ETV Bharat / sports

PAK vs SL: ଶ୍ରୀଲଙ୍କାକୁ ୮୨ ରନ୍‌ରେ ପରାସ୍ତ କରି ଟି୨୦ ସିରିଜ୍ ଜିତିଲା ପାକିସ୍ତାନ

PAK vs SL T20I: ପାକିସ୍ତାନର ଏହି ବଡ଼ ବିଜୟର ହିରୋ ସାଜିଥିଲେ ମାଜ୍ ସଦାକତ ଏବଂ ଅଧିନାୟକ ସାହିବଜାଦା ଫରହାନ।

Pakistan vs Sri Lanka T20 Match
ଶ୍ରୀଲଙ୍କାକୁ ୮୨ ରନ୍‌ରେ ପରାସ୍ତ କରି ଟି୨୦ ସିରିଜ୍ ଜିତିଲା ପାକିସ୍ତାନ (AFP)
author img

By ETV Bharat Sports Team

Published : October 12, 2026 at 10:16 AM IST

2 Min Read
Choose ETV Bharat

PAK vs SL 2nd T20I: ପାକିସ୍ତାନ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ନିଜ ନାମରେ କରିଛି। ରାୱଲପିଣ୍ଡିରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୧୫ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ କେବଳ ୧୩୩ ରନ୍ କରିପାରିଥିଲା। ଏହିପରି ଭାବେ ପାକିସ୍ତାନ ମ୍ୟାଚ୍‌କୁ ୮୨ ରନ୍‌ରେ ଜିତିନେଇଥିଲା। ଏହି ବିଜୟ ସହ ପାକିସ୍ତାନ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଜେୟ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଦଳ ମଧ୍ୟ ଟି୨୦ କ୍ରିକେଟ୍‌ରେ ନିଜର ଦ୍ୱିତୀୟ ସର୍ବବୃହତ ରନ୍ ସ୍କୋର କରିଥିଲା।

ପାକିସ୍ତାନର ଏହି ବଡ଼ ବିଜୟର ହିରୋ ସାଜିଥିଲେ ମାଜ୍ ସଦାକତ ଏବଂ ଅଧିନାୟକ ସାହିବଜାଦା ଫରହାନ। ଉଭୟ ଶ୍ରୀଲଙ୍କା ଫିଲ୍ଡରମାନଙ୍କ ଭୁଲ୍‌ର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଧୁଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ। ସଦାକତ ୫୧ ବଲ୍‌ରେ ୯୬ ରନ୍ କରିଥିବା ବେଳେ ଫରହାନ ୭୩ ରନ୍‌ର ପାଳି ଖେଳିଥିଲେ। ଉଭୟ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଟି-୨୦ କ୍ରିକେଟ୍‌ରେ ପାକିସ୍ତାନର ସର୍ବାଧିକ ସ୍କୋର ହେଉଛି ୨୩୨/୬, ଯାହା ଦଳ ୨୦୨୧ ମସିହାରେ ଇଂଲଣ୍ଡ ବିପକ୍ଷରେ କରିଥିଲା। ରବିବାର (୧୨ ଅକ୍ଟୋବର ୨୦୨୬) ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ କରିଥିବା ୨୧୫/୩ ସ୍କୋର ଦଳର ଦ୍ୱିତୀୟ ସର୍ବାଧିକ ସ୍କୋର ଅଟେ।

ପାକିସ୍ତାନର ବ୍ୟାଟିଂ ସମୟରେ ଶ୍ରୀଲଙ୍କାର ଖରାପ ଫିଲ୍ଡିଂ ଘରୋଇ ଦଳ ପାଇଁ ଲାଭଦାୟକ ହୋଇଥିଲା। ପାୱାର-ପ୍ଲେ’ରେ ମିଳିଥିବା ଜୀବନଦାନର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ପାକିସ୍ତାନ ଖେଳାଳି ଫରହାନ ଏବଂ ସଦାକତ। ଫରହାନ ଯେତେବେଳେ ୧୧ ରନ୍‌ରେ ଥିଲେ, ସେତେବେଳେ ସିନେତ୍ ଜୟବର୍ଦ୍ଧନେ ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ। ଏହାପୂର୍ବରୁ ମହୀଶ ତୀକ୍ଷଣା ମଧ୍ୟ ବିନୁରା ଫର୍ଣ୍ଣାଣ୍ଡୋଙ୍କ ଓଭରରେ ଫରହାନଙ୍କର ଏକ କ୍ୟାଚ୍ ହାତଛଡ଼ା କରିଥିଲେ। ଏହିସବୁ ଭୁଲ୍ ପରେ ଫରହାନ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ପାଳିରେ ୫ଟି ଛକା ଏବଂ ୪ଟି ଚୌକା ମାରିଥିଲେ। ସେ ୧୫ତମ ଓଭରରେ ଦାସୁନ ଶନକାଙ୍କ ବଲ୍‌ରେ ବାଉଣ୍ଡ୍ରି ମାରିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପଟେ, ସଦାକତଙ୍କୁ ମଧ୍ୟ ଭାଗ୍ୟର ସାଥ୍ ମିଳିଥିଲା। ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ନୁୱାନ ତୁଷାରା ତାଙ୍କର ଏକ ରିଟର୍ଣ୍ଣ କ୍ୟାଚ୍ ଧରିପାରି ନଥିଲେ। ଏହାପରେ ସଦାକତ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ୭ଟି ଛକା ଏବଂ ୬ଟି ଚୌକା ଲଗାଇଥିଲେ। ସେ ନିଜର ଶତକରୁ ମାତ୍ର ୪ ରନ୍ ଦୂରରେ ରହିଯାଇଥିଲେ। ପାଳିର ଶେଷ ଓଭରର ଅନ୍ତିମ ବଲ୍‌ରେ ଇଶାନ ମାଲିଙ୍ଗା ତାଙ୍କୁ ଡିପ୍ କଭରରେ କ୍ୟାଚ୍ ଆଉଟ୍ କରାଇଥିଲେ।

୨୧୬ ରନ୍‌ର ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳର ଆରମ୍ଭ ଖରାପ ରହିଥିଲା। ପାକିସ୍ତାନର ଦ୍ରୁତ ବୋଲର ସଲମାନ ମିର୍ଜା ପ୍ରଥମ ଓଭରରେ ହିଁ ଲାହିରୁ ଉଦାରାଙ୍କୁ ୱିକେଟ୍ କିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଏହାପରେ ନିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳୁଥିବା ମହମ୍ମଦ ଇମ୍ରାନ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ସିନେଥ ଜୟବର୍ଦ୍ଧନେ (୨୨), ଅଧିନାୟକ କୁସଲ ମେଣ୍ଡିସ୍ (୯) ଏବଂ ସହାନ ଅରାଚିଗେ (୦)ଙ୍କୁ ଶୀଘ୍ର ଆଉଟ୍ କରିଦେଇଥିଲେ। ଆଠ ଓଭର ସୁଦ୍ଧା ଶ୍ରୀଲଙ୍କାର ସ୍କୋର ୪୯ ରନ୍‌ରେ ୪ଟି ୱିକେଟ୍ ହୋଇଯାଇଥିଲା ଏବଂ ଦଳ ଏହି ଝଟକାରୁ ମୁକୁଳି ପାରି ନଥିଲା।

ମହୀଶ ତୀକ୍ଷଣା ଅପରାଜିତ ୩୨ ରନ୍ କରିଥିବା ବେଳେ ଚମିନ୍ଦୁ ବିକ୍ରମସିଂଘେ ୨୪ ବଲ୍‌ରେ ୨୯ ରନ୍‌ର ଯୋଗଦାନ ଦେଇଥିଲେ। ତେବେ ତାଙ୍କର ଏହି ପ୍ରୟାସ ଦଳକୁ ବିଜୟର ନିକଟତର କରାଇ ପାରି ନଥିଲା। ଇମ୍ରାନ ନିଜର ୪ ଓଭର ସ୍ପେଲ୍‌ରେ ମାତ୍ର ୧୧ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ଶ୍ରୀଲଙ୍କାକୁ ବିଦେଶୀ ମାଟିରେ କ୍ରମାଗତ ତୃତୀୟ ଟି-୨୦ ସିରିଜ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହାପୂର୍ବରୁ ତାକୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧-୨ ରେ ପରାଜୟ ମିଳିଥିବା ବେଳେ ଇଂଲଣ୍ଡ ଦଳ ୩-୦ ରେ କ୍ଲିନ୍ ସ୍ୱିପ୍ କରିଥିଲା। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୧୩ ତାରିଖରେ ରାୱଲପିଣ୍ଡିରେ ଖେଳାଯିବ। ଏହାପରେ ପାକିସ୍ତାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ରବିବାରଠାରୁ ଦିନିକିଆ ଟ୍ରାଇ-ସିରିଜ୍ ଆରମ୍ଭ ହେବ।

ଏହା ମଧ୍ୟ ପଢ଼ନ୍ତୁ: