ETV Bharat / sports

ଓଡ଼ିଶା ମାଷ୍ଟର୍ସ ୨୦୨୫; ଦେଶ ପାଇଁ ଗୌରବ ଆଣିଲେ ଉନ୍ନତି ଏବଂ କିରଣ

କଟକରେ ଆୟୋଜିତ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ 'ଓଡ଼ିଶା ମାଷ୍ଟର୍ସ ୨୦୨୫' ଉଦଯାପିତ ହୋଇଛି । ମହିଳା ସିଙ୍ଗଲ୍ସରେ ଚମ୍ପିଆନ ହେଲେ ଉନ୍ନତି ହୁଡ଼ା ଏବଂ ପୁରୁଷ ବିଭାଗରେ କିରଣ ଜର୍ଜ ।

ODISHA MASTERS 2025
ଓଡ଼ିଶା ମାଷ୍ଟର୍ସ ୨୦୨୫ (ETV Bharat Odisha)
author img

By ETV Bharat Odisha Team

Published : December 15, 2025 at 12:27 PM IST

2 Min Read
Choose ETV Bharat

କଟକ: ଶେଷ ହୋଇଛି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା 'ଓଡ଼ିଶା ମାଷ୍ଟର୍ସ ୨୦୨୫' । ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା ଗତକାଲି (ରବିବାର) କଟକ ଜବାହର ଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା । ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ମହିଳା ଡବଲ୍ସ, ପୁରୁଷ ଡବଲ୍ସ ଏବଂ ମିକ୍ସଡ଼ ଡବଲ୍ସ ବିଭାଗର ଫାଇନାଲ ମ୍ୟାଚ୍ ଖେଳାଯିବା ସହ ଚମ୍ପିଆନ୍ ଓ ରନର୍ସ ଅପ୍ ଖେଳାଳୀଙ୍କୁ ଟ୍ରଫି, ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ଖେଳାଯାଇ ଥିବା ପୁରୁଷ ଫାଇନାଲ୍ ମ୍ୟାଚରେ ଭାରତର କିରଣ ଜର୍ଜ ଇଣ୍ଡୋନେସିଆ ଖେଳାଳି ମହମ୍ମଦ ୟୁସୁଫଙ୍କୁ 21-14, 13-21 ଓ 21-16 ପଏଣ୍ଟର ତିନୋଟି ମ୍ୟାଚରେ ହରାଇ ଚମ୍ପିଆନ ହୋଇଥିଲେ । ସେହିପରି ମହିଳା ଫାଇନାଲରେ ଭାରତୀୟ ଖେଳାଳି ଉନ୍ନତି ହୁଡ଼ା ନିଜ ଦେଶର ଇସାରାଣୀ ବରୁଆଙ୍କୁ ସିଧାସଳଖ 21-17, 21-10 ପଏଣ୍ଟର ଦୁଇଟି ମ୍ୟାଚରେ ହରାଇ ଚମ୍ପିଆନ ହୋଇଥିଲେ । ମିକ୍ସଡ଼ ଡବଲ୍ସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ମାରୱାନ ଫାଜା ଓ ଆସ୍ୟାହ ପୂର୍ତ୍ତୀ ପ୍ରଣତା, ଡି.ଫେର୍ଡିନେନସି ଓ ବି. ୱାର୍ଡନାଙ୍କୁ 21-15 ଓ 21-10 ପଏଣ୍ଟର ସିଧାସଳଖ ଦୁଇଟି ମ୍ୟାଚରେ ହରାଇ ଚମ୍ପିଆନ ହୋଇଥିଲେ ।

ମହିଳା ଡବଲ୍ସ ବିଭାଗ ଫାଇନାଲ ମ୍ୟାଚ୍‌ ଟପସିଡ଼ ବୁଲଗେରିଆ ଯୋଡ଼ି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଏବଂ ମାଲେସିଆ ଯୋଡି ଅଙ୍ଗଜିନ ୟୀ ଓ କାର୍ମେନ ଟିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୁଲାଗେରିଆ ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ 21-19, 21-14 ପଏଣ୍ଟର ଦୁଇଟି ମ୍ୟାଚରେ ହରାଇ ଚାମ୍ପିଆନ ହୋଇଥିଲେ । ସେହିପରି ପୁରୁଷ ଡବଲ୍ସ ଫାଇନାଲରେ ମାଲେସିଆ ଯୋଡି କଙ୍ଗ ଖାଇ ଜିଙ୍ଗ୍ ଓ ଏରୋନ ତାଇ-ଇଣ୍ଡୋନେସିଆର ଅଲି ରେହନ୍ ଓ ଦେଭିନ ଅର୍ଥା ୱାହୁଡିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଣ୍ଡୋନେସିଆ ଯୋଡି ମାଲେସିଆ ଯୋଡିଙ୍କୁ 15-21, 21-12 ଓ 21-16 ପଏଣ୍ଟର ତିନୋଟି ମ୍ୟାଚରେ ହରାଇ ଚମ୍ପିଆନ ହୋଇଥିଲେ ।

ଦୀର୍ଘ ଛଅ ଦିନ ଧରି ଚାଲିଥିବା ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସର ପରିଚାଳନା ପାଇଁ ଏକ ସାତ ଜଣିଆ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଭାବେ ବେଣୁ ଗୋପାଳ ମହାଲିଙ୍ଗମ, ରେଫରୀ ଭାବେ ସ୍ୱିଜରଲାଣ୍ଡର ମାନିକ ବସ୍ତିଏନ, ଡେପୁଟି ରେଫରୀ ଭାବେ ଇସ୍ତୋନିଆର ଅରତୁଲ ଯଲୁଜ଼ନୋଇ, ଲୋକାଲ ଡେପୁଟି ରେଫରୀ ଭାବେ ଭାରତର ମଞ୍ଜୁଷା ସହସ୍ରବୁଧେ , ମ୍ୟାଚ୍ କଣ୍ଟ୍ରୋଲର ଭାବେ ଭାରତର ମିହିର ରତଞ୍ଜଙ୍କର ନିଯୁକ୍ତ ହୋଇଥିଲେ । ପୁରସ୍କାର ବିତରଣ ସମୟରେ ପଦ୍ମ ବିଭୂଷଣ ପୁରସ୍କାର ବିଜେତା ସୁଦର୍ଶନ ସାହୁ, ଡାଇରେକ୍ଟର ଜେନେରାଲ ଫାୟାର ସର୍ଭିସେସ ସୁଧାଂଶୁ ଷଡ଼ଙ୍ଗୀ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲ, ଶିଳ୍ପ ବିଭାଗ ନିର୍ଦ୍ଦେଶକ ଆବୋଲି ସୁନୀଲ ନର୍ବାଣେ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ... ଡିସେମ୍ବର 9ରୁ ଓଡ଼ିଶା ମାଷ୍ଟର୍ସ BWF ଟୁର୍‌ ସୁପର ହଣ୍ଡ୍ରେଡ୍‌

ଏହା ମଧ୍ୟ ପଢନ୍ତୁ...ଭଲିବଲ୍ ମହାକୁମ୍ଭ; ଓଡ଼ିଶାରେ ଆୟୋଜିତ ହେବ ଏଫ୍‌ଆଇଭିବି ବିଚ୍ ଭଲିବଲ

ଇଟିଭି ଭାରତ, କଟକ