ETV Bharat / sports

ପରାଜୟ ସହ ଶେଷ ହେଲା ସେରେନା ୱିଲିୟମ୍ସଙ୍କ ୟୁଏସ୍ ଓପନ୍ ଯାତ୍ରା

ସେରେନା ଏବଂ କାର୍ଲୋସ୍ ଆଲକାରାଜଙ୍କ ଷ୍ଟାର୍ ଯୋଡ଼ିଙ୍କୁ ଫ୍ଲାଭିଓ କୋବୋଲି ଏବଂ ବେଲିଣ୍ଡା ବେନଚିଚ୍ ୫-୪(୪), ୪-୧ ରେ ପରାସ୍ତ କରିଛନ୍ତି।

US Open 2026 Mixed Doubles Results
ସେରେନା ୱିଲିୟମ୍ସଙ୍କ ପରାଜୟ ସହ ଶେଷ ହେଲା ୟୁଏସ୍ ଓପନ୍ ଯାତ୍ରା (AP)
author img

By ETV Bharat Sports Team

Published : August 26, 2026 at 2:36 PM IST

2 Min Read
Choose ETV Bharat

US Open 2026: ନ୍ୟୁୟର୍କର ଆର୍ଥର ଆଶ୍ ଷ୍ଟାଡିୟମରେ ସେରେନା ୱିଲିୟମ୍ସଙ୍କ ବହୁପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନର ଯାତ୍ରା ୟୁଏସ୍ ଓପନ୍ ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲରେ ଶେଷ ହୋଇଯାଇଛି। ସେରେନା ଏବଂ କାର୍ଲୋସ୍ ଆଲକାରାଜଙ୍କ ଷ୍ଟାର୍ ଯୋଡ଼ିଙ୍କୁ ଫ୍ଲାଭିଓ କୋବୋଲି ଏବଂ ବେଲିଣ୍ଡା ବେନଚିଚ୍ ୫-୪(୪), ୪-୧ ରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ଆମେରିକୀୟ କିମ୍ବଦନ୍ତୀଙ୍କ ତିନି ବର୍ଷ ପରେ ୟୁଏସ୍ ଓପନକୁ ପ୍ରତ୍ୟାବର୍ତ୍ତନ କରିବାର ଅଭିଯାନ ସମାପ୍ତ ହୋଇଛି।

ସେରେନା ଏବଂ ଆଲକାରାଜ ନିଜ ଅଭିଯାନର ଆରମ୍ଭ ଚମତ୍କାର ଶୈଳୀରେ କରିଥିଲେ। ଉଭୟ ପ୍ରଥମ ରାଉଣ୍ଡରେ ଏରିନ୍ ରୁଟ୍‌ଲିଫ୍ ଏବଂ ଲୟଡ୍ ଗ୍ଲାସପୁଲ୍‌ଙ୍କ ଯୋଡ଼ିକୁ ୫-୩, ୪-୧ ରେ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲେ। କିନ୍ତୁ କୋବୋଲି ଏବଂ ବେନଚିଚ୍‌ଙ୍କ ବିପକ୍ଷ ମୁକାବିଲାରେ ସେମାନଙ୍କୁ ଆରମ୍ଭରୁ ହିଁ ଚାପର ସାମ୍ନା କରିବାକୁ ପଡ଼ିଥିଲା। ସେରେନା ଏବଂ ଆଲକାରାଜ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଭୁଲ୍ କରିଥିଲେ। ଯାହାର ଫାଇଦା ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଉଠାଇଥିଲେ। ପ୍ରଥମ ସେଟ୍‌ର ନିଷ୍ପତ୍ତି ଟାଇବ୍ରେକର୍‌ରେ ହୋଇଥିଲା, ଯେଉଁଠାରେ କୋବୋଲି ଧୈର୍ଯ୍ୟ ବଜାୟ ରଖିଥିଲେ ଏବଂ ଏକ ଏସ୍ ମାରି ସେଟ୍‌କୁ ନିଜ ଯୋଡ଼ି ନାମରେ କରିଥିଲେ।

ପ୍ରଥମ ସେଟ୍ ଜିତିବା ପରେ କୋବୋଲି ଏବଂ ବେନଚିଚ୍‌ଙ୍କ ଆତ୍ମବିଶ୍ୱାସ ଆହୁରି ବଢ଼ିଯାଇଥିଲା। ଦ୍ୱିତୀୟ ସେଟ୍‌ରେ ସେମାନେ କୌଣସି ଅନଫୋର୍ସଡ୍ ଏରର୍ କରିନଥିଲେ ଏବଂ ଅତ୍ୟନ୍ତ କ୍ଲିନିକାଲ୍ ପ୍ରଦର୍ଶନ କରି ୪-୧ ରେ ସେଟ୍ ଜିତି ନେଇଥିଲେ। ଏହି ବିଜୟ ସହ କୋବୋଲି ଏବଂ ବେନଚିଚ୍, ସେରେନା-ଆଲକାରାଜଙ୍କ ବହୁପ୍ରତୀକ୍ଷିତ ଯୋଡ଼ିର ଯାତ୍ରା ସମାପ୍ତ କରିଥିଲେ। ସେମିଫାଇନାଲରେ ବର୍ତ୍ତମାନ ଏହି ଯୋଡ଼ିଙ୍କ ସାମ୍ନା ପତି-ପତ୍ନୀଙ୍କ ଯୋଡ଼ି ଏଲିନା ସ୍ୱିତୋଲିନା ଏବଂ ଗେଲ୍ ମୋନଫିଲ୍ସଙ୍କ ସହ ହେବ।

ବେନଚିଚ୍ ମୁକାବିଲା ପରେ କହିଛନ୍ତି, "ମୁଁ ଜାଣିନି ଯେ ମୁଁ ଏହି କୋର୍ଟରେ କେମିତି ପହଞ୍ଚିଗଲି। କାର୍ଲୋସ୍ ଏବଂ ସେରେନାଙ୍କ ବିପକ୍ଷରେ ଖେଳିବା ମୋ ପାଇଁ ବହୁତ ବଡ଼ ସମ୍ମାନର କଥା।"

ଏହି ପରାଜୟ ସତ୍ତ୍ୱେ ସେରେନାଙ୍କ ପ୍ରତ୍ୟାବର୍ତ୍ତନ ପୂରା ଷ୍ଟାଡିୟମକୁ ଭାବୁକ କରିଦେଇଥିଲା। ୪୪ ବର୍ଷୀୟା ସେରେନା ଶେଷ ଥର ପାଇଁ ୨୦୨୨ ରେ ୟୁଏସ୍ ଓପନରେ ଭାଗ ନେଇଥିଲେ। ଏହି ସମୟରେ ସେ ପ୍ରଫେସନାଲ୍ ଟେନିସରୁ ସନ୍ନ୍ୟାସ ଘୋଷଣା କରି ଭାବପୂର୍ଣ୍ଣ ବିଦାୟ ନେଇଥିଲେ। ତିନି ବର୍ଷ ପରେ ସେ ଯେତେବେଳେ ପୁଣିଥରେ ଆର୍ଥର ଆଶ୍ ଷ୍ଟାଡିୟମକୁ ଓହ୍ଲାଇଲେ, ଦର୍ଶକମାନେ କରତାଳି ଏବଂ ସ୍ଲୋଗାନ ଦେଇ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଏହା ସମେତ ଷ୍ଟାଡିୟମରେ ସେରେନାଙ୍କ ପ୍ରତ୍ୟାବର୍ତ୍ତନର ଉତ୍ସବ ଜଣେ ଚାମ୍ପିଅନ୍‌ଙ୍କ ଭଳି ପାଳନ କରାଯାଇଥିଲା।

ସେରେନା କହିଛନ୍ତି, "ଏଠାରେ ରହିବା ସବୁବେଳେ ଅତ୍ୟନ୍ତ ଚମତ୍କାର ଅନୁଭୂତି। ମୁଁ କେବେ ଭାବିନଥିଲି ଯେ ମୁଁ ଏହି କୋର୍ଟକୁ ପୁଣି ଫେରିବି।"

ଜୋକୋଭିକ୍ ଏବଂ ସାବାଲେଙ୍କା ଯୋଡ଼ି ବାଦ ପଡ଼ିଲେ

ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲରେ କେବଳ ସେରେନା-ଆଲକାରାଜ ନୁହଁନ୍ତି, ବରଂ ଆଉ ଏକ ଅତ୍ୟନ୍ତ ଚର୍ଚ୍ଚିତ ଯୋଡ଼ିର ଯାତ୍ରା ମଧ୍ୟ ଶେଷ ହୋଇଯାଇଛି। ନୋଭାକ ଜୋକୋଭିଚ୍ ଏବଂ ଆର୍ଯ୍ୟନା ସାବାଲେଙ୍କା ମଧ୍ୟ ଏହି ପ୍ରତିଯୋଗିତାରୁ ବାହାର ହୋଇଯାଇଛନ୍ତି। ଏହାଦ୍ୱାରା ୟୁଏସ୍ ଓପନର ନୂଆ ମିକ୍ସଡ୍ ଡବଲ୍ସ ଫର୍ମାଟ୍‌ରେ ଅନେକ ବଡ଼ ବଡ଼ ତାରକାଙ୍କ ଉପସ୍ଥିତି ସତ୍ତ୍ୱେ ମୁକାବିଲାର ରୋମାଞ୍ଚ ଅନ୍ତିମ ପର୍ଯ୍ୟାୟରେ ଏକ ଭିନ୍ନ ରୂପ ନେଇସାରିଛି।

ଏହା ମଧ୍ୟ ପଢ଼ନ୍ତୁ:

ଏସିଆ ରଗ୍‌ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେ ୬ ଓଡ଼ିଆ ଖେଳାଳି

ବ୍ରାଜିଲ୍ ପୂର୍ବରୁ ପାନାମା ସହ ଲଢ଼ିବ ଭାରତୀୟ ଫୁଟବଲ୍ ଦଳ; ତାରିଖ ଘୋଷଣା କଲା AIFF