ଓସିଏ ସାଧାରଣ ପରିଷଦ ବୈଠକରେ ନିର୍ବାଚନକୁ ନେଇ ହୋହାଲ୍ଲା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି କହିଲେ ଲଳିତେନ୍ଦୁ
OCA ନିର୍ବାଚନ ନକରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି । ବିରୋଧ କରି ବୟକଟ୍ କରୁଛି । BCCIକୁ ଏନେଇ ଅବଗତ କରିବି କହିଲେ ଲଳିତେନ୍ଦୁ ମହାପାତ୍ର ।


Published : February 23, 2026 at 5:19 PM IST
କଟକ: ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ । ଓସିଏ ନିର୍ବାଚନକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ଗତକାଲି ହୋହାଲ୍ଲା । ଓସିଏ ନିର୍ବାଚନ ତୁରନ୍ତ କରିବା ପାଇଁ କିଛି ସଦସ୍ୟ ଦାବି କରିଥିବା ବେଳେ ଆଉ କିଛି ସଦସ୍ୟ ନିର୍ବାଚନ ସ୍ଥଗିତ ରଖିବା ପାଇଁ କହିଥିଲେ । ଯାହାକୁ ନେଇ ବୈଠକରେ ଯୁକ୍ତିତର୍କ ହୋଇଥିଲା । ଓସିଏ କାଉନସିଲ ସଦସ୍ୟ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ସହ କିଛି ସଦସ୍ୟ ଓସିଏ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ । ତେବେ ଲଳିତେନ୍ଦୁଙ୍କ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପାଦକ ସଞ୍ଜୟ ବେହେରା ।
ହେଲେ ଅନ୍ୟ ସଦସ୍ୟମାନେ କହିଥିଲେ ଓସିଏ ନିର୍ବାଚନ ଏବେ ନହୋଇ ନୂଆ ସ୍ପୋର୍ଟସ ବିଲ ଆସିବା ପରେ ହେଉ । ତେବେ ଏହାକୁ ନେଇ ଓସିଏ ରାଜନୀତି ସରଗରମ ହୋଇଛି । ଲଳିତେନ୍ଦୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ସମସ୍ତ ନିୟମକୁ ଉଲ୍ଲଂଘନ କରି ଓସିଏ ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଲୋଧା କମିଟି ନିୟମ ଅନୁସାରେ ୧୬ଟି ରାଜ୍ୟ କ୍ରିକେଟ ଆସୋସିଏସନ୍ ନିର୍ବାଚନ କରିସାରିଲାଣି ହେଲେ ଓସିଏ କରୁନାହିଁ । ଏ ବାବଦରେ ମୁଁ ବିସିସିଆଇକୁ ଅବଗତ କରାଇବା ସହ କୋର୍ଟର ଆଶ୍ରୟ ନେବି । ଓସିଏକୁ କିଛି ଲୋକ ବର୍ଷ ବର୍ଷ ଧରି ମାଡ଼ି ବସିଛନ୍ତି, ଦିନକୁ ଦିନ ଓଡିଶା କ୍ରିକେଟ୍ ତଳକୁ ଖସୁଛି। ଏମାନଙ୍କ ଉତ୍ତର ଦାୟିତ୍ଵ ରହିବା କଥା ହେଲେ ରହୁନାହିଁ, ବର୍ଷ ବର୍ଷ ଧରି ବହୁତ ଦୁର୍ନୀତି ଓସିଏରେ ହେଇଛି । ତାହାର ସ୍ପେଶାଲ ଅଡିଟ କରାଯାଉ । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୁଁ ସବୁ କହିବି ।"
ନିୟମକୁ ଉଲ୍ଲଙ୍ଘନ କରି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି । OCA ନିର୍ବାଚନରେ ଅନିୟମିତତା ଏବଂ ସ୍ୱଚ୍ଛତାର ଅଭାବ ରହିଛି । ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘ ନିର୍ବାଚନ କରିସାରିଲେଣି କିନ୍ତୁ ଓସିଏ ନିର୍ବାଚନ ନ କରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି ।ନିର୍ବାଚନ ନେଇ ଏକ… pic.twitter.com/zNnJarz2b0
— Lalitendu Bidyadhar Mohapatra (@LalitenduBJP) February 22, 2026
ଅନ୍ୟପଟେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ଓସିଏ ସ୍ପେଶାଲ ଜେନେରାଲ ବଡି ମିଟିଂରେ ନିଷ୍ପତ୍ତି ନିଆଗଲା ନିର୍ବାଚନ ଏବେ ହେବନାହିଁ ପ୍ରାୟ ସମସ୍ତ ସଦସ୍ୟ ସହମତି ଲିଖିତ ଆକାରରେ ଜଣାଇଛନ୍ତି । କୈଣସି ନିୟମ ଉଲ୍ଲଂଘନ ହୋଇନାହିଁ, ନୂଆ ସ୍ପୋର୍ଟସ ବିଲ ଆସିବା ପରେ ନିର୍ବାଚନ ହେବ, ତାହାର ରୂପରେଖ କଣ ହେଉଛି ଏବଂ ବିସିସିଆଇର ନିର୍ଦ୍ଦେଶ ପରେ ନିର୍ବାଚନ କରାଯିବ । କିଛି ସଦସ୍ୟ ନିର୍ବାଚନ ହେବାପାଇଁ କହୁଥିଲେ ହେଲେ ଅଧିକାଂଶ ସଦସ୍ୟ ନହେବା ପାଇଁ ସହମତି ଦେଇଛନ୍ତି । ଓସିଏରେ କୈଣସି ଦୁର୍ନୀତି ହୋଇନାହିଁ, ମୁଁ ଦାୟିତ୍ଵ ନେବାପରେ ଆର୍ଥିକ ସ୍ତରରେ ଓସିଏ ସୁଦୃଢ ହୋଇଛି ପୂର୍ବରୁ ଆର୍ଥିକ କ୍ଷତିରେ ଚାଲୁଥିଲା । ମୁଖ୍ୟମନ୍ତ୍ରୀ ଓସିଏ ବାବଦରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁକଥା ଆଲୋଚନା କରିବି ।"
ଏହା ବି ପଢନ୍ତୁ- ପୁନରୁଦ୍ଧାର ହେବ ବାରବାଟୀ ଷ୍ଟାଡିଅମ; ସଵୁଜ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ମିଳିବ ଏହିସବୁ ସୁବିଧା
ଇଟିଭି ଭାରତ, ଭୁବନେଶ୍ୱର

