T20 World Cup: ପାଲେକେଲେରେ ଆଜି ହାଇଭୋଲ୍ଟେଜ୍ ଲଢ଼େଇ; ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ
T20 World Cup 2026: ଭାରତ ଓ ଶ୍ରୀଲଙ୍କା ମାଟିରେ ଚାଲିଥିବା ୨୦୨୬ ଟି-୨୦ ବିଶ୍ୱକପ୍ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି।

Published : February 24, 2026 at 10:39 AM IST
|Updated : February 24, 2026 at 10:44 AM IST
England vs Pakistan: ଭାରତ ଓ ଶ୍ରୀଲଙ୍କା ମାଟିରେ ଚାଲିଥିବା ୨୦୨୬ ଟି-୨୦ ବିଶ୍ୱକପ୍ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବିଶେଷ କରି ସୁପର-୮ ପର୍ଯ୍ୟାୟରେ ପ୍ରତିଟି ମ୍ୟାଚ୍ ସେମିଫାଇନାଲ୍ ସମୀକରଣକୁ ବଦଳାଇ ଦେଉଛି। ଏହି କ୍ରମରେ ଆଜି ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଶକ୍ତିଶାଳୀ ଦଳ ଇଂଲଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି।
କେଉଁ ଦଳ ପାଇଁ କ’ଣ ରହିଛି ଗୁରୁତ୍ୱ?
ଇଂଲଣ୍ଡ ନିଜର ପ୍ରଥମ ସୁପର-୮ ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କାକୁ ହରାଇ ବେଶ୍ ଆତ୍ମବିଶ୍ୱାସରେ ରହିଛି। ଆଜିର ମ୍ୟାଚ୍ ଜିତି ଦଳ ସେମିଫାଇନାଲ୍ ରେସ୍ରେ ନିଜ ସ୍ଥାନକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ପାକିସ୍ତାନ ପାଇଁ ଏହା 'କର ବା ମର' ପରିସ୍ଥିତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଥିଲା। ତେଣୁ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ହେଲେ ଆଜି ପାକିସ୍ତାନକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ।
More #T20WorldCup intrigue as Pakistan meet England in Kandy 👊
— ICC (@ICC) February 24, 2026
Tournament broadcast details 📲 https://t.co/NPykWM7qqY pic.twitter.com/yhHKPvY8Y8
ପିଚ୍ ରିପୋର୍ଟ
ପାଲେକେଲେର ପିଚ୍ ସାଧାରଣତଃ ସ୍ପିନରଙ୍କ ପାଇଁ ସ୍ୱର୍ଗ। ଖେଳ ଆଗକୁ ବଢ଼ିବା ସହିତ ପିଚ୍ ଧିମା ହୋଇଯାଏ, ଯାହା ବ୍ୟାଟରଙ୍କ ପାଇଁ ବଡ଼ ସଟ୍ ଖେଳିବା କଷ୍ଟକର କରିଥାଏ। ଏଠାରେ ଫାଷ୍ଟ ବୋଲରକୁ ନୂଆ ବଲ୍ରେ ପ୍ରାରମ୍ଭିକ ସୁଇଙ୍ଗ୍ ମିଳିପାରେ। ସ୍ପିନର ମାନେ ମଧ୍ୟ ମିଡିଲ୍ ଓଭରଗୁଡ଼ିକରେ ପ୍ରଭାବଶାଳୀ ସାବ୍ୟସ୍ତ ହେବେ। ଏଠାରେ ୧୬୦ରୁ ୧୭୦ ରନ୍ ଏକ ଭଲ ସ୍କୋର ମାନାଯାଏ।
ପରିସଂଖ୍ୟାନରେ କିଏ ଆଗରେ?
ଆମେ ଯଦି ଉଭୟ ଦଳର ରେକର୍ଡ ଉପରେ ନଜର ପକାଇବା ତେବେ ଇଂଲଣ୍ଡର ପଲା ଭାରି ରହିଛି। ୨୦୦୬ରୁ ଏପର୍ଯ୍ୟନ୍ତ ଦୁଇଟି ଦଳ ମଧ୍ୟରେ ୩୧ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ଇଂଲଣ୍ଡ ଦଳ ୨୧ଟି ଜିତିଥିବା ବେଳେ ପାକିସ୍ତାନ ମାତ୍ର ୯ଟିରେ ବିଜୟୀ ହୋଇଛି।
ଆଜିର ପାଣିପାଗ
ଆଜି ପାଲେକେଲେରେ ପ୍ରାୟ ୨୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ସର୍ବାଧିକ ତାପମାତ୍ରା ୩୪°C ଏବଂ ସର୍ବନିମ୍ନ ୧୯°C ରହିପାରେ। ଖେଳାଳିମାନଙ୍କୁ ଗରମ ଓ ଆଦ୍ରତା ସହ ଲଢ଼ିବାକୁ ପଡ଼ିବ।
Keeping sharp in Kandy, England look ahead to their Pakistan #T20WorldCup challenge 👀
— ICC (@ICC) February 24, 2026
Tournament broadcast details 👉 https://t.co/NPykWM7qqY pic.twitter.com/8aefvXncVD
ଦୁଇ ଦଳର ସମ୍ଭାବ୍ୟ ଏକାଦଶ (Probable XI):
ଇଂଲଣ୍ଡ: ଫିଲ୍ ସଲ୍ଟ, ଜୋସ୍ ବଟଲର (ୱିକେଟ୍ କିପର), ଜାକୋବ୍ ବେଥେଲ, ଟମ୍ ବାଣ୍ଟନ, ହ୍ୟାରି ବ୍ରୁକ୍ (ଅଧିନାୟକ), ସାମ କରନ, ୱିଲ୍ ଜ୍ୟାକ୍ସ, ଜେମି ଓଭରଟନ୍, ଲିଆମ ଡସନ, ଜୋଫ୍ରା ଆର୍ଚ୍ଚର ଓ ଆଦିଲ ରସିଦ।
ପାକିସ୍ତାନ: ସାହିବଜାଦା ଫରହାନ, ସୈମ ଆୟୁବ, ସଲମାନ ଆଘା (ଅଧିନାୟକ), ବାବର ଆଜମ, ଉସମାନ ଖାନ (ୱିକେଟ୍ କିପର), ସଦାବ ଖାନ, ମହମ୍ମଦ ନୱାଜ, ଫାହିମ ଅଶ୍ରଫ, ଶାହିନ ଆଫ୍ରିଦି, ଉସମାନ ତାରିକ, ଅବ୍ରାର ଅହମ୍ମଦ।
କେବେ ଓ କେଉଁଠି ଦେଖିପାରିବେ ମ୍ୟାଚ୍:
ଆଜି ସନ୍ଧ୍ୟା ୭:୦୦ (ଭାରତୀୟ ସମୟ) ସମୟରେ ମ୍ୟାଚ୍ ଆରମ୍ଭ ହେବ। ଏଥି ପାଇଁ ଟସ୍ ସନ୍ଧ୍ୟା ୬:୩୦ରେ ପଡ଼ିବ। ଆପଣ ଏହି ମ୍ୟାଚର ସିଧାପ୍ରସାରଣ ଷ୍ଟାର୍ ସ୍ପୋର୍ଟସ ନେଟୱାର୍କ, ଜିଓ ସିନେମା କିମ୍ବା ଡିଜନୀ+ ହଟଷ୍ଟାରରେ ଦେଖିପାରିବେ।

