IPL 2026 ପ୍ରସ୍ତୁତି ମଧ୍ୟରେ ଏମ୍ ଧୋନିଙ୍କୁ ଲାଗିଲା ୧୦୦୦ ଟଙ୍କାର ଜରିମାନା, ଜାଣନ୍ତୁ ପୂରା ମାମଲା
ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ଅଡୁଆ ପରିସ୍ଥିତିରେ ଫସିଯାଇଛନ୍ତି।

Published : March 4, 2026 at 3:24 PM IST
MS Dhoni Fined: ଆଇପିଏଲ୍ (IPL 2026) ର ୧୯ତମ ସଂସ୍କରଣ ପାଇଁ ବର୍ତ୍ତମାନ ପୂରା ଦେଶରେ ମାହୋଲ ଉଷ୍ମ ହେବାକୁ ଲାଗିଛି। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ଅଡୁଆ ପରିସ୍ଥିତିରେ ଫସିଯାଇଛନ୍ତି। ଜଣେ ସଚେତନ ନାଗରିକ ଭାବେ ଜଣାଶୁଣା ଧୋନିଙ୍କ ନାଁରେ ବର୍ତ୍ତମାନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ହୋଇଛି।
ଘଣ୍ଟା ପ୍ରତି ଅଧିକ ଥିଲା ବେଗ: କଟିଲା ଚାଲାଣ
ଧୋନିଙ୍କୁ ତାଙ୍କ ନିଜ ସହର ରାଞ୍ଚିରେ ୧୦୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଛି। ସହରର ଟ୍ରାଫିକ ମନିଟରିଂ ସିଷ୍ଟମରେ ଧୋନିଙ୍କ ଗାଡ଼ି ନିର୍ଦ୍ଧାରିତ ସୀମାଠାରୁ ଅଧିକ ବେଗରେ ଯାଉଥିବା ଧରାପଡ଼ିଥିଲା। ଏଥିପାଇଁ ମୋଟର ଯାନ ଅଧିନିୟମର ଧାରା ୧୮୩ ଅନୁଯାୟୀ ତାଙ୍କ ନାମରେ ଏକ ଇ-ଚାଲାଣ କଟାଯାଇଛି। ଘଟଣାଟି ତାଙ୍କ ବାସଭବନ ନିକଟରେ ହିଁ ଘଟିଥିବା ସୂଚନା ମିଳିଛି। କଥାଟି ସାମାନ୍ୟ ଟ୍ରାଫିକ ନିୟମର ହୋଇଥିଲେ ମଧ୍ୟ, 'ଥାଲା'ଙ୍କ ସହ ଜଡ଼ିତ ହୋଇଥିବାରୁ ସୋସିଆଲ ମିଡିଆରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।

ହାଉସିଂ ବୋର୍ଡରୁ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍
କେବଳ ଟ୍ରାଫିକ୍ ଚାଲାଣ ନୁହେଁ, ବରଂ ଏକ ଜମି ବିବାଦକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ମାହି। ଝାଡ଼ଖଣ୍ଡ ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ତାଙ୍କୁ ଏକ ନୋଟିସ୍ ପଠାଯାଇଛି। ଅଭିଯୋଗ ହୋଇଛି ଯେ, ରାଞ୍ଚିର ହର୍ମୁ ରୋଡ୍ ସ୍ଥିତ ଯେଉଁ ପ୍ଲଟଟି ଧୋନିଙ୍କୁ କେବଳ ରହିବା ପାଇଁ (Residential) ଦିଆଯାଇଥିଲା, ସେଠାରେ ଏବେ ବ୍ୟାବସାୟିକ କାର୍ଯ୍ୟକଳାପ ଚାଲିଛି। ଧୋନି ବର୍ତ୍ତମାନ ରିଙ୍ଗ ରୋଡ୍ ସ୍ଥିତ ନିଜ ନୂଆ ଫାର୍ମହାଉସକୁ ଚାଲିଯାଇଥିବାରୁ ଏହି ପୁରୁଣା ପ୍ଲଟର ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଛି।
ଆଇପିଏଲ୍ ୨୦୨୬: ମଇଦାନରେ ପୁଣି ଗର୍ଜିବେ ମାହି
ଏସବୁ ବିବାଦ ଭିତରେ ଧୋନିଙ୍କ ସମ୍ପୂର୍ଣ୍ଣ ଫୋକସ୍ ଏବେ କ୍ରିକେଟ୍ ଉପରେ। ଚେନ୍ନାଇ ସୁପର କିଙ୍ଗସ (CSK) ପାଇଁ ସେ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଦେଲେଣି।
କମ୍ବ୍ୟାକ୍ ଆଶାରେ CSK: ୨୦୨୫ ସିଜିନ ଚେନ୍ନାଇ ପାଇଁ ବହୁତ ଖରାପ ରହିଥିଲା। ୧୪ଟି ମ୍ୟାଚରୁ ୧୦ଟିରେ ହାରି ଦଳ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଥିଲା। ଏଥର ଧୋନିଙ୍କୁ 'ଅନକ୍ୟାପଡ ପ୍ଲେୟାର' ନିୟମ ଅନୁଯାୟୀ ୪ କୋଟି ଟଙ୍କାରେ ଦଳରେ ରଖାଯାଇଛି। ଶେଷ ସିଜିନର ଧୋନି ୧୩୫.୧୭ ଷ୍ଟ୍ରାଇକ୍ ରେଟରେ ୧୯୬ ରନ୍ କରିଥିଲେ।
ଅଭିଜ୍ଞତା ହିଁ ସବୁଠୁ ବଡ଼ ଅସ୍ତ୍ର:
୪୪ ବର୍ଷ ବୟସରେ ମଧ୍ୟ ଧୋନିଙ୍କ ରଣନୀତି ଏବଂ ଡ୍ରେସିଂ ରୁମରେ ତାଙ୍କର ଉପସ୍ଥିତି ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ବ୍ୟାଟିଂ କ୍ରମରେ ତଳକୁ ଆସୁଥିଲେ ମଧ୍ୟ ଶେଷ ଓଭରଗୁଡ଼ିକରେ ତାଙ୍କର ଫିନିସିଂ ଟଚ୍ ଦେଖିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।

