୪୧ ବର୍ଷ ବୟସରେ ନୂଆ ଇତିହାସ ରଚିଲେ ରୋନାଲଡୋ, ପ୍ରଥମ ଥର ପାଇଁ ହାସଲ କଲେ ଏହି ବଡ଼ ସଫଳତା
Portugal vs Spain: ଟୋରଣ୍ଟୋରେ କ୍ରୋଏସିଆ ବିପକ୍ଷରେ ମିଳିଥିବା ୨-୧ ର ରୋମାଞ୍ଚକର ଏବଂ ଐତିହାସିକ ବିଜୟ ପରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ସମ୍ପୂର୍ଣ୍ଣ ପୁର୍ତ୍ତଗାଲ୍ ଦଳ ଅତ୍ୟନ୍ତ ଭାବୁକ ଦେଖାଯାଇଥିଲେ।

Published : July 3, 2026 at 11:10 AM IST
FIFA 2026: ଟୋରଣ୍ଟୋରେ କ୍ରୋଏସିଆ ବିପକ୍ଷରେ ମିଳିଥିବା ୨-୧ ର ରୋମାଞ୍ଚକର ଏବଂ ଐତିହାସିକ ବିଜୟ ପରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ସମ୍ପୂର୍ଣ୍ଣ ପୁର୍ତ୍ତଗାଲ୍ ଦଳ ଅତ୍ୟନ୍ତ ଭାବୁକ ଦେଖାଯାଇଥିଲେ। ମ୍ୟାଚ୍ ଶେଷ ହେବା ମାତ୍ରେ ରୋନାଲଡୋ ନିଜ ସାଥୀ ଖେଳାଳି ଡିଓଗୋ ଜୋଟାଙ୍କ ୨୧ ନମ୍ବର ପୁର୍ତ୍ତଗାଲ୍ ଜର୍ସି ପିନ୍ଧିଥିଲେ ଏବଂ ଛଳଛଳ ଆଖିରେ ଆକାଶ ଆଡ଼କୁ ଇସାରା କରିଥିଲେ। ସମ୍ପୂର୍ଣ୍ଣ ଦଳ ପଡ଼ିଆ ମଝିରେ ଜୋଟାଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ଶୁକ୍ରବାର ଦିନ ପଶ୍ଚିମ ସ୍ପେନରେ ଏକ କାର୍ ଦୁର୍ଘଟଣାରେ ଡିଓଗୋ ଜୋଟା ଏବଂ ତାଙ୍କ ଭାଇ ଆନ୍ଦ୍ରେ ସିଲଭାଙ୍କ ମୃତ୍ୟୁକୁ ଠିକ୍ ଏକ ବର୍ଷ ପୂରିବ। ଜୋଟା ପୁର୍ତ୍ତଗାଲ୍ ପାଇଁ ୪୯ଟି ମ୍ୟାଚ୍ ଖେଳି ୧୪ଟି ଗୋଲ୍ ଦେଇଥିଲେ।
ମ୍ୟାଚ୍ ପରେ ଫକ୍ସ ନ୍ୟୁଜ୍ ସହ ବାର୍ତ୍ତାଳାପ ସମୟରେ ରୋନାଲଡୋ କହିଥିଲେ, "ଆମେ ମ୍ୟାଚ୍ ପୂର୍ବରୁ ହିଁ ଜାଣିଥିଲୁ ଯେ ଏହି ମୁହୂର୍ତ୍ତ ଆମ ପାଇଁ କେତେ ସ୍ପେଶାଲ୍ ହେବାକୁ ଯାଉଛି। ଆଜି ଆମ ଦଳ ଜୀବନର ଏହି ଅବିଶ୍ୱସନୀୟ ସଂଯୋଗ ବିଷୟରେ କଥା ହେଉଥିଲା। ଆଜିର ସ୍ଥିତି ଆମ ପାଇଁ ବହୁତ ମୂଲ୍ୟ ରଖେ, କେବଳ ଏଥିପାଇଁ ନୁହେଁ ଯେ ଆମେ ମ୍ୟାଚ୍ ଜିତିଲୁ, ବରଂ ଯେଉଁଭଳି ଭାବରେ ଆମେ ଜିତିଲୁ ତାହା ଅଦ୍ଭୁତ ଥିଲା। ଆମେ ଜାଣୁ ଯେ ଜୋଟା ଆମ ସହିତ ଅଛନ୍ତି ଏବଂ ତାଙ୍କୁ ସର୍ବୋତ୍ତମ ଉପାୟରେ ସମ୍ମାନ ଜଣାଇବା ପାଇଁ ଆଜି ଜିତିବା ହିଁ ଏକମାତ୍ର ସଠିକ୍ ବିକଳ୍ପ ଥିଲା।"
A late winner sends Portugal into the Round of 16! 👏#FIFAWorldCup
— FIFA World Cup (@FIFAWorldCup) July 3, 2026
ମ୍ୟାଚ୍ରେ କ୍ରୋଏସିଆର ଇଭାନ୍ ପେରିସିକ୍ଙ୍କ ଗୋଲ୍ ପରେ ପୁର୍ତ୍ତଗାଲ୍ ୧-୦ ରେ ପଛୁଆ ରହିଥିଲା। କିନ୍ତୁ ୬୮ତମ ମିନିଟ୍ରେ ପୁର୍ତ୍ତଗାଲ୍କୁ ଏକ ପେନାଲ୍ଟି ମିଳିଥିଲା। ଯାହାକୁ କ୍ରିଷ୍ଟିଆନୋ ରୋନାଲଡୋ ବିନା କୌଣସି ଭୁଲ୍ରେ ଗୋଲ୍ରେ ପରିଣତ କରିଥିଲେ। ଏହି ଗୋଲ୍ ସହିତ ରୋନାଲଡୋ ଇତିହାସ ରଚିଛନ୍ତି, ରୋନାଲଡୋଙ୍କ କ୍ୟାରିୟରର ଫିଫା ବିଶ୍ୱକପ୍ ନକଆଉଟ୍ ପର୍ଯ୍ୟାୟରେ ଏହା ପ୍ରଥମ ଗୋଲ୍ ଅଟେ। ୪୧ ବର୍ଷ ୧୪୭ ଦିନ ବୟସରେ ଗୋଲ୍ ସ୍କୋର କରି ରୋନାଲଡୋ ପୁରୁଷ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ରେ ଗୋଲ୍ କରିଥିବା ଇତିହାସର ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ଏହାପରେ ମ୍ୟାଚ୍ର ଇଞ୍ଜୁରୀ ଟାଇମରେ ଗୋନସାଲୋ ରାମୋସ୍ ପୁର୍ତ୍ତଗାଲ୍ ପାଇଁ ବିଜୟୀ ଗୋଲ୍ ଦେଇଥିଲେ। ମ୍ୟାଚ୍ ପରେ ରାମୋସ୍ କହିଥିଲେ, 'ଆମେ ପ୍ରତିଦିନ ଜୋଟାଙ୍କ ବିଷୟରେ କଥା ହେଉ। ସେ ଆମକୁ ଶକ୍ତି ଦିଅନ୍ତି ଏବଂ ଆଜି ଜିତି ଟୁର୍ଣ୍ଣାମେଣ୍ଟର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବା ବହୁତ ଖାସ୍ ଅଟେ।'
Cristiano Ronaldo ✨#FIFAWorldCup pic.twitter.com/cDkBhF1jzy
— FIFA World Cup (@FIFAWorldCup) July 3, 2026
ମ୍ୟାଚ୍ର ଶେଷ ଭାଗ ଅତ୍ୟନ୍ତ ବିବାଦ ଏବଂ ଡ୍ରାମା ସହିତ ହୋଇଥିଲା। ଶେଷ ସେକେଣ୍ଡ ଗୁଡ଼ିକରେ କ୍ରୋଏସିଆର ମାରିଓ ପସାଲିକ ଗୋଲ୍ କରି ସ୍କୋରକୁ ୨-୨ କରି ଦେଇଥିଲେ, କିନ୍ତୁ VAR ରିଭ୍ୟୁ (Review) ପରେ ପସାଲିକଙ୍କୁ ଅଫସାଇଡ୍ (Offside) ଘୋଷଣା କରାଯାଇଥିଲା। ଯାହାଫଳରେ କ୍ରୋଏସିଆର ଏହି ଗୋଲ୍ ରଦ୍ଦ ହୋଇଗଲା ଏବଂ ପୁର୍ତ୍ତଗାଲ୍କୁ ୨-୧ ରେ ବିଜୟ ମିଳିଲା। ପୁର୍ତ୍ତଗାଲ୍ର ଫରୱାର୍ଡ ରାଫେଲ୍ ଲିଆଓ ମଧ୍ୟ ନିଜର ଏହି ବିଜୟ ଜୋଟାଙ୍କୁ ଉତ୍ସର୍ଗ କରି କହିଥିଲେ, 'ଭାବନା ଦୃଷ୍ଟିରୁ ଦେଖିଲେ, ଆମର ଆରମ୍ଭରୁ ହିଁ ନିଜ ଉପରେ ବିଶ୍ୱାସ ଥିଲା। କିନ୍ତୁ ଆମ ପାଖରେ ଏକ ଅତିରିକ୍ତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର (ମାଧ୍ୟମ) ଥିଲେ ଡିଓଗୋ ଜୋଟା, ଯିଏ ସର୍ବଦା ଆମ ସହିତ ଅଛନ୍ତି ଏବଂ ସେ ହିଁ ଆଜି ଆମକୁ ସାହାଯ୍ୟ କରିଛନ୍ତି।' ରାଉଣ୍ଡ ଅଫ୍ ୩୨ ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଏବେ ଆସନ୍ତା ସୋମବାର ଦିନ ଆର୍ଲିଂଟନ, ଟେକ୍ସାସରେ ହେବାକୁ ଥିବା ହାଇ-ଭୋଲ୍ଟେଜ୍ ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ପୁର୍ତ୍ତଗାଲ୍ର ମୁକାବିଲା ସ୍ପେନ୍ ସହ ହେବ।
🇵🇹 Portugal have qualified for the Round of 16!#FIFAWorldCup
— FIFA World Cup (@FIFAWorldCup) July 3, 2026

