ଓଡ଼ିଶାରେ ଦୁଃସାହସିକ ଜଳ କ୍ରୀଡ଼ା ପାଇଁ ଭିତ୍ତିଭୂମି ଯାଞ୍ଚ ପ୍ରକ୍ରିୟା ଆରମ୍ଭ
ରାଜ୍ୟରେ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ନିରାପଦ ପର୍ଯ୍ୟଟନ ବ୍ୟବସ୍ଥା କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ରିପୋର୍ଟ: ମିନତୀ ସିଂହ

Published : May 6, 2026 at 8:12 PM IST
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ସୁରକ୍ଷିତ ଜଳଭିତ୍ତିକ ଦୁଃସାହସିକ କ୍ରୀଡ଼ା ଓ ଆମୋଦ-ପ୍ରମୋଦର ବିକାଶ ପାଇଁ ପଦକ୍ଷେପ ନେଇଛି। ବିଭିନ୍ନ ଜିଲ୍ଲାରେ ପ୍ରସ୍ତାବିତ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ଅନ୍ୟାନ୍ୟ ଦିଗକୁ ଯାଞ୍ଚ କରିବା ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି।
ଏହି ନିର୍ଦ୍ଦେଶ ଅନୁସାରେ ପୁରୀ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳମାନେ ଯାଞ୍ଚ କରିବାକୁ ଯିବାକୁ ଥିବା ଦଳକୁ ସହଯୋଗ କରିବେ। 'ଗୋ ଆଡଭେଞ୍ଚର ପୋର୍ଟାଲ' ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳଭିତ୍ତିକ ଦୁଃସାହସିକ କ୍ରୀଡ଼ା ପାଇଁ ନୂତନ ଆବେଦନ କରିଥିବା ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଯାଞ୍ଚ କରାଯିବ।
'ଓଡ଼ିଶା ଆଡଭେଞ୍ଚର ଟୁରିଜମ ଗାଇଡଲାଇନ୍ସ-୨୦୨୫' ଅନୁଯାୟୀ ଏହି ଯାଞ୍ଚ ପ୍ରକ୍ରିୟା କରାଯିବ। ଯୁଗ୍ମ ଯାଞ୍ଚ ଦଳରେ ଗୋଆସ୍ଥିତ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନ (NIWS)ର ଜଣେ ବିଶେଷଜ୍ଞ, ପର୍ଯ୍ୟଟନ ବିଭାଗର ଆଡଭେଞ୍ଚର ଟୁରିଜମ ଟେକ୍ନିକାଲ ସେଲ୍ (ATTC) ପ୍ରତିନିଧି ଏବଂ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ କମିଟି (DLC) ସଦସ୍ୟମାନେ ସାମିଲ ହେବେ।

୪ ମଇରୁ ୨୦ ମଇ ପର୍ଯ୍ୟନ୍ତ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବେଳେ, ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳଗୁଡ଼ିକରେ ସୁରକ୍ଷା, ପ୍ରାୟୋଗିକ ସୁବିଧା ଏବଂ ପରିବେଶ ଉପଯୋଗିତା ଯାଞ୍ଚ କରାଯିବ।
ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ DLC ବୈଠକ କରି ଯୁଗ୍ମ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରସ୍ତାବଗୁଡ଼ିକୁ ରାଜ୍ୟ ସ୍ତରୀୟ ଟେକ୍ନିକାଲ କମିଟି (SLTC) ସମ୍ମୁଖରେ ଉପସ୍ଥାପନ କରାଯିବ।
ରାଜ୍ୟରେ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ନିରାପଦ ପର୍ଯ୍ୟଟନ ବ୍ୟବସ୍ଥା କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ମେ’ ୪ ତାରିଖରେ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଥିବା ଖୁସି ୱାଟର ସ୍ପୋର୍ଟ୍ସ (KHUSHI WATERSPORTS) ସମ୍ବନ୍ଧୀୟ ମାମଲାର ପୁନଃ ସମୀକ୍ଷା କରାଯାଇଥିଲା। ପୁରୀର ନୂଆ ନଦୀ ଓ ପୁରୀ ବେଳାଭୂମିରେ ପ୍ରସ୍ତାବିତ ଜଳକ୍ରୀଡ଼ା ପ୍ରକଳ୍ପର ମଧ୍ୟ ଯାଞ୍ଚ କରାଯାଇଥିଲା।
ମେ’ ୫ ତାରିଖରେ ପୁରୀ ବେଳାଭୂମିରେ BLUE WAVE RIDERS, BLUE HORIZON WATERSPORTS ଏବଂ SUNSHINE WATERSPORTS ପକ୍ଷରୁ ଦାଖଲ ହୋଇଥିବା ପ୍ରକଳ୍ପ ଆବେଦନର ଯାଞ୍ଚ କରାଯାଇଛି।

ଆଗାମୀ କାର୍ଯ୍ୟସୂଚୀ:
ମେ ୧୮: ଗୋପାଳପୁର ବେଳାଭୂମିରେ AMPHITRITE SUBSEA PVT LTD ଏବଂ EAGLE THRILL ADVENTURE LLP ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସ୍ଥଳ ପରିଦର୍ଶନ କରାଯିବ।
ମେ ୨୦: ଜଗତସିଂହପୁର ଜିଲ୍ଲାର ପାରାଦୀପରେ AKELA ADVENTURE PVT LTD ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଯାଞ୍ଚ କରାଯିବ।
ରାଜ୍ୟର ସମୁଦ୍ରତଟ, ହ୍ରଦ ଓ ଡ୍ୟାମଗୁଡ଼ିକୁ ପର୍ଯ୍ୟଟନ ଶିଳ୍ପର ନୂତନ ଆକର୍ଷଣରୂପେ ଗଢ଼ି ତୋଳିବାକୁ ସରକାର ଯୋଜନା କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଲେ ଜଳକ୍ରୀଡ଼ା, ବୋଟିଂ, ଜେଟ୍ ସ୍କି ଓ କାୟାକିଂ ଭଳି କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସ୍ଥାନୀୟ ରୋଜଗାରକୁ ବଡ଼ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।

