T20 World Cup: ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଯଦି ବର୍ଷାରେ ଧୋଇଯାଏ, ତେବେ କିଏ ପାଇବ ସେମିଫାଇନାଲ୍ ଟିକେଟ୍?
୧ ମାର୍ଚ୍ଚରେ କଲିକତାର ଐତିହାସିକ ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚ୍ଟି କେବଳ ଏକ ସାଧାରଣ ମ୍ୟାଚ୍ ନୁହେଁ ବରଂ ଏହା ଏକ 'ଭର୍ଚୁଆଲ୍ କ୍ୱାର୍ଟର ଫାଇନାଲ୍'।

Published : February 27, 2026 at 11:45 AM IST
India vs West Indies match: ଟି-୨୦ ବିଶ୍ୱକପ୍ ୨୦୨୬ର ରୋମାଞ୍ଚ ଏବେ ଚରମ ସୀମାରେ ପହଞ୍ଚିଛି। ଆସନ୍ତା ମାର୍ଚ୍ଚ ୧ ତାରିଖରେ କଲିକତାର ଐତିହାସିକ ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚ୍ଟି କେବଳ ଏକ ସାଧାରଣ ମ୍ୟାଚ୍ ନୁହେଁ, ବରଂ ଏହା ଏକ 'ଭର୍ଚୁଆଲ୍ କ୍ୱାର୍ଟର ଫାଇନାଲ୍'। ଯିଏ ଜିତିବ, ସେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। କିନ୍ତୁ କ୍ରୀଡ଼ାପ୍ରେମୀଙ୍କ ମନରେ ଏବେ ଗୋଟିଏ ବଡ଼ ପ୍ରଶ୍ନ – ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ କ’ଣ ହେବ?
ସମାନ ପଏଣ୍ଟ, କିନ୍ତୁ ରନ୍-ରେଟ୍ରେ ଫରକ
ବର୍ତ୍ତମାନ ଗ୍ରୁପ୍-୧ ପଏଣ୍ଟ ଟେବୁଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଉଭୟଙ୍କ ପାଖରେ ୨ ପଏଣ୍ଟ ଲେଖାଏଁ ରହିଛି। କିନ୍ତୁ ଭଲ ନେଟ୍ ରନ୍-ରେଟ୍ (+୧.୭୯୧) ଯୋଗୁଁ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତ (-୦.୧୦୦) ତୃତୀୟ ସ୍ଥାନରେ ରହିଛି। ଆଇସିସି (ICC) ନିୟମ ଅନୁସାରେ, ଯଦି ମ୍ୟାଚ୍ ବାତିଲ ହୁଏ ତେବେ ଉଭୟ ଦଳକୁ ସାମନ ୧ ପଏଣ୍ଟ ଲେଖାଁଏ ମିଳିବ। ଏଭଳି ସ୍ଥିତିରେ ଦୁଇ ଦଳର ପଏଣ୍ଟ ୩ ହୋଇଯିବ, କିନ୍ତୁ ଭଲ ରନ୍-ରେଟ୍ ଆଧାରରେ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲରେ ପହଞ୍ଚିଯିବ ଏବଂ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ।
Who will join South Africa and England in the #T20WorldCup semi-finals? 🔥
— ICC (@ICC) February 27, 2026
More 👉 https://t.co/DAEHvrePfd pic.twitter.com/qA0Zi1YoN9
କ’ଣ କହୁଛି ପାଣିପାଗ ରିପୋର୍ଟ?
ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର ଏହି କି ଯେ, ମାର୍ଚ୍ଚ ୧ ତାରିଖରେ କଲିକତାର ଆକାଶ ନିର୍ମଳ ରହିବାର ସମ୍ଭାବନା ଅଧିକ। ପାଣିପାଗ ବିଭାଗ ଅନୁଯାୟୀ, ଏହି ଦିନ ବର୍ଷାର କୌଣସି ସମ୍ଭାବନା ନାହିଁ। ଏହାର ଅର୍ଥ ହେଉଛି, ପ୍ରଶଂସକମାନେ ଏକ ପୂରା ୨୦ ଓଭରର ଲଢ଼େଇ ଦେଖିବାକୁ ପାଇବେ।
ବିଜୟ ହିଁ ଟିମ୍ ଇଣ୍ଡିଆ ପାଇଁ ଏକମାତ୍ର ରାସ୍ତା
ସମୀକରଣ ବର୍ତ୍ତମାନ ପୂରା ସ୍ପଷ୍ଟ ହୋଇଛି। ସେମିଫାଇନାଲ ଟିକେଟ୍ ପାଇବା ପାଇଁ ଟିମ୍ ଇଣ୍ଡିଆକୁ ଯେକୌଣସି ମୂଲ୍ୟରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିବାକୁ ପଡିବ। ଯଦି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଏ, ତେବେ ୧ ପଏଣ୍ଟ ଲେଖାଁଏ ଦୁଇଦଳ ମଧ୍ୟରେ ବଣ୍ଟାଯିବ। ଏହା ଭାରତର ବିଶ୍ୱକପ୍ ଅଭିଯାନକୁ ସମାପ୍ତ କରିବ।
India stay in the hunt for a #T20WorldCup semis spot with a splendid win over Zimbabwe ✨
— ICC (@ICC) February 26, 2026
📝: https://t.co/XB78VZ8s3p pic.twitter.com/hGL1LzLvmz
ଟିମ୍ ଇଣ୍ଡିଆ ଅସାଧାରଣ ପ୍ରଦର୍ଶନ
ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ବ୍ୟତୀତ, ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତିଛି। ପ୍ରଥମ ସୁପର-୮ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ରେ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ୍ ଜିତିଥିଲା। ନିଜର ଶେଷ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ ୭୨ ରନ୍ରେ ପରାସ୍ତ କରିଛି।
ଦୀର୍ଘ ୧୦ ବର୍ଷ ପରେ ଏହି ଦୁଇ ଦଳ ବିଶ୍ୱକପ୍ରେ ପରସ୍ପରର ସାମ୍ନା କରୁଛନ୍ତି। ଗତଥରର ପରାଜୟର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ସୂର୍ଯ୍ୟକୁମାର ବାହିନୀ ପାଇଁ ଏହା କେବଳ ଜିତିବାର ପ୍ରଶ୍ନ ନୁହେଁ, ବରଂ କୋଟି କୋଟି ଭାରତୀୟଙ୍କ ଆଶାକୁ ବଞ୍ଚାଇ ରଖିବାର ଏକ ବଡ଼ ସୁଯୋଗ।

