ବିଶ୍ୱକପ୍ ପାଇଁ ଗୌତମ ଗମ୍ଭୀରଙ୍କ ମାଷ୍ଟର ପ୍ଲାନ; ଶ୍ରେୟସ ଆୟରଙ୍କ ସ୍ଥାନ ନେଇପାରନ୍ତି ଏହି ଷ୍ଟାର୍ ଖେଳାଳି
ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ବର୍ତ୍ତମାନଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି।

Published : August 30, 2026 at 3:53 PM IST
ହାଇଦ୍ରାବାଦ: ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ବର୍ତ୍ତମାନଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦଳର ସବୁଠାରୁ ଅଧିକ ଚିନ୍ତା ମିଡିଲ୍ ଅର୍ଡରକୁ ନେଇ ଥିବାରୁ ମ୍ୟାନେଜମେଣ୍ଟ ଶ୍ରେୟସ ଆୟରଙ୍କ ବିକଳ୍ପ ଚାହୁଁଛି। ଏହି ବିକଳ୍ପ ଖେଳାଳିଙ୍କ ଦୌଡ଼ରେ ତିଲକ ବର୍ମାଙ୍କ ନାମ ସାମ୍ନାକୁ ଆସିଛି। ଟିମ୍ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାମାନେ ତିଲକଙ୍କୁ ଟପ୍-୬ରେ ଆୟରଙ୍କ ବ୍ୟାକଅପ୍ ଭାବେ ପ୍ରସ୍ତୁତ କରିବାକୁ ବିଚାର କରୁଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଥିବାରୁ ତିଲକ ବ୍ୟାଟିଂ କ୍ରମରେ ଆବଶ୍ୟକୀୟ ସନ୍ତୁଳନ ମଧ୍ୟ ଆଣିପାରିବେ। କେବେଳ ଏତିକି ନୁହେଁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଅଫ୍-ସ୍ପିନ୍ ବୋଲିଂକୁ ମଧ୍ୟ ସୁଧାରିବାକୁ ଚାହୁଁଛି, ଯଦ୍ୱାରା ଆବଶ୍ୟକ ସମୟରେ ସେ ଏକ ଉପଯୋଗୀ ବୋଲିଂ ବିକଳ୍ପ ସାଜିପାରିବେ।
TOI ର ରିପୋର୍ଟ ଅନୁଯାୟୀ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ଶୁବମନ ଗିଲ୍ଙ୍କୁ ଲାଗୁଛି ଯେ ମିଡିଲ୍ ଅର୍ଡର ପାଇଁ ବର୍ତ୍ତମାନ ସୁଦ୍ଧା ଏମିତି କୌଣସି ବ୍ୟାକଅପ୍ ପ୍ରସ୍ତୁତ ନାହାନ୍ତି, ଯାହାଙ୍କ ଉପରେ ବଡ଼ ଟୁର୍ଣ୍ଣାମେଣ୍ଟରେ ଭରସା କରାଯାଇପାରିବ। ସବୁଠାରୁ ବଡ଼ ଚିନ୍ତା ଅଲରାଉଣ୍ଡର ବିକଳ୍ପଗୁଡ଼ିକୁ ନେଇ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଓ ନୀତିଶ କୁମାର ରେଡ୍ଡୀଙ୍କ ଖରାପ ଫିଟ୍ନେସ୍କୁ ଦେଖି ଦଳ ଏମିତି ଜଣେ ଖେଳାଳି ଚାହୁଁଛି, ଯିଏ ଟପ୍-୬ରେ ବ୍ୟାଟିଂ କରିବା ସହ ଆବଶ୍ୟକ ପଡ଼ିଲେ ପ୍ରାୟ ଚାରି ଓଭର ବୋଲିଂ ମଧ୍ୟ କରିପାରିବେ। ବିଗତ କିଛି ମ୍ୟାଚ୍ ସମୟରେ ଭାରତୀୟ ଦଳକୁ ପ୍ଲେଇଂ ଇଲେଭେନ୍ର ସନ୍ତୁଳନ ରଖିବା ପାଇଁ ଅକ୍ଷର ପଟେଲ କିମ୍ବା ୱାଶିଂଟନ ସୁନ୍ଦରଙ୍କୁ ବ୍ୟାଟିଂ କ୍ରମରେ ଉପରକୁ ପଠାଇବାକୁ ପଡ଼ିଛି। ଟିମ୍ ମ୍ୟାନେଜମେଣ୍ଟ ବର୍ତ୍ତମାନ ଏହାର ବିକଳ୍ପ ଉପରେ କାମ କରୁଛି।
🚨 TILAK VARMA IN WORLD CUP 2027 PLANS 🇮🇳⏳
— Johns. (@CricCrazyJohns) August 30, 2026
- Indian team management & selectors are looking at Tilak Varma as the potential backup for Shreyas Iyer in ODIs. [Arani Basu] pic.twitter.com/zig9388STc
କହି ରଖୁଛୁ ଯେ ଭାରତୀୟ ଟପ୍ ଅର୍ଡରରେ ଡାହାଣହାତୀ ବ୍ୟାଟ୍ସମ୍ୟାନମାନଙ୍କ ସଂଖ୍ୟା ଅଧିକ ରହିଛି। ଏଭଳି ପରିସ୍ଥିତିରେ ତିଲକ ବର୍ମା ଦଳରେ ସାମିଲ ହେବା ଦ୍ୱାରା ବିପକ୍ଷ ଦଳ ପାଇଁ ବୋଲିଂର ଆଙ୍ଗେଲ୍ ଏବଂ ରଣନୀତି ବଦଳାଇବାକୁ ବାଧ୍ୟ କରିପାରେ। ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଅଫ୍-ସ୍ପିନ୍କୁ ମଧ୍ୟ ଗମ୍ଭୀରତାର ସହ ଦେଖୁଛି। ଯଦି ତିଲକ କ୍ରମାଗତ ଭାବେ ନିଜ ବୋଲିଂ ଉପରେ କାମ କରନ୍ତି ଏବଂ ଚାରି-ପାଞ୍ଚ ଓଭର ପାଇଁ ଏକ ଭରସାଯୋଗ୍ୟ ବିକଳ୍ପ ସାଜନ୍ତି, ତେବେ ସେ ଦିନିକିଆ ଦଳର କମ୍ବିନେସନରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ।
ଭାରତୀୟ ଚୟନକର୍ତ୍ତାମାନେ ବର୍ତ୍ତମାନ ବ୍ୟାଟ୍ସମ୍ୟାନମାନଙ୍କୁ ଆବଶ୍ୟକତା ଅନୁଯାୟୀ ଅଲଗା ଅଲଗା ନମ୍ବରରେ ଖେଳାଇବା ପରିବର୍ତ୍ତେ ସେମାନଙ୍କର ସ୍ୱାଭାବିକ ଭୂମିକା ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଗତ ବର୍ଷ ଋତୁରାଜ ଗାଏକ୍ୱାଡ୍ଙ୍କୁ ୪ ନମ୍ବର ସ୍ଥାନରେ ଖେଳାଯାଇଥିଲା। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାୟପୁରଠାରେ ଶତକ ମଧ୍ୟ ହାସଲ କରିଥିଲେ, କିନ୍ତୁ ଏହା ପରେ ସେ ଦିନିକିଆ ଦଳରେ ନଜର ଆସି ନାହାନ୍ତି। ଟିମ୍ ମ୍ୟାନେଜମେଣ୍ଟର ଅନୁସାରେ ଯଦି କୌଣସି ଖେଳାଳି ଓପନିଂରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି, ତେବେ ତାଙ୍କୁ ସେହି ଭୂମିକା ପାଇଁ ପ୍ରସ୍ତୁତ କରିବା ଅଧିକ ଭଲ। ଏହି କାରଣରୁ ଦେବଦତ୍ତ ପାଡିକ୍କଲଙ୍କୁ ମଧ୍ୟ ଶୀଘ୍ର ଦିନିକିଆ ସେଟ୍ଅପ୍ ଭିତରକୁ ଆଣିବାରୁ ଦୂରେଇ ରଖାଯାଉଛି।
🏮 SENIOR PLAYERS FITNESS CONCERN! 🤯
— VK (@Aur_vicky) August 30, 2026
According to Times of India report that senior players fitness concern for ODI World Cup
- Rohit sharma Virat Kohli, ravindra jadeja & KL RAHUL can face fitness concern
- Management preparing young backup player like Tilak varma for… pic.twitter.com/lvACpWz1oI
ଆଗାମୀ କ୍ରିକେଟ୍ ବିଶ୍ୱକପ୍ ଆଫ୍ରିକୀୟ ମହାଦ୍ୱୀପରେ ହେବାକୁ ଥିବାରୁ, ଟିମ୍ ମ୍ୟାନେଜମେଣ୍ଟ ଏବେଠାରୁ ସେଠାକାର ପରିସ୍ଥିତିକୁ ଧ୍ୟାନରେ ରଖି ବିକଳ୍ପ ପ୍ରସ୍ତୁତ କରିବାକୁ ଚାହୁଁଛି। ଦ୍ରୁତ ବୋଲିଂ ଏବଂ ବାଉନ୍ସ ବିପକ୍ଷରେ ବ୍ୟାଟ୍ସମ୍ୟାନମାନଙ୍କର ଦକ୍ଷତା ମଧ୍ୟ ଦଳର ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଶ୍ରେୟସ ଆୟର ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆହତ ହୋଇଥିଲେ। ଶର୍ଟ ପିଚ୍ ବଲ୍ ବିପକ୍ଷରେ ଶ୍ରେୟସଙ୍କ ଦୁର୍ବଳତାକୁ ନେଇ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ଯେତେବେଳେ କି କେଏଲ୍ ରାହୁଲ ମଧ୍ୟ ବିଶ୍ୱକପ୍ ବେଳକୁ ୩୫ ବର୍ଷରୁ ଅଧିକ ବୟସ୍କ ହୋଇଯାଇଥିବେ।

