ETV Bharat / sports

ENG vs NZ: ଆଜି ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର, ଟି-୨୦ ବିଶ୍ୱକପରୁ ବିଦା ହେବ ପାକିସ୍ତାନ?

ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ସୁପର-୮ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ କେବଳ ଏହି ଦୁଇ ଦଳ ପାଇଁ ନୁହେଁ, ବରଂ ପାକିସ୍ତାନର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବ।

England vs New Zealand Super 8 Match
ଆଜି ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର (IANS)
author img

By ETV Bharat Sports Team

Published : February 27, 2026 at 10:19 AM IST

|

Updated : February 27, 2026 at 10:27 AM IST

2 Min Read
Choose ETV Bharat

England vs New Zealand: ଆଜି କ୍ରିକେଟ୍ ପ୍ରେମୀଙ୍କ ନଜର କଲୋମ୍ବୋର ଆର୍.ପ୍ରେମଦାସା ଷ୍ଟାଡିୟମ୍ ଉପରେ ରହିବ। ଶୁକ୍ରବାର ସନ୍ଧ୍ୟାରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ସୁପର-୮ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଆଜିର ମ୍ୟାଚ୍ କେବଳ ଏହି ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ପାକିସ୍ତାନର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବ। ଯଦି ଆଜି କିୱି ଦଳ ଇଂଲଣ୍ଡକୁ ହରାଇଦିଏ, ତେବେ ପାକିସ୍ତାନ ବିଶ୍ୱକପ୍ ରେସରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିବ।

ସେମିଫାଇନାଲ୍ ସମୀକରଣ: ପାକିସ୍ତାନ ପାଇଁ ବଢିଲା ଚିନ୍ତା

ଇଂଲଣ୍ଡ ପୂର୍ବରୁ ହିଁ ସେମିଫାଇନାଲ୍ ଟିକେଟ୍ ହାସଲ କରିସାରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ବିପକ୍ଷରେ ୬୧ ରନର ବଡ଼ ବିଜୟ ପରେ ବେଶ୍ ଉତ୍ସାହିତ ଅଛି। ବର୍ତ୍ତମାନ ନ୍ୟୁଜିଲାଣ୍ଡର ରନ୍ ରେଟ୍ +୩.୦୫୦ ଥିବାବେଳେ ପାକିସ୍ତାନର ରନ୍ ରେଟ୍ -୦.୪୬୧ ରହିଛି। ପାକିସ୍ତାନ ଆଶା ରଖିଛି ଯେ, ଇଂଲଣ୍ଡ ଆଜି ନ୍ୟୁଜିଲାଣ୍ଡକୁ ଏକ ବଡ଼ ବ୍ୟବଧାନରେ ହରାଉ ଏବଂ ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ବଡ଼ ସ୍କୋରରେ ପରାସ୍ତ କରୁ। କିନ୍ତୁ ଯଦି ଆଜି ନ୍ୟୁଜିଲାଣ୍ଡ ଜିତିଯାଏ, ତେବେ ପାକିସ୍ତାନ ପାଇଁ ସେମିଫାଇନାଲ ଯିବାର ସବୁ ବାଟ ବନ୍ଦ ହୋଇଯିବ।

କିୱି ସ୍ପିନର ବନାମ ଇଂଲିଶ ବ୍ୟାଟର

କଲୋମ୍ବୋର ପିଚ୍ ସାଧାରଣତଃ ସ୍ଲୋ ବୋଲରଙ୍କୁ ସହାୟକ ହୋଇଥାଏ। ଏଭଳି ସ୍ଥିତିରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱରେ ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ ଏବଂ କୋଲ୍ ମ୍ୟାକକୋଞ୍ଚିଙ୍କ ‘ସ୍ପିନ୍ ଚକ୍ରବ୍ୟୁହ’ ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ତେବେ ଇଂଲଣ୍ଡ କ୍ୟାପଟେନ୍ ହ୍ୟାରି ବ୍ରୁକ୍ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ଜୋସ୍ ବଟଲରଙ୍କ ଅଭିଜ୍ଞତା ଦଳ ପାଇଁ ବଡ଼ ସମ୍ବଳ।

ନ୍ୟୁଜିଲାଣ୍ଡ କ୍ରିକେଟର ରଚିନ ରବୀନ୍ଦ୍ର କହିଛନ୍ତି,"ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ଆମେ ହାଲୁକା ଭାବେ ନେଉନାହୁଁ, କିନ୍ତୁ ଶ୍ରୀଲଙ୍କା ବିପକ୍ଷ ବିଜୟ ଆମ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିଛି।"

କ’ଣ କହୁଛି ପିଚ୍ ରିପୋର୍ଟ?

ଖେଳ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସ୍ପିନରମାନଙ୍କୁ ପିଚ୍‌ରୁ ସହାୟତା ମିଳେ, ତେବେ ୧୬୫ ରୁ ୧୭୫ ରନ୍ ଏଠାରେ ଏକ ବିଜୟୀ ସ୍କୋର ହୋଇପାରେ।

କେବେ ଓ କେଉଁଠି ଦେଖିପାରିବେ ମ୍ୟାଚ୍?

ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ସୁପର ୮ ଗ୍ରୁପ-୨ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଫେବ୍ରୁଆରୀ ୨୭ ତାରିଖରେ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ୍ ସନ୍ଧ୍ୟା ୬:୩୦ରେ ପଡ଼ିବ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ବିଭିନ୍ନ ଷ୍ଟାର ସ୍ପୋର୍ଟସ୍ ଚ୍ୟାନେଲରେ ପ୍ରସାରିତ ହେଉଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ସୁପର ୮ ମ୍ୟାଚ୍ ମଧ୍ୟ ଷ୍ଟାର ସ୍ପୋର୍ଟସରେ ଦେଖିପାରିବେ। ଏହା ଛଡ଼ା ଆପଣ JioCinema ଏବଂ Disney+ Hotstar ଆପ୍/ୱେବସାଇଟରେ ଲାଇଭ୍ ଷ୍ଟ୍ରିମିଂର ମଧ୍ୟ ମଜା ନେଇପାରିବେ।

ଦୁଇ ଦଳର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:

ଇଂଲଣ୍ଡ: ଫିଲିପ୍ ସଲ୍ଟ, ଜସ୍ ବଟଲର୍ (ୱିକେଟ୍ କିପର୍), ଜାକବ୍ ବେଥେଲ୍, ଟମ୍ ବାଣ୍ଟନ୍, ହ୍ୟାରି ବ୍ରୁକ୍ (ଅଧିନାୟକ), ସାମ୍ କରନ୍, ୱିଲ୍ ଜ୍ୟାକ୍ସ, ଲିଆମ୍ ଡସନ୍, ଜେମି ଓଭରଟନ୍/ରେହାନ୍ ଅହମ୍ମଦ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍।

ନ୍ୟୁଜିଲାଣ୍ଡ: ଟିମ୍ ସେଫର୍ଟ(ୱିକେଟ୍ କିପର୍), ଫିନ୍ ଆଲେନ୍, ରଚିନ୍ ରବିନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଡାରିଲ୍ ମିଚେଲ୍, ମିଚେଲ୍ ସାଣ୍ଟନର(କ୍ୟାପ୍), କୋଲ୍ ମ୍ୟାକକୋଞ୍ଚି, ମ୍ୟାଟ୍ ହେନରୀ, ଇଶ୍ ସୋଦି, ଲକି ଫର୍ଗୁସନ୍/ଜ୍ୟାକବ୍ ଡଫି।

ଏହା ମଧ୍ୟ ପଢ଼ନ୍ତୁ:

ବାପାଙ୍କୁ ହରାଇଲେ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ; କ୍ୟାନସର ସହ ଲଢ଼େଇରେ ହାରିଗଲେ ଜୀବନ

ଟି-୨୦ ବିଶ୍ୱକପରୁ ବିଦା ହେଲା ଶ୍ରୀଲଙ୍କା; ଅଧିନାୟକ କହିଲେ-'ବାହାରର ନକାରାତ୍ମକତା ଆମକୁ ବୁଡ଼ାଇଲା'

Last Updated : February 27, 2026 at 10:27 AM IST