ETV Bharat / sports

SA VS IND: ଟିମ୍ ଚୟନକୁ ନେଇ ଗମ୍ଭୀର ଓ ସୂର୍ଯ୍ୟଙ୍କ ଉପରକୁ ବର୍ଷିଲେ ଅଶ୍ୱିନ; କହିଲେ- ଭାରତ ହାରିବାର ସବୁଠୁ ବଡ଼ କାରଣ

India vs South Africa: ଆର. ଅଶ୍ୱିନ୍ ଦଳ ଚୟନକୁ ନେଇ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

Ashwin Slams Team Management
ଟିମ୍ ଚୟନକୁ ନେଇ ଗମ୍ଭୀର ଓ ସୂର୍ଯ୍ୟଙ୍କ ଉପରକୁ ବର୍ଷିଲେ ଅଶ୍ୱିନ (IANS)
author img

By ETV Bharat Sports Team

Published : February 23, 2026 at 10:39 AM IST

2 Min Read
Choose ETV Bharat

Ashwin Slams Team Management: ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନ ଭାଙ୍ଗିଯାଇଛି। ୭୬ ରନ୍‌ର ଏହି ବଡ଼ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଏହି କ୍ରମରେ ଭାରତୀୟ ଦଳର ପୂର୍ବତନ ଅଭିଜ୍ଞ ପୂର୍ବତନ ସ୍ପିନର ଆର. ଅଶ୍ୱିନ ଟିମ୍ ମ୍ୟାନେଜମେଣ୍ଟ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ବିଶେଷ କରି ଦଳ ଚୟନକୁ ନେଇ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିଷ୍ପତ୍ତିକୁ ସେ କଡ଼ା ସମାଲୋଚନା କରିଛନ୍ତି।

ଅକ୍ଷର ପଟେଲଙ୍କୁ ବାଦ୍ ଦେବା ସବୁଠୁ ବଡ଼ ଭୁଲ୍?

ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ଏତେ ବଡ଼ ଟୁର୍ଣ୍ଣାମେଣ୍ଟରେ ଅକ୍ଷର ପଟେଲଙ୍କ ଭଳି ଜଣେ ଇନ-ଫର୍ମ ଖେଳାଳିଙ୍କୁ ବାଦ୍ ଦେବା ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦେବା ନିଷ୍ପତ୍ତିକୁ ଅଶ୍ୱିନ ଏକ ‘ବ୍ଲଣ୍ଡର’ ବା ମାରାତ୍ମକ ଭୁଲ୍ ବୋଲି ଅଭିହିତ କରିଛନ୍ତି।

"ଆଇପିଏଲ୍ ଭଳି ଲମ୍ବା ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କୁ ବିଶ୍ରାମ ଦେବା ବା ରୋଟେସନ କରିବା ଠିକ୍, କିନ୍ତୁ ଆଇସିସି ବିଶ୍ୱକପ୍‌ରେ ଦଳର ସ୍ଥିରତା (Stability) ସବୁଠୁ ଗୁରୁତ୍ୱପୂର୍ଣ୍ଣ," ବୋଲି ଅଶ୍ୱିନ କହିଛନ୍ତି।

ସୁନ୍ଦର ବନାମ ଅକ୍ଷର: କ’ଣ କହୁଛି ପରିସଂଖ୍ୟାନ?

କେବଳ ଅଭିଜ୍ଞତା ନୁହେଁ ବରଂ ଚଳିତ ବିଶ୍ୱକପ୍‌ର ପ୍ରଦର୍ଶନକୁ ଦେଖିଲେ ମଧ୍ୟ ଅକ୍ଷରଙ୍କ ପଲା ଭାରି ରହିଛି। ୱାଶିଂଟନ ସୁନ୍ଦର ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପରେ ଦୁଇଟି ମ୍ୟାଚ୍ ଖେଳିଛନ୍ତି, ଯେତେବେଳେ କି ଅକ୍ଷର ପଟେଲ ତିନୋଟି ମ୍ୟାଚ୍ ଖେଳିଛନ୍ତି। ପଟେଲଙ୍କ ପ୍ରଦର୍ଶନ ସୁନ୍ଦରଙ୍କ ତୁଳନାରେ ଯଥେଷ୍ଟ ଭଲ ରହିଛି। ସୁନ୍ଦର ଖେଳିଥିବା ନିଜ ଦୁଇଟି ମ୍ୟାଚରେ କୌଣସି ୱିକେଟ୍ ନେବାରେ ସଫଳ ହୋଇ ନାହାଁନ୍ତି। ଯେତେବେଳେ କି ପଟେଲ ତିନୋଟି ମ୍ୟାଚରେ ଛଅଟି ୱିକେଟ ନେଇଛନ୍ତି। ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡେ ଯେ ପଟେଲଙ୍କ ବୋଲିଂ ଅଧିକ ପ୍ରଭାବଶାଳୀ ହୋଇଛି। ତେଣୁ, ପଟେଲଙ୍କ ପୂର୍ବରୁ ସୁନ୍ଦରଙ୍କୁ ଦଳର ସୁଯୋଗ ଦେବା ଉପଯୁକ୍ତ ନଥିଲା।

ଅଶ୍ୱିନଙ୍କ ମତରେ, "ଦକ୍ଷିଣ ଆଫ୍ରିକା ଦଳରେ ବାମହାତୀ ବ୍ୟାଟର ଅଛନ୍ତି ବୋଲି ସୁନ୍ଦରଙ୍କୁ ଦଳରେ ନିଆଯାଇଥିଲା, କିନ୍ତୁ ଅକ୍ଷରଙ୍କ ପୂର୍ବ ରେକର୍ଡ ଏବଂ ବର୍ତ୍ତମାନର ଫର୍ମକୁ ଅଣଦେଖା କରିବା ଉଚିତ୍ ନଥିଲା। ବିଗତ ବିଶ୍ୱକପ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଷର ହିଁ ଦଳକୁ ସଙ୍କଟରୁ ବଞ୍ଚାଇଥିଲେ।"

କିପରି ଥିଲା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍?

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୭ ରନ୍ ର ଏକ ବିଶାଳ ସ୍କୋର କରିଥିଲା। ଆଫ୍ରିକୀୟ ଦଳ ପାଇଁ ମିଲର୍ ସର୍ବାଧିକ ୬୩ ରନ୍ କରିଥିଲେ। ଏହାର ଜବାବରେ ଟିମ୍ ଇଣ୍ଡିଆ ୧୮.୫ ଓଭରରେ ୧୧୧ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପାଇଁ ଶିବମ୍ ଦୁବେ ସର୍ବାଧିକ ୪୨ ରନ୍ କରିଥିଲେ।

ଭାରତ ପାଇଁ ଏବେ ‘କର ବା ମର’ ସ୍ଥିତି

ସୁପର-୮ର ପ୍ରଥମ ମ୍ୟାଚ୍‌ରେ ଏହି ବଡ଼ ପରାଜୟ ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ଆଗାମୀ ମ୍ୟାଚ୍‌ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସେମିଫାଇନାଲ୍ ଦୌଡ଼ରେ ରହିବାକୁ ହେଲେ ଭାରତକୁ ଏବେ ବାକି ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିବାକୁ ପଡ଼ିବ। ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ଗମ୍ଭୀର ଏବଂ ସୂର୍ଯ୍ୟା ନିଜ ରଣନୀତିରେ ପରିବର୍ତ୍ତନ କରି ଅକ୍ଷରଙ୍କୁ ପୁଣି ସୁଯୋଗ ଦେଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ଏହା ମଧ୍ୟ ପଢ଼ନ୍ତୁ:

T20 World Cup 2026: ସେମିଫାଇନାଲ୍ ରେସରୁ ବାଦ୍ ପଡ଼ିବ କି ଭାରତ? ଏହା ରହିଛି ଦଳ ପାଇଁ ଶେଷ ରାସ୍ତା

Women's Asia Cup: ଏସିଆ କପ୍‌ରେ ଭାରତୀୟ ମହିଳା ଦଳର ଜୟଯାତ୍ରା; ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହେଲା ‘ଇଣ୍ଡିଆ-ଏ’