ETV Bharat / sports

ରଣଜୀ ଟ୍ରଫି ଫାଇନାଲ୍: ପ୍ରଥମ ଚାମ୍ପିଅନ ହୋଇ ଇତିହାସ ରଚିଲା ଜମ୍ମୁ କାଶ୍ମୀର

ରଣଜୀ ଟ୍ରଫି ଫାଇନାଲ୍: ପ୍ରଥମ ଇନିଂସ ଲିଡ୍ ଆଧାରରେ ଜମ୍ମୁ ଏବଂ କାଶ୍ମୀର ରଣଜୀ ଟ୍ରଫି ଫାଇନାଲରେ କର୍ଣ୍ଣାଟକକୁ ପରାସ୍ତ କରିଛି ।

Jammu and Kashmir won Ranji Trophy title
Jammu and Kashmir won Ranji Trophy title (PTI)
author img

By ETV Bharat Odisha Team

Published : February 28, 2026 at 4:13 PM IST

2 Min Read
Choose ETV Bharat

Ranji Trophy Final: ଜମ୍ମୁ କାଶ୍ମୀର ଏବଂ କର୍ଣ୍ଣାଟକ ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ଡ୍ର ରେ ଶେଷ ହୋଇଛି । ଆଉ ଏପରି ସ୍ଥିତିରେ ପ୍ରଥମ ଇନିଂସରେ ୨୯୧ ରନ୍ ର ଲିଡ୍ ଯୋଗୁଁ ଜମ୍ମୁ କାଶ୍ମୀରକୁ ବିଜେତା ଘୋଷଣା କରାଯାଇଛି । ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ୍ ଜିତି ଇତିହାସ ରଚିଛି । ଯେତେବେଳେ କି ନବମ ଥର ପାଇଁ ଟାଇଟଲ୍ ଜିତିବାର କର୍ଣ୍ଣାଟକର ସ୍ୱପ୍ନ ଭାଙ୍ଗି ଯାଇଛି । ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମ ଇନିଂସରେ ୫୮୪ ରନ କରିଥିଲା । ଯାହାର ଜବାବରେ କର୍ଣ୍ଣାଟକ କେବଳ ୨୯୩ ରନ୍ କରିପାରିଥିଲା ।

ମ୍ୟାଚ୍ ର ପଞ୍ଚମ ଏବଂ ଶେଷ ଦିନରେ, ଜମ୍ମୁ କାଶ୍ମୀର ୩୪୨/୪ରେ ସେମାନଙ୍କର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା, ଯାହା ଫଳରେ ସେମାନଙ୍କର ମୋଟ ଲିଡ୍ ୬୩୩ ରନକୁ ବୃଦ୍ଧି ପାଇଥିଲା । ତଥାପି, କର୍ଣ୍ଣାଟକ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ନକରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଜମ୍ମୁ କାଶ୍ମୀର ଅଧିନାୟକଙ୍କ ସହ ହାତ ମିଳାଇବା ପରେ ମ୍ୟାଚ୍ କୁ ଡ୍ର ରେ ଶେଷ କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ଏହାପରେ ଜମ୍ମୁ କାଶ୍ମୀରକୁ ସେମାନଙ୍କର ପ୍ରଥମ ଇନିଂସ ଲିଡ୍ ଆଧାରରେ ଚାମ୍ପିଅନ୍ ଘୋଷଣା କରାଯାଇଥିଲା ।

ଫାଇନାଲ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟର ହିରୋ

ଜମ୍ମୁ କାଶ୍ମୀରର ଶୁଭମ ପୁଣ୍ଡିରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ସେ ଫାଇନାଲ ମ୍ୟାଚ୍ ର ପ୍ରଥମ ଇନିଂସରେ ଚମତ୍କାର ୧୨୧ ରନ୍ କରିଥିଲେ, ଯାହା ଜମ୍ମୁ କାଶ୍ମୀରକୁ ଏକ ବଡ଼ ସ୍କୋର କରିବାରେ ସାହାଯ୍ୟ କରିଥିଲା । ଏଥିସହ ଦ୍ରୁତ ବୋଲର ଆକିବ ନବିଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ସେ ଏହି ସିଜନରେ ସର୍ବାଧିକ ୬୦ଟି ୱିକେଟ୍ ନେଇଥିଲେ । ଯେଉଁଥିରେ ସାତଟି ପାଞ୍ଚ ୱିକେଟ୍ ରହିଛି । ନବି ମଧ୍ୟ ଫାଇନାଲ ମ୍ୟାଚ୍ରେ ପାଞ୍ଚ ୱିକେଟ୍ ନେଇଥିଲେ ।

ଜମ୍ମୁ କାଶ୍ମୀରର ପ୍ରଥମ ଇନିଂସ

ଜମ୍ମୁ କାଶ୍ମୀର ସେମାନଙ୍କର ପ୍ରଥମ ଇନିଂସରେ ୫୮୪ ରନ୍ କରିଥିଲା । ଓପନର କାମରାନ ଇକବାଲଙ୍କୁ ଛାଡ଼ି, ସେମାନଙ୍କର ସମସ୍ତ ୬ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ୫୦ରୁ ଅଧିକ ସ୍କୋର କରିପାରିଥିଲେ । ଶୁଭମ ପୁଣ୍ଡିର ଏକ ଚମତ୍କାର ୧୨୧ ରନ୍ କରିଥିଲେ । ଏହା ବ୍ୟତୀତ ୟବର ହାସନ (୮୮), ଅଧିନାୟକ ପାରସ ଡୋଗ୍ରା (୭୦), ଅବଦୁଲ ସମଦ (୬୧), କହ୍ନେୟା ୱାଧବନ (୭୦) ଏବଂ ସାହିଲ ଲୋତ୍ରା (୭୨) ସମସ୍ତେ ସ୍କୋର କରିଥିଲେ । କର୍ଣ୍ଣାଟକ ପାଇଁ ପ୍ରସିଦ୍ଧ କୃଷ୍ଣା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ ।

କର୍ଣ୍ଣାଟକର ପ୍ରଥମ ଇନିଂସ

୫୮୪ ରନ ଜବାବରେ, କର୍ଣ୍ଣାଟକର ପ୍ରଥମ ଇନିଂସ ୨୯୩ ରନରେ ପତନ ଘଟିଥିଲା । ମୟଙ୍କ ଅଗ୍ରୱାଲଙ୍କ ୧୬୦ ରନ୍ ସର୍ବାଧିକ ସ୍କୋର ଥିଲା । ଅନ୍ୟ ବ୍ୟାଟସମ୍ୟାନମାନେ ଜମ୍ମୁ କାଶ୍ମୀର ବୋଲରଙ୍କ ସାମ୍ନାରେ ଅଧିକ ସମୟ ପାଇଁ ନିଜକୁ ତିଷ୍ଠି ପାରିନଥିଲେ, ଯାହା ଫଳରେ ଜମ୍ମୁ କାଶ୍ମୀରକୁ ପ୍ରଥମ ଇନିଂସରେ ୨୯୧ ରନର ଯଥେଷ୍ଟ ଅଗ୍ରଣୀ ମିଳିଥିଲା । ଆକିବ ନବି ସର୍ବାଧିକ ୱିକେଟ ନେଇଥିବା ବେଳେ ସୁନୀଲ କୁମାର ଏବଂ ଯୁଦ୍ଧବୀର ସିଂହ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଜମ୍ମୁ କାଶ୍ମୀରର ଦ୍ୱିତୀୟ ଇନିଂସ

୨୯୧ ରନର ଅଗ୍ରଣୀ ନେବା ପରେ, ଜମ୍ମୁ କାଶ୍ମୀର ସେମାନଙ୍କର ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରି ପଞ୍ଚମ ଦିନରେ ୪ ୱିକେଟରେ ୩୪୨ ରନ୍ ରେ ଘୋଷଣା କରିଥିଲେ । କାମରାନ ଇକବାଲଙ୍କ ଅପରାଜିତ ୧୬୦ ଏବଂ ସାହିଲ ଲୋତ୍ରାଙ୍କ ଅପରାଜିତ ୧୦୧ ରନ୍ ସର୍ବାଧିକ ସ୍କୋର ଥିଲା । କର୍ଣ୍ଣାଟକ ପାଇଁ କୃଷ୍ଣା ଦୁଇଟି ୱିକେଟ ନେଇ ପ୍ରମୁଖ ୱିକେଟ ନେଇଥିଲେ ।

କର୍ଣ୍ଣାଟକ ପାଇଁ ୬୩୩ ରନ୍ ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଜମ୍ମୁ କାଶ୍ମୀର

ଫାଇନାଲ ମ୍ୟାଚ୍ ର ପଞ୍ଚମ ଏବଂ ଶେଷ ଦିନରେ, ଯେତେବେଳେ ଜମ୍ମୁ କାଶ୍ମୀର ଚା’ ସମୟ ପୂର୍ବରୁ ସେମାନଙ୍କର ଇନିଂସ ଘୋଷଣା କରିଥିଲେ, ସେତେବେଳେ କର୍ଣ୍ଣାଟକ ଅଧିନାୟକ ସମୟ ଅଭାବରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ନକରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ପ୍ରତିପକ୍ଷ ପାରସ ଡୋଗ୍ରାଙ୍କ ସହ ହାତ ମିଳାଇ ଡ୍ର କରିବାକୁ ରାଜି ହୋଇଥିଲେ । ମ୍ୟାଚ୍ ଡ୍ର ହୋଇଥିଲା, କିନ୍ତୁ ପ୍ରଥମ ଇନିଂସରେ ଅଗ୍ରଣୀ ଯୋଗୁଁ ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଚାମ୍ପିଅନ ହୋଇ ଇତିହାସ ରଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ- ଟିମ୍ ଇଣ୍ଡିଆରେ ସାମିଲ ହେବେ କି ଜମ୍ମୁ-କାଶ୍ମୀରର ଏହି ଘାତକ ବୋଲର? ଗାଙ୍ଗୁଲି ଦେଲେ ବଡ଼ ବୟାନ

ଏହା ମଧ୍ୟ ପଢ଼ନ୍ତୁ- Ranji Trophy Final: ରଣଜୀ ଫାଇନାଲରେ 'ମାଡ଼ପିଟ୍'! ଅମ୍ପାୟାର କଲେ ହସ୍ତକ୍ଷେପ, ଜାଣନ୍ତୁ ପୂରା ମାମଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ