INDW vs AUSW: ଜର୍ଜିଆ ୱାଲ୍ଙ୍କ ଦମଦାର ଶତକ; ଭାରତକୁ ହରାଇ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆର ଏହି ଦମଦାର ବିଜୟର ନାୟିକା ସାଜିଥିଲେ ଜର୍ଜିଆ ୱାଲ୍। ଯିଏ ଏକ ଶାନଦାର ଶତକ ଲଗାଇ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।

Published : February 27, 2026 at 4:39 PM IST
Australia Women vs India Women: ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଝଟ୍କା। ହୋବାର୍ଟର ବେଲେରିଭ୍ ଓଭାଲଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୫ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ କଙ୍ଗାରୁ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୦ରେ କବଜାକୁ କରିନେଇଛି। ଅଷ୍ଟ୍ରେଲିଆର ଏହି ଦମଦାର ବିଜୟର ନାୟିକା ସାଜିଥିଲେ ଜର୍ଜିଆ ୱାଲ୍। ଯିଏ ଏକ ଶାନଦାର ଶତକ ଲଗାଇ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।
ଜର୍ଜିଆ ଓ ଲିଚଫିଲ୍ଡଙ୍କ ବିସ୍ଫୋରକ ବ୍ୟାଟିଂ
ଅଷ୍ଟ୍ରେଲିଆ ପାଇଁ ଓପନର ଆଲିସା ହିଲି ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ ସୁଦ୍ଧା, ଜର୍ଜିଆ ୱାଲ୍ ଏବଂ ପିଭି ଲିଚଫିଲ୍ଡ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଜର୍ଜିଆ ମାତ୍ର ୮୨ ବଲ୍ରେ ୧୦୧ ରନ୍ର ଏକ ଆକର୍ଷଣୀୟ ଶତକୀୟ ଇନିଂସ ଖେଳିଥିଲେ, ଯେଉଁଥିରେ ୧୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅନ୍ୟପଟେ ଲିଚଫିଲ୍ଡ ମଧ୍ୟ ୮୦ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳର ବିଜୟର ରାସ୍ତା ପରିଷ୍କାର କରିଥିଲେ।
A sensational knock from Georgia Voll powers her to a second ODI century 👏
— ICC (@ICC) February 27, 2026
📝: https://t.co/Sf3Hl7F3LW pic.twitter.com/7bHClOXvIq
କାମରେ ଆସିଲାନି ପ୍ରତିକା-ହରମନପ୍ରୀତଙ୍କ ଅର୍ଦ୍ଧଶତକ
ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରତିକା ରାୱଲ ଏବଂ ଅଧିନାୟିକା ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୫୧ ରନ୍ କରିଥିଲା। ପ୍ରତିକା ୫୨ ରନ୍ର ଏକ ସନ୍ତୁଳିତ ଇନିଂସ ଖେଳିଥିବା ବେଳେ ହରମନପ୍ରୀତ ୫୪ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସ୍ମୃତି ମନ୍ଧାନା ମଧ୍ୟ ୩୧ ରନ୍ର ଯୋଗଦାନ ଦେଇଥିଲେ। କିନ୍ତୁ ମଧ୍ୟକ୍ରମରେ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର ନ କରିବା କାରଣରୁ ଭାରତର ସ୍କୋର ୨୫୧ ରନରେ ସିମୀତ ରହିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସୁଦର୍ଲାଣ୍ଡ, ଗାର୍ଡନର ଓ ଆଲାନା କିଙ୍ଗ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
Australia secure the ODI series with a clinical victory over India in Hobart 💪
— ICC (@ICC) February 27, 2026
📝: https://t.co/Sf3Hl7F3LW pic.twitter.com/HQex1JGlN6
କଙ୍ଗାରୁ ବ୍ୟାଟରଙ୍କ ଜବାବ
୨୫୨ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଆରମ୍ଭ ଖାସ ନଥିଲା। ଆଲିସା ହିଲି ମାତ୍ର ୬ ରନ୍ କରି କାଶଭି ଗୌତମଙ୍କ ଶିକାର ହୋଇଥିଲେ। କିନ୍ତୁ ଏହାପରେ ପିଭି ଲିଚଫିଲ୍ଡ ଏବଂ ଜର୍ଜିଆ ୱାଲ୍ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଦୁହିଁଙ୍କ ମଧ୍ୟରେ ୧୧୯ ରନ୍ର ଏକ ଦ୍ରୁତ ପାର୍ଟନରସିପ୍ ହୋଇଥିଲା। ଲିଚଫିଲ୍ଡ ୬୨ ବଲ୍ରୁ ୮୦ ରନ୍ର ଏକ ଝଡ଼ ପରି ଇନିଂସ ଖେଳିଥିଲେ।
ଅନ୍ୟପଟେ ଜର୍ଜିଆ ୱାଲ୍ ମାତ୍ର ୮୨ ବଲ୍ରେ ୧୦୧ ରନ୍ କରି ଦଳର ବିଜୟ ପଥ ପରିଷ୍କାର କରିଥିଲେ। ଭାରତ ପକ୍ଷରୁ କାଶଭି ଗୌତମ ୨ଟି ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ଓ କ୍ରାନ୍ତି ଗୌଡ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ୩୬.୩ ଓଭରରେ ହିଁ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

