୮ km/h) ଥିଲା, ଯେତେବେଳେ କି ତାଙ୍କର ହାରାହାରି ଫାଷ୍ଟ-ସର୍ଭ ସ୍ପିଡ୍ ଘଣ୍ଟା ପ୍ରତି ୧୯୬ କିଲୋମିଟର (୧୯୬ km/h) ରହିଥିଲା।

ଏହା ମଧ୍ୟ ପଢ଼ନ୍ତୁ:

ୱିମ୍ବଲଡନରେ ଜୋକୋଭିଚ୍‌ ଲେଖିଲେ ନୂଆ ଇତିହାସ: ଜିତିଲେ ଇତିହାସର ସବୁଠାରୁ ଦୀର୍ଘତମ କ୍ୱାର୍ଟର ଫାଇନାଲ୍

Wimbledon: ଇଗା ସ୍ୱିଆତେକଙ୍କୁ ହରାଇ ଆଲେକ୍ସଜାଣ୍ଡ୍ରା ଏଲା ଲେଖିଲେ ନୂଆ ଇତିହାସ