ETV Bharat / sports

TG20: ଲଗାତାର ୪ର୍ଥ ବିଜୟ ସହ ଟିଜି-୨୦ ଲିଗ୍ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଲା ହାଇଦ୍ରାବାଦ ଇ-ଚାମ୍ପିଅନ୍ସ

TG20 League: ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ଦଳ ଅନଭିତା ଖମ୍ମମ ଏସେସ୍ କୁ ୫୬ ରନ୍‌ରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି।

Hyderabad e Champions Beat Khammam Aces to Stay Unbeaten
ହାଇଦ୍ରାବାଦ ଇ-ଚାମ୍ପିଅନ୍ସର କ୍ରମାଗତ ଚତୁର୍ଥ ବିଜୟ (Etv Bharat)
author img

By ETV Bharat Sports Team

Published : June 30, 2026 at 9:39 AM IST

2 Min Read
Choose ETV Bharat

TG20 League: ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ଟିଜି-୨୦ ଲିଗ୍‌ରେ ନିଜର ବିଜୟ ଧାରା ବଜାୟ ରଖିଛି। ଦଳ ଅନଭିତା ଖମ୍ମମ ଏସେସ୍ କୁ ୫୬ ରନ୍‌ରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ୯ ୱିକେଟ୍ ହରାଇ ୨୧୧ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ବିପକ୍ଷ ଦଳ ୯ ୱିକେଟ୍ ହରାଇ ମାତ୍ର ୧୫୫ ରନ୍ କରିପାରିଥିଲା। ଅନଭିତା ଖମ୍ମମ ଏସେସ୍ ର ଅଧିନାୟକ କୋଡିମେଲା ହିମତେଜା ୬୪ ରନ୍‌ର ଏକ ଚମତ୍କାର ପାଳି ଖେଳିଥିଲେ ମଧ୍ୟ ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ଅଧିନାୟକଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରିନଥିଲେ। କାରଣ ହାଇଦ୍ରାବାଦ ଇ-ଚାମ୍ପିଅନ୍ସର ବୋଲରମାନେ ଅତ୍ୟନ୍ତ ଶୃଙ୍ଖଳିତ ବୋଲିଂ କରିଥିଲେ।

ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ପକ୍ଷରୁ ଶ୍ରୀନିକେତ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୨୮ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ଅଜୟ ଦେବ ଗୌଡ଼ (୩୬ ରନ୍‌ରେ ୨ ୱିକେଟ୍) ଏବଂ ଗାଡୁଗୁ ଗଣେଶ (୨ ରନ୍‌ରେ ୨ ୱିକେଟ୍) ଭରପୂର ସହଯୋଗ କରିଥିଲେ।

ସୋମବାର ଦିନ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ଲିଗ୍‌ର ଏକ ମ୍ୟାଚ୍‌ରେ ଅଧିନାୟକ ଅଭିରଥ ରେଡ୍ଡୀଙ୍କ ଆକ୍ରମଣାତ୍ମକ ୫୯ ରନ୍‌ର ପାଳି ବଳରେ ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ୨୧୧ ରନ୍‌ର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଓପନର ଅଭିରଥ ଏବଂ ସାଈ ବିକାଶ ରେଡ୍ଡୀ (୨୦ ବଲ୍‌ରୁ ୨୨ ରନ୍) ପ୍ରଥମ ୱିକେଟ୍ ପାଇଁ ମାତ୍ର ୬.୫ ଓଭରରେ ୭୬ ରନ୍ ଯୋଡ଼ି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।

ଅଭିରଥ ଏବଂ ବିକାଶ ରେଡ୍ଡୀ ଅନଭିତା ଖମ୍ମମ ଏସେସ୍ ର ଦୁର୍ବଳ ବୋଲିଂ ଆକ୍ରମଣର ସୁଯୋଗ ନେଇ ପଡ଼ିଆର ଚାରିଆଡ଼େ ଚମତ୍କାର ସଟ୍ ଖେଳିଥିଲେ। ଅଭିରଥ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରଥିବାବେଳେ, ବିକାଶ ତାଙ୍କୁ ଉପଯୁକ୍ତ ସହଯୋଗ କରିଥିଲେ। ବେଦ ରେଡ୍ଡୀଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହୋଇ ଅଭିରଥ ପ୍ରଥମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ସେ ନିଜର ୨୬ ବଲ୍‌ର ଇନିଂସରେ ୫ଟି ଚୌକା ଓ ୫ଟି ଛକା ମାରିଥିଲେ। ଏହାପରେ ବିକାଶଙ୍କୁ ଅନ୍ଵିତ ରେଡ୍ଡୀ (୨୧ ବଲ୍‌ରୁ ୩୨ ରନ୍) ଏକ ଭଲ ବ୍ୟାଟିଂ ସାଥୀ ଭାବେ ମିଳିଥିଲେ। ଯିଏ ନିଜର ଭୂମିକାକୁ ସୁନ୍ଦର ଭାବେ ତୁଲାଇଥିଲେ। ଷ୍ଟାଡିୟମରେ ଚୌକା ଓ ଛକାର ବର୍ଷା ଦେଖି ଦର୍ଶକମାନେ ଖୁବ୍ ଉପଭୋଗ କରିଥିଲେ।

ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ୯୩ ରନ୍‌ରେ ନିଜର ଦ୍ୱିତୀୟ ୱିକେଟ୍ ହରାଇଥିଲା। ଶନ୍ମୁଖ ଅଶ୍ୱିନ ୧୯ ରନ୍‌ର ଏକ ଛୋଟ ପାଳି ଖେଳିଥିଲେ। ଅନ୍ଵିତ ରେଡ୍ଡୀ (୨ଟି ଚୌକା ଓ ଗୋଟିଏ ଛକା ସହ) ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିବା ପରେ ଦଳ ୧୫୨ ରନ୍‌ରେ ଚତୁର୍ଥ ୱିକେଟ୍ ହରାଇଥିଲା। ଶେଷ ଆଡ଼କୁ ଗାଡୁଗୁ ଗଣେଶଙ୍କ (୨୧ ବଲ୍‌ରୁ ୪୪ ରନ୍) ବିସ୍ଫୋରକ ବ୍ୟାଟିଂ ଦଳକୁ ୨୦୦ ରନ୍‌ର ଗଣ୍ଡି ପାର୍ କରାଇବାରେ ସାହାଯ୍ୟ କରିଥିଲା। ସେ ୩ଟି ଚୌକା ଓ ୩ଟି ଛକା ମାରିଥିଲେ।

ଅନଭିତା ଖମ୍ମମ ଏସେସ୍ ପକ୍ଷରୁ ବେଦ ରେଡ୍ଡୀ, ସାକେତ ଧାତ୍ରକ ଓ ସାହେନ୍ଦ୍ର ମାଲ୍ଲୁ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ହାଇଦ୍ରାବାଦ ଇ-ଚାମ୍ପିଅନ୍ସ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଦଳ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ୱାରଙ୍ଗଲ ୱାରିୟର୍ସ ସହ ମୁକାବିଲା କରିବ।

ଏହା ମଧ୍ୟ ପଢ଼ନ୍ତୁ:

TG20 League: ମେଡାକ୍ ଫାଲକନ୍ସକୁ 46 ରନରେ ପରାସ୍ତକରି ହାଇଦ୍ରାବାଦ ଇ ଚାମ୍ପିଅନ୍ସର କ୍ରମାଗତ ତୃତୀୟ ବିଜୟ