ଟି-୨୦ ବିଶ୍ୱକପରୁ ବିଦା ହେଲା ଶ୍ରୀଲଙ୍କା; ଅଧିନାୟକ କହିଲେ-'ବାହାରର ନକାରାତ୍ମକତା ଆମକୁ ବୁଡ଼ାଇଲା'
ଅଧିନାୟକ ଦସୁନ ଶନକା ନିଜର କ୍ଷୋଭ ପ୍ରକାଶ କରିବା ସହ ଦଳ ଭିତରେ ଓ ବାହାରେ ଥିବା ପରିସ୍ଥିତିକୁ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି।

Published : February 26, 2026 at 4:25 PM IST
T20 World Cup 2026: ନିଜ ମାଟିରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ-୨୦୨୬ରୁ ଶ୍ରୀଲଙ୍କା ଦଳର ବିଦାୟ ଅତି କଷ୍ଟଦାୟକ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ୬୧ ରନର ବଡ଼ ପରାଜୟ ସହ ସେମିଫାଇନାଲ ରେସ୍ ରୁ ବାଦ୍ ପଡ଼ିଛି ସହ-ଆୟୋଜକ ଶ୍ରୀଲଙ୍କା। ଦଳର ଏଭଳି ବିପର୍ଯ୍ୟୟ ପରେ ଅଧିନାୟକ ଦସୁନ ଶନକା ନିଜର କ୍ଷୋଭ ପ୍ରକାଶ କରିବା ସହ ଦଳ ଭିତରେ ଓ ବାହାରେ ଥିବା ପରିସ୍ଥିତିକୁ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି।
କାହିଁକି ହାରିଲା ଶ୍ରୀଲଙ୍କା?
ଚଳିତ ବିଶ୍ୱକପରେ ଶ୍ରୀଲଙ୍କାର ଯାତ୍ରା ବେଶ୍ ଚମତ୍କାର ଭାବେ ଆରମ୍ଭ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ହରାଇ ଶ୍ରୀଲଙ୍କା ସୁପର-୮ରେ ପ୍ରବେଶ କରିଥିଲା। କିନ୍ତୁ ଜିମ୍ବାୱେଠାରୁ ହାରିବା ପରେ ଦଳର ଲୟ ବିଗିଡ଼ି ଯାଇଥିଲା। ଏହାପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ପରାଜୟ ଶ୍ରୀଲଙ୍କାକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେଇଛି।
ଶନକାଙ୍କ କହିବା ଅନୁସାରେ, ବୋଲରଙ୍କୁ ସୁହାଉଥିବା ପିଚ୍ ଏବଂ କିଛି ମୁଖ୍ୟ ଖେଳାଳିଙ୍କ ଫିଟନେସ୍ ସମସ୍ୟା ଦଳ ପାଇଁ କାଳ ହେଲା। କିନ୍ତୁ ଏହାଠାରୁ ବଡ଼ କାରଣ ସେ 'ବାହାରର ନକାରାତ୍ମକତା'କୁ ବୋଲି ଦର୍ଶାଇଛନ୍ତି।
Captain Dasun Shanaka spoke about the " negativity outside", bowler-friendly pitches, fitness issues, and apologised to fans after sri lanka became the first team to be eliminated from semi-final contention pic.twitter.com/Si8bWXGPXF
— ESPNcricinfo (@ESPNcricinfo) February 26, 2026
ସମାଲୋଚକଙ୍କ ଉପରେ ବର୍ଷିଲେ ଶାନାକା
ନକାରାତ୍ମକ ମନ୍ତବ୍ୟକୁ ନେଇ ଶନକା କହିଛନ୍ତି, "ଆମେ ଖେଳାଳିମାନେ ଯେତେ ସକାରାତ୍ମକ ରହିବାକୁ ଚେଷ୍ଟା କଲେ ବି ବାହାରେ ପ୍ରବଳ ନକାରାତ୍ମକତା ରହୁଛି। ଲୋକମାନେ ଷ୍ଟାଡିୟମ ବାହାରେ ମାଇକ୍ରୋଫୋନ୍ ଧରି ଠିଆ ହେଉଛନ୍ତି ଏବଂ ମ୍ୟାଚ୍ ନଦେଖି ଯାହା ଇଚ୍ଛା ତାହା କହୁଛନ୍ତି। ଶ୍ରୀଲଙ୍କା ପାଇଁ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ଆମର ପରିଚୟ। ଯଦି ଏମିତି ଚାଲେ, ତେବେ ଆଗାମୀ ପିଢ଼ିର ଖେଳାଳିଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିବ।"
ଶ୍ରୀଲଙ୍କା ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ
ଶ୍ରୀଲଙ୍କା ଦଳର ବ୍ୟାଟିଂ ବିପର୍ଯ୍ୟୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଂଲଣ୍ଡ ବିପକ୍ଷରେ ଦଳ ମାତ୍ର ୯୫ ରନରେ ଅଲଆଉଟ୍ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା। ଟପ୍-ଅର୍ଡର ବ୍ୟାଟରମାନେ ଦାୟିତ୍ୱହୀନ ଭାବେ ୱିକେଟ୍ ଫିଙ୍ଗିବାକୁ ଶନକା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କେବଳ ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ଉପରେ ଭରସା କରି ବିଶ୍ୱକପ୍ ଜିତିବା ସମ୍ଭବ ନୁହେଁ।
New Zealand rise to the occasion in Colombo to keep their #T20WorldCup 2026 semi-final hopes alive 💪
— ICC (@ICC) February 25, 2026
📝: https://t.co/hMg2rAXfsc pic.twitter.com/cUmI1Uca22
ଶ୍ରୀଲଙ୍କାର ଏବେ ବି ଗୋଟିଏ ମ୍ୟାଚ୍ ବାକି ଅଛି
୨୦୨୬ ଟି୨୦ ବିଶ୍ୱକପର ଆୟୋଜକ ଶ୍ରୀଲଙ୍କା ପାଇଁ ଏହି ବିଦାୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ସୁପର ୮ରେ ଶ୍ରୀଲଙ୍କା ଖେଳାଳିଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲା। ଦଳ ଇଂଲଣ୍ଡ ବିପକ୍ଷରେ ୫୧ ରନ୍ ରେ ପରାସ୍ତ ହୋଇଥିଲା ଏବଂ ପରେ କିୱିମାନଙ୍କ ବିପକ୍ଷରେ ଦଳ ୬୧ ରନ୍ ରେ ପରାଜୟ ବରଣ କରିଥିଲା। ଦଳର ଶେଷ ସୁପର ୮ ମ୍ୟାଚ୍ ଫେବୃଆରୀ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ହେବ। ଦଳ ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଚେଷ୍ଟା କରିବ।

