ସେଣ୍ଟ ଲୁଇସ ରାପିଡ ଚେସ୍ : 12 ପଏଣ୍ଟ ସହ ଶୀର୍ଷରେ ଗ୍ରାଣ୍ଡ ମାଷ୍ଟର ପ୍ରଜ୍ଞାନନ୍ଦ
ଭାରତୀୟ ଗ୍ରାଣ୍ଡ ମାଷ୍ଟର ଆର୍. ପ୍ରଜ୍ଞାନନ୍ଦ ଆମେରିକାରେ ଅନୁଷ୍ଠିତ ଲୁଇସ ରାପିଡ ବ୍ଲିଟଜ ପ୍ରତିଯୋଗିତାରେ 12 ପଏଣ୍ଟ ସହିତ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

Published : August 5, 2026 at 5:18 PM IST
R Praggnanandhaa , ସେଣ୍ଟ ଲୁଇସ (ଆମେରିକା): ଭାରତୀୟ ଗ୍ରାଣ୍ଡମାଷ୍ଟର, ଯୁବ ଚେସ ତାରକା ଆର୍. ପ୍ରଜ୍ଞାନନ୍ଦ ସେଣ୍ଟ ଲୁଇସ ରାପିଡ୍ ଏବଂ ବ୍ଲିଟଜ ଚେସ୍ ପ୍ରତିଯୋଗିତାର ରାପିଡ ଇଭେଣ୍ଟରେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ମୋଟ 18 ପଏଣ୍ଟରୁ 12 ପଏଣ୍ଟ ହାସଲ କରି ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏହା ସହିତ ଚଳିତବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଚେସ୍ ଟୁର୍ (ଜିସିଟି) ଫାଇନାଲ୍ ପାଇଁ ତାଙ୍କର ଯୋଗ୍ୟତା ଅର୍ଜନ ନେଇ ଆଶା ଉଜ୍ଜିବିତ ରହିଛି ।
2026 ବିଶ୍ୱ ଚେସ୍ ଚାମ୍ପିଅନ୍ସିପ୍ ଦୌଡ଼ରୁ ବାଦ୍ ପଡ଼ିଥିବା ପ୍ରଜ୍ଞାନନ୍ଦ, ରାପିଡ ପ୍ରତିଯୋଗିତାରେ 9ଟି ରାଉଣ୍ଡରେ ଅଭିନବ କୌଶଳ ଏବଂ ସଠିକ୍ ଚାଲ୍ ସହିତ ସୁନ୍ଦର ମାଇଣ୍ଡ ଗେମ୍ ପ୍ରଦର୍ଶନ କରିଥିଲେ । ଯଦିଓ ନବମ ତଥା ଶେଷ ରାଉଣ୍ଡରେ ନେଦରଲାଣ୍ଡର ଗ୍ରାଣ୍ଡମାଷ୍ଟର ଜୋର୍ଡାନ୍ ଭାନ୍ ଫରେଷ୍ଟଙ୍କଠାରୁ ସେ ପରାସ୍ତ ହୋଇଥିଲେ। ତେବେ ଗୋଟିଏ ପଏଣ୍ଟ ଅଗ୍ରଣୀ ବଜାୟ ରଖି ପ୍ରଜ୍ଞାନନ୍ଦ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ସେ ଦ୍ୱିତୀୟ ସ୍ଥାନରେ ଥିବା ଉଜବେକିସ୍ତାନର ଜାଭୋଖିର୍ ସିନ୍ଦାରୋଭଙ୍କୁ ପଛରେ ପକାଇଥିଲେ । ଚଳିତ ବର୍ଷର ବିଶ୍ୱ ଚାମ୍ପିଅନ୍ସିପ୍ରେ ସିନ୍ଦାରୋଭ ଭାରତର ଡି.ଗୁକେଶଙ୍କ ବିପକ୍ଷରେ ଖେଳିବେ ।
ପ୍ରତିଯୋଗିତାର ଚୂଡ଼ାନ୍ତ ଫଳ କେବଳ ରାପିଡ୍ ବିଭାଗ ଆଧାରରେ ନିର୍ଣ୍ଣୟ ହୋଇନଥାଏ । 18ଟି ବ୍ଲିଟଜ ମୁକାବିଲା ଖେଳାଯାଇ ବିଜେତା ଚୟନ କରାଯାଏ । ଏହି ପ୍ରତିଯୋଗିତାର ମୋଟ ପୁରସ୍କାର ରାଶି 2 ଲକ୍ଷ ଆମେରିକୀୟ ଡଲାର ରହିଥିବା ବେଳେ ବିଜେତାଙ୍କୁ 50 ହଜାର ଆମେରିକୀୟ ଡଲାର ପ୍ରଦାନ କରାଯାଏ ।
ରାପିଡ୍ ବିଭାଗରେ ମୋଟ 9ଟି ଗେମ୍ ରୁ ପ୍ରଜ୍ଞାନନ୍ଦ 4ଟିରେ ବିଜୟ, 4ଟି ଡ୍ର ଓ ଗୋଟିଏ ପରାଜୟ ସହ 12 ପଏଣ୍ଟ ହାସଲ କରିଛନ୍ତି । ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ 18 ରାଉଣ୍ଡ ବିଶିଷ୍ଟ ବ୍ଲିଟଜ ମୁକାବିଲା ଉପରେ ରହିଛି । ଏଥିରେ ପ୍ରତ୍ୟେକ ବିଜୟ ପାଇଁ 1 ପଏଣ୍ଟ ମିଳିବ ।
ପ୍ରତିଯୋଗିତାରେ, 11 ପଏଣ୍ଟ ସହ ସିନ୍ଦାରୋଭ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଆମେରିକାର ୱେସ୍ଲି ସୋ 10 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ଆମେରିକାର ଲେଭନ୍ ଆରୋନିଆନ୍, ନେଦରଲାଣ୍ଡର ଅନୀଶ ଗିରି, ଆମେରିକାର ଲେନିୟର୍ ଡୋମିଙ୍ଗେଜ୍ ପେରେଜ୍ ଏବଂ ଜର୍ମାନୀର ଭିନ୍ସେଣ୍ଟ କାଇମର୍ 9 ପଏଣ୍ଟ ଲେଖାଏଁ ହାସଲ କରି ଯୁଗ୍ମ ଭାବେ ପରବର୍ତ୍ତୀ ସ୍ଥାନରେ ଅଛନ୍ତି । 10 ଜଣ ଖେଳାଳିଙ୍କୁ ନେଇ ରାଉଣ୍ଡ ରବିନ୍ ପର୍ଯ୍ୟାୟ ଶେଷ ହେବା ପରେ ପାରମ୍ପରିକ କ୍ଲାସିକାଲ୍ ଫର୍ମାଟ୍ରେ ସିଙ୍କଫିଲ୍ଡ କପ୍ ଆୟୋଜିତ ହେବ ।
ଏହା ମଧ୍ୟ ପଢ଼ନ୍ତୁ ...
WATCH: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଚେସ୍ରେ ହରାଇଲେ ପ୍ରଜ୍ଞାନନ୍ଦ, ଭିଡିଓ ଭାଇରାଲ୍

