ETV Bharat / sports

ZIM vs WI: ଆଜି ୱେଷ୍ଟଇଣ୍ଡିଜ୍ ସହ ଜିମ୍ବାୱେର ଲଢ଼େଇ; ଆଉ ଏକ ବିପର୍ଯ୍ୟୟ ଘଟାଇବ କି 'ରାଜା'ଙ୍କ ବାହିନୀ?

Zimbabwe vs West Indies: ସୋମବାର ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଦୁଇ ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାୱେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

T20 World Cup Today Match Zimbabwe vs West Indies
ଆଜି ୱେଷ୍ଟଇଣ୍ଡିଜ୍ ସହ ଜିମ୍ବାୱେର ଲଢ଼େଇ (IANS)
author img

By ETV Bharat Sports Team

Published : February 23, 2026 at 11:49 AM IST

2 Min Read
Choose ETV Bharat

T20 World Cup Today Match: ଚଳିତ ଟି-୨୦ ବିଶ୍ୱକପ୍‌ରେ ‘ସୁପର-୮’ ର ରୋମାଞ୍ଚକର ପର୍ଯ୍ୟାୟ ଜାରି ରହିଛି। ସୋମବାର ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଦୁଇ ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାୱେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସନ୍ଧ୍ୟା ୭ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଜିମ୍ବାୱେର ଯୁବ ବାହିନୀ ପୁଣିଥରେ କୌଣସି ବଡ଼ ଓଲଟଫେର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।

ବିଶ୍ୱକପରେ ଜିମ୍ବାୱେର ଚମତ୍କାର ଯାତ୍ରା

ଚଳିତ ବିଶ୍ୱକପ୍‌ରେ ଜିମ୍ବାୱେ ଦଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୨୦୨୪ ସଂସ୍କରଣରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିବା ଏହି ଆଫ୍ରିକୀୟ ଦଳ, ଚଳିତ ବର୍ଷ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ପରି ପୂର୍ବତନ ଚାମ୍ପିଅନମାନଙ୍କୁ ହରାଇ ସମସ୍ତଙ୍କ ନଜରକୁ ଆସିଛି। ବିଶେଷ କରି ଅଭିଜ୍ଞ ବ୍ୟାଟର ବ୍ରେଣ୍ଡନ ଟେଲର ଆହତ କାରଣରୁ ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ବ୍ରାଏନ୍ ବେନେଟ୍‌ଙ୍କ ଦମଦାର ବ୍ୟାଟିଂ ଦଳକୁ ଶୀର୍ଷରେ ପହଞ୍ଚାଇଛି। ବେନେଟ୍ ଗତ ଦୁଇଟି ମ୍ୟାଚରେ ଲଗାତାର ଅର୍ଦ୍ଧଶତକ ହାସଲ କରି ନିଜର ଫର୍ମ ଜାରି ରଖିଛନ୍ତି।

କ୍ୟାପଟେନ ସିକନ୍ଦର ରାଜା ବୋଲିଂରେ ସେତେଟା ସଫଳ ହୋଇନଥିଲେ ବି ନିଜର ଚତୁର ନେତୃତ୍ୱ ଓ ବ୍ୟାଟିଂ ଦ୍ୱାରା ଦଳକୁ ଏକଜୁଟ କରିବାରେ ସଫଳ ହୋଇଛନ୍ତି। ବୋଲିଂରେ ବ୍ଲେସିଂ ମୁଜାରାବାନୀ ଏବଂ ବ୍ରାଡ୍ ଇଭାନ୍ସ ବିପକ୍ଷ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି।

ଚମତ୍କାର ଫର୍ମରେ ଅଛି ୱେଷ୍ଟଇଣ୍ଡିଜ୍ ଟିମ୍

ଅନ୍ୟପଟେ ଦୁଇଥରର ବିଶ୍ୱ ଚାମ୍ପିୟନ ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନ ଭୟଙ୍କର ଫର୍ମରେ ଅଛି। ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡ, ଇଟାଲୀ, ସ୍କଟଲାଣ୍ଡ ଓ ନେପାଳକୁ ହରାଇ ଏହି ଦଳ ଅପରାଜେୟ ରହିଛି। ସାଇ ହୋପ୍‌ଙ୍କ ନେତୃତ୍ୱରେ କାରିବିଆନ୍ ବୋଲରମାନେ ୱିକେଟ୍ ବର୍ଷା କରୁଛନ୍ତି। ଗ୍ରୁପ୍ ପର୍ଯ୍ୟାୟରେ ଏହି ବୋଲର ମାନେ ସର୍ବାଧିକ ୩୮ଟି ୱିକେଟ୍ ଅକ୍ତିଆର କରିଛନ୍ତି, ଯାହା ଦଳର ଶକ୍ତିଶାଳୀ ବୋଲିଂ ଆଟାକର ପ୍ରମାଣ ଦେଉଛି।

ହେଡ୍ ଟୁ ହେଡ୍ ରେକର୍ଡ (Head-to-Head)

ଯଦି ପରିସଂଖ୍ୟାନକୁ ଦେଖିବା ତେବେ ୱେଷ୍ଟଇଣ୍ଡିଜ୍‌ର ପଲା ଭାରି ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରୁ ୱେଷ୍ଟଇଣ୍ଡିଜ୍ ୩ଟି ଜିତିଥିବା ବେଳେ ଜିମ୍ବାୱେ ମାତ୍ର ଗୋଟିଏ ବିଜୟ ପାଇଛି। କିନ୍ତୁ ଆଜିର ମ୍ୟାଚ୍‌ରେ ଜିମ୍ବାୱେ ପାଖରେ ସେହି ଗୋଟିଏ ବିଜୟର ଆତ୍ମବିଶ୍ୱାସ ରହିବ।

କିପରି ରହିଛି ଦୁଇ ଦଳର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:

ଜିମ୍ବାୱେ ଦଳର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ବ୍ରାଏନ୍ ବେନେଟ୍, ଟାଡିୱାନାଶେ ମାରୁମାନି (ୱିକେଟ୍ କିପର୍), ରିଆନ୍ ବର୍ଲ୍, ସିକନ୍ଦର ରାଜା (ଅଧିନାୟକ), ଡିଅନ୍ ମାୟର୍ସ, ଟୋନି ମୁନିଙ୍ଗା, ତଶିଙ୍ଗା ମୁସେକିୱା, ୱେଲିଙ୍ଗଟନ୍ ମାସାକାଡ୍ଜା, ବ୍ରାଡ ଇଭାନ୍ସ, ରିଚାର୍ଡ ନାଗର୍ଭା, ବ୍ଲେସିଂ ମୁଜାରାବାନୀ।

ୱେଷ୍ଟଇଣ୍ଡିଜ୍ ଦଳର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ବ୍ରେଣ୍ଡନ୍ କିଙ୍ଗ, ଶାଇ ହୋପ୍ (ୱିକେଟ୍ କିପର୍/ଅଧିନାୟକ), ଶିମ୍ରନ୍ ହେଟମିର୍, ରୋଷ୍ଟନ୍ ଚେଜ୍, ଶେର୍ଫେନ୍ ରୁଦରଫୋର୍ଡ, ରୋଭମନ ପାୱେଲ, ଜେସନ ହୋଲ୍ଡର, ରୋମାରିଓ ଶେଫର୍ଡ, ଅକିଲ ହୋସେନ, ଗୁଦାକେଶ ମୋଟି, ଶାମର ଜୋସେଫ।

ୱାଙ୍ଖେଡେର ବ୍ୟାଟିଂ ଅନୁକୂଳ ପିଚ୍‌ରେ ଏହି ଦୁଇ ଦଳର ସଂଘର୍ଷ ବେଶ୍ ଜମିବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:

T20 World Cup 2026: ସେମିଫାଇନାଲ୍ ରେସରୁ ବାଦ୍ ପଡ଼ିବ କି ଭାରତ? ଏହା ରହିଛି ଦଳ ପାଇଁ ଶେଷ ରାସ୍ତା

SA VS IND: ଟିମ୍ ଚୟନକୁ ନେଇ ଗମ୍ଭୀର ଓ ସୂର୍ଯ୍ୟଙ୍କ ଉପରକୁ ବର୍ଷିଲେ ଅଶ୍ୱିନ; କହିଲେ- ଭାରତ ହାରିବାର ସବୁଠୁ ବଡ଼ କାରଣ