ହାର୍ଦ୍ଦିକଙ୍କ ପାଇଁ ପାଗଳ ଓଡ଼ିଆ ଫ୍ୟାନ୍! ୨୦୦୦ କିଲୋମିଟର ସାଇକେଲ ଚଲାଇ ପହଞ୍ଚିଲେ ବେଙ୍ଗାଲୁରୁ, ଦେଲେ ବିଶେଷ ଉପହାର
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଜଣେ ଓଡ଼ିଆ ପ୍ରଶଂସକ ୨୦୦୦ କିଲୋମିଟର ସାଇକେଲ୍ ଚଲାଇ ବେଙ୍ଗାଲୁରୁ ପହଞ୍ଚିବା ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।

Published : July 2, 2026 at 12:33 PM IST
Hardik Pandya Meets Odia Fan: କ୍ରିକେଟ୍ ପ୍ରଶଂସକଙ୍କ ପାଗଳାମି କାହାକୁ ବା ଅଛପା! ଭାରତରେ ଅନେକ କ୍ରିକେଟ୍ ପ୍ରଶଂସକ କ୍ରିକେଟର ମାନଙ୍କୁ ନିଜର 'ଭଗବାନ' ମଧ୍ୟ ମାନିଥାନ୍ତି। ଏହାର ଏକ ସଦ୍ୟ ଉଦହାରଣ ବର୍ତ୍ତମାନ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ତାରକା ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଜଣେ ଓଡ଼ିଆ ପ୍ରଶଂସକଙ୍କ ଭଲପାଇବା ବର୍ତ୍ତମାନ ଇଣ୍ଟରନେଟ୍ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶାର ଜଣେ ଯୁବକ ହାର୍ଦ୍ଦିକଙ୍କୁ ଭେଟିବା ପାଇଁ ପ୍ରାୟ ୨୦୦୦ କିଲୋମିଟର ସାଇକେଲ୍ ଚଲାଇ ବେଙ୍ଗାଲୁରୁ ପହଞ୍ଚିଥିଲେ। ନିଜର ପ୍ରିୟ ଖେଳାଳିଙ୍କୁ ସାମ୍ନାରେ ଦେଖିବା ମାତ୍ରେ ସେହି ମୁହୂର୍ତ୍ତଟି ତାଙ୍କ ପାଇଁ ସ୍ମରଣୀୟ ହୋଇଯାଇଥିଲା। ହାର୍ଦ୍ଦିକ ମଧ୍ୟ ତାଙ୍କୁ ସମୟ ଦେଇ ତାଙ୍କର ଏହି ଯାତ୍ରାକୁ ଅବିସ୍ମରଣୀୟ କରାଇଛନ୍ତି।
ଦୀପକ ସିଂହାନିଆ ନାମକ ଏହି ପ୍ରଶଂସକ ଜଣକ ହାର୍ଦ୍ଦିକଙ୍କୁ ଭେଟିବା ପାଇଁ ଓଡ଼ିଶାରୁ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସେ ମୁମ୍ବାଇ ଯାଇଥିଲେ, କାରଣ କେହି ତାଙ୍କୁ କହିଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇରେ ଅଛନ୍ତି। କିନ୍ତୁ ସେଠାରେ ହାର୍ଦ୍ଦିକ ନଥିବା ଜାଣିବା ପରେ ସେ ନିରାଶ ହୋଇଯାଇଥିଲେ। ପରେ ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମା ଦୀପକଙ୍କ ଏକ ଭିଡିଓରେ କମେଣ୍ଟ କରିଥିଲେ, ‘ଆପଣ ବେଙ୍ଗାଲୁରୁ ଆସନ୍ତୁ, ମୁଁ ଆପଣଙ୍କୁ ତାଙ୍କ ସହ ଭେଟ କରାଇଦେବି।’

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବା ପାଇଁ ଦୀପକ ପୁଣି ଥରେ ଉତ୍ସାହର ସହ ଓଡ଼ିଶାରୁ ବେଙ୍ଗାଲୁରୁ ଅଭିମୁଖେ ସାଇକେଲ ଚଲାଇ ବାହାରି ପଡ଼ିଥିଲେ। ପ୍ରାୟ ୧୨ ଦିନର କଠିନ ପରିଶ୍ରମ ପରେ ସେ ଶେଷରେ ହାର୍ଦ୍ଦିକଙ୍କୁ ଭେଟିବାରେ ସଫଳ ହୋଇଥିଲେ। ତାଙ୍କର ଏହି ସାଇକେଲ୍ ଯାତ୍ରା ସମୟ ମଧ୍ୟରେ ସେ ନିଜ ଇନଷ୍ଟାଗ୍ରାମ୍ ପେଜ୍ @the_od_trekker ରେ କ୍ରମାଗତ ଭାବେ ଅପଡେଟ୍ ଦେଉଥିଲେ। ଯେଉଁଠାରେ ତାଙ୍କର ୮୫ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି।
A die hard Hardik Pandya fan cycled from Odisha to Bengaluru for 12+ days just to meet him.
— Instinct (@Clutchxgod33) July 1, 2026
Hardik Pandya gave him ₹1.5 lakh, covered his return travel expenses, and gifted him brand new Virat Kohli shoes.
Hardik pandya is a pure gentleman. ❤️ pic.twitter.com/EJc9gut7IG
ହାର୍ଦ୍ଦିକଙ୍କୁ ଭେଟି 'ପ୍ରଭୁ ଜଗନ୍ନାଥ’ଙ୍କ ଏକ ମୂର୍ତ୍ତି ଦେଇଥିଲେ ଦୀପକ
ଦୀର୍ଘ ସଂଘର୍ଷ ପରେ ଦୀପକ ନିଜର ପ୍ରିୟ କ୍ରିକେଟର୍ ହାର୍ଦ୍ଦିକଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲେ। ସାକ୍ଷାତ ସମୟରେ ଦୀପକ ହାର୍ଦ୍ଦିକଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଏକ ମୂର୍ତ୍ତି ଉପହାର ଦେଇଥିଲେ ଏବଂ ତାଙ୍କୁ ଓଡ଼ିଆ ପରମ୍ପରାର ପ୍ରତୀକ ଏକ ହଳଦିଆ ଗାମୁଛା ପିନ୍ଧାଇଥିଲେ। ସେ ସାଇକେଲ୍ରେ ଯେଉଁ ବୋର୍ଡ ଲଗାଇଥିଲେ, ତାହା ମଧ୍ୟ ସେ ହାର୍ଦ୍ଦିକଙ୍କୁ ଦେଖାଇଥିଲେ। ଏହି ଭେଟଘାଟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି।
ପ୍ରଶଂସକ ଦୀପକଙ୍କୁ ୧.୫ ଲକ୍ଷ ଟଙ୍କା ଦେଇଛନ୍ତି କି ହାର୍ଦ୍ଦିକ?
ସୋସିଆଲ୍ ମିଡିଆ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର) ରେ କେତେକ ୟୁଜର୍ ଦାବି କରିଥିଲେ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଦୀପକଙ୍କୁ ୧.୫ ଲକ୍ଷ ଟଙ୍କା ଦେବା ସହ ତାଙ୍କ ଯିବା-ଆସିବା ଖର୍ଚ୍ଚ ବହନ କରିଛନ୍ତି ଏବଂ ଏକ ମୂଲ୍ୟବାନ ଜୁତା ଉପହାର ଦେଇଛନ୍ତି। ତେବେ ଏକ ଗଣମାଧ୍ୟମ ସହ କଥା ହେବା ବେଳେ ଦୀପକ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ହାର୍ଦ୍ଦିକ ତାଙ୍କୁ କେବଳ ଗୋଟିଏ ଟି-ସାର୍ଟ ଦେଇଛନ୍ତି। ଟଙ୍କା ଦେବା ସମ୍ପର୍କିତ ସୂଚନା ସମ୍ପୂର୍ଣ୍ଣ ମିଥ୍ୟା। କିନ୍ତୁ ଭାଇରାଲ୍ ଭିଡିଓଟି ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଥର ଦେଖାସରିଲାଣି ଏବଂ ଅନେକ ଲୋକ ଏହାକୁ ସତ ବୋଲି ମଧ୍ୟ ଗ୍ରହଣ କରିନେଇଛନ୍ତି।

ସୋସିଆଲ ମିଡିଆରେ ଅନେକ ଲୋକ ହାର୍ଦ୍ଦିକଙ୍କ ବ୍ୟବହାରକୁ ପ୍ରଶଂସା କରି ତାଙ୍କୁ ଜଣେ 'ଭଦ୍ରଲୋକ' ବୋଲି ସମ୍ବୋଧନ କରୁଛନ୍ତି। ସେହିପରି ଅନେକ ଏହାକୁ ନେଇ ଚିନ୍ତା ପ୍ରକଟ କରି କହୁଛନ୍ତି ଯେ, ଏହା ଏକ ଟ୍ରେଣ୍ଡ୍ରେ ପରିଣତ ହେବା ଉଚିତ ନୁହେଁ, କାରଣ ଏହା ଦ୍ୱାରା ଅନ୍ୟମାନେ ମଧ୍ୟ ଅଜବ ଉପାୟରେ ପ୍ରିୟ ଖେଳାଳିଙ୍କୁ ଭେଟିବାକୁ ଚେଷ୍ଟା କରିପାରନ୍ତି।
ଜଣେ ୟୁଜର୍ ଦୀପକଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ଯେ, 'ହାର୍ଦ୍ଦିକ ମନରୁ ବହୁତ ଭଲ ମଣିଷ।' ଅନ୍ୟ ଜଣେ ଲେଖିଛନ୍ତି, ‘ବର୍ତ୍ତମାନ ଏହା ଏକ ସମସ୍ୟା ପାଲଟିଯିବ।'

