ETV Bharat / sports

The Hundred: ପୁଣି ଚର୍ଚ୍ଚାରେ ପାକିସ୍ତାନର ୧୪ ଖେଳାଳି; ବୋଲି ଲଗାଇବେ ଭାରତୀୟ ମାଲିକାନା ଥିବା ଟିମ୍?

ଇଂଲଣ୍ଡର ଲୋକପ୍ରିୟ କ୍ରିକେଟ୍ ଲିଗ୍ 'ଦ ହଣ୍ଡ୍ରେଡ୍'ର ଆଗାମୀ ସିଜନ୍ ପାଇଁ ନିଲାମ ପ୍ରକ୍ରିୟାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।

The Hundred Auction
'ଦ ହଣ୍ଡ୍ରେଡ୍' ଲିଗ୍ ନିଲାମ ପ୍ରକ୍ରିୟାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା (IANS)
author img

By ETV Bharat Sports Team

Published : March 3, 2026 at 4:55 PM IST

2 Min Read
Choose ETV Bharat

The Hundred Auction: ଇଂଲଣ୍ଡର ଲୋକପ୍ରିୟ କ୍ରିକେଟ୍ ଲିଗ୍ 'ଦ ହଣ୍ଡ୍ରେଡ୍' (The Hundred) ର ଆଗାମୀ ସିଜନ୍ ପାଇଁ ନିଲାମ ପ୍ରକ୍ରିୟାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଚଳିତ ବର୍ଷ ୨୪୭ ଜଣ ଖେଳାଳିଙ୍କ ତାଲିକାରେ ୧୪ ଜଣ ପାକିସ୍ତାନୀ ଖେଳାଳି ସ୍ଥାନ ପାଇଛନ୍ତି। ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ କୌତୁହଳ ବଢ଼ିବାରେ ଲାଗିଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ଟିମ୍‌ଗୁଡ଼ିକର ମାଲିକାନା ଭାରତୀୟଙ୍କ ହାତରେ ଅଛି ସେମାନେ କ'ଣ ଏହି ପାକିସ୍ତାନୀ ଖେଳାଳିଙ୍କ ଉପରେ ଭରସା କରିବେ।

ହାରିସ୍ ରୌଫ୍‌ଙ୍କ ଉପରେ ନଜର, ଟପ୍-୫୦ରେ ୬ ପାକିସ୍ତାନୀ

ଏଥର ନିଲାମରେ ପାକିସ୍ତାନୀ ବୋଲର ହାରିସ୍ ରୌଫ୍ ସବୁଠୁ ବଡ଼ ନାମ ଭାବରେ ଉଭା ହୋଇଛନ୍ତି। ତାଙ୍କୁ 'ମାର୍କି ପ୍ଲେୟାର୍ସ ଇଣ୍ଟରନ୍ୟାସନାଲ୍' ବର୍ଗରେ ରଖାଯାଇଛି। ଯାହାର ବେସ୍ ପ୍ରାଇସ୍ ବା ସର୍ବନିମ୍ନ ମୂଲ୍ୟ ୧ ଲକ୍ଷ ପାଉଣ୍ଡ ଧାର୍ଯ୍ୟ କରାଯାଇଛି। ଏହି ଶ୍ରେଣୀରେ ସୁନୀଲ ନାରିନ୍ ଏବଂ ଡେଭିଡ୍ ମିଲରଙ୍କ ଭଳି ଦିଗ୍‌ଗଜ ଖେଳାଳି ମଧ୍ୟ ରହିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରେଷ୍ଠ ୫୦ ଜଣ ଖେଳାଳିଙ୍କ ତାଲିକାରେ ପାକିସ୍ତାନର ୬ ଜଣ ଖେଳାଳି ଅଛନ୍ତି। ଶାହିନ୍ ଆଫ୍ରିଦି, ଶଦାବ ଖାନ, ଉସମାନ ତାରିଖ, ସାଇମ୍ ଆୟୁବ ଓ ଅବ୍ରାର ଅହମ୍ମଦଙ୍କ ଭଳି ଖେଳାଳିଙ୍କ ସଂଖ୍ୟା ଅନ୍ୟ ଯେକୌଣସି ବିଦେଶୀ ଦେଶ ତୁଳନାରେ ସର୍ବାଧିକ।

'ସ୍ୟାଡୋ ବ୍ୟାନ୍' ଚର୍ଚ୍ଚା ଓ ECB ର ସ୍ପଷ୍ଟୀକରଣ

କିଛି ଦିନ ହେବ ଗୁଜବ ଉଠୁଥିଲା ଯେ, ଆଇପିଏଲ୍ (IPL) ଫ୍ରାଞ୍ଚାଇଜ୍ ସହ ଜଡ଼ିତ ମାଲିକମାନେ (MI ଲଣ୍ଡନ, ସନରାଇଜର୍ସ ଲିଡ୍ସ, ମାଞ୍ଚେଷ୍ଟର ସୁପର ଜଏଣ୍ଟସ) ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ଦୂରେଇ ରହିପାରନ୍ତି । ଏହାକୁ 'ସ୍ୟାଡୋ ବ୍ୟାନ୍' ବୋଲି କୁହାଯାଉଥିଲା ।

କିନ୍ତୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ECB) ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି । ବୋର୍ଡ ସ୍ପଷ୍ଟ କରିଛି ଯେ, ନିଲାମରେ ଜାତି କିମ୍ବା ଦେଶ ଆଧାରରେ କାହାକୁ ବାଦ୍ ଦିଆଯିବ ନାହିଁ । ଜଣେ ଖେଳାଳି କେବଳ ତାଙ୍କର ପ୍ରଦର୍ଶନ ଏବଂ ଉପଲବ୍ଧତା ଆଧାରରେ ହିଁ ଦଳରେ ଚୟନ ହେବେ ।

ପୁଣି ମିଳିବ କି ସୁଯୋଗ?

ଗତ ୨୦୨୫ ସିଜନ୍‌ରେ ଜଣେ ହେଲେ ପାକିସ୍ତାନୀ ଖେଳାଳିଙ୍କୁ କୌଣସି ଦଳ କିଣି ନଥିଲେ । ୨୦୨୩ ଏବଂ ୨୦୨୪ରେ କିନ୍ତୁ ଅନେକ ଖେଳାଳି ଏହି ଲିଗ୍ ଖେଳିଥିଲେ । ଏଥର ସମସ୍ୟା ହେଉଛି ପାକିସ୍ତାନର ଟେଷ୍ଟ ସିରିଜ୍ ଏବଂ ‘ଦ ହଣ୍ଡ୍ରେଡ୍’ ପ୍ରାୟ ସମାନ ସମୟରେ ହେଉଛି । ତେଣୁ ଖେଳାଳିମାନେ ପୂରା ସିଜନ୍ ପାଇଁ ଉପଲବ୍ଧ ହେବେ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ରହିଛି ।

ବର୍ତ୍ତମାନ ସମସ୍ତଙ୍କ ନଜର ଆଗାମୀ ନିଲାମ ଉପରେ । ଦେଖିବାକୁ ବାକି ରହିଲା, ଏହି ୧୪ ଜଣଙ୍କ ଭିତରୁ କେତେଜଣଙ୍କ ଉପରେ କୋଟି କୋଟି ଟଙ୍କାର ବର୍ଷା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ:

ଦୁବାଇରେ ଫସିବା ପରେ ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ: ଅଧାରେ ରହିଗଲା ଅଲ୍ ଇଂଲଣ୍ଡ ଓପନ୍ ଖେଳିବା ସ୍ୱପ୍ନ

ଟି-୨୦ ବିଶ୍ୱକପ୍ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ; କାହାର ପଲା ଭାରି?

ଟି-୨୦ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ: ବାବର, ଶାହିନ୍ ଓ ସଲମାନଙ୍କୁ ପିସିବିର ମୋଟା ଅଙ୍କର ଜରିମାନା