ଟିମ୍ ଇଣ୍ଡିଆରୁ ଅଣଦେଖା: ଚୟନକର୍ତ୍ତାଙ୍କୁ ମାତ୍ର ୪ଟି ଶବ୍ଦରେ ଜବାବ ଦେଲେ କୃଣାଲ ପାଣ୍ଡ୍ୟା!
ଆଫଗାନିସ୍ତାନ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବାର ଆଶା ରଖିଥିବା କୃଣାଲ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ।

Published : September 2, 2026 at 10:27 AM IST
ହାଇଦ୍ରାବାଦ: ଆଫଗାନିସ୍ତାନ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବାର ଆଶା ରଖିଥିବା କୃଣାଲ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହା ପରେ ମଧ୍ଯ ୩୫ ବର୍ଷୀୟ ଅଲରାଉଣ୍ଡର କୃଣାଲ ଆଶା ଛାଡ଼ିନାହାନ୍ତି। ଦଳ ଘୋଷଣା ହେବା ପରେ ତୁରନ୍ତ କୃଣାଲ ସୋସିଆଲ ମିଡିଆରେ ମାତ୍ର ଚାରୋଟି ଶବ୍ଦ ଲେଖି ଏକ ପୋଷ୍ଟ ସେୟାର କରିଛନ୍ତି।
କୃଣାଲ ପାଣ୍ଡ୍ୟା ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରି ଲେଖିଛନ୍ତି, 'Hope is still alive' (ଆଶା ବର୍ତ୍ତମାନ ବି ଜୀବିତ ଅଛି)। ତାଙ୍କର ଏହି ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସମ୍ପୂର୍ଣ୍ଣ ସକରାତ୍ମକ ଅଛନ୍ତି। ନିକଟତମ ପ୍ରଦର୍ଶନକୁ ଦେଖିଲେ, କୃଣାଲଙ୍କ ଏହି ଆଶା ରଖିବା ଭୁଲ୍ ମଧ୍ୟ ମନେହୁଏ ନାହିଁ। ଆଇପିଏଲ୍ ୨୦୨୬ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ଏହି ଅଲରାଉଣ୍ଡର ନିଜର ଉପଯୋଗିତା ପ୍ରମାଣିତ କରିଥିଲେ।

ଆଇପିଏଲ୍ ୨୦୨୬ କୃଣାଳ ପାଣ୍ଡ୍ୟା ମାତ୍ର ୯ଟି ଇନିଂସରେ ୧୪୫.୮୦ ଷ୍ଟ୍ରାଇକ୍ ରେଟ୍ରେ ୨୨୬ ରନ୍ କରିବା ସହ ୧୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ହାସଲ କରିଥିଲେ। ଏହା ପୂର୍ବ ସିଜିନ୍ରେ ମଧ୍ୟ ଆରସିବିକୁ ଚାମ୍ପିଅନ୍ କରାଇବାରେ ତାଙ୍କ ବୋଲିଂର ପ୍ରମୁଖ ଭୂମିକା ଥିଲା। କୃଣାଳ ପାଣ୍ଡ୍ୟା ଫାଇନାଲ୍ ମ୍ୟାଚ୍ରେ ୧୭ ରନ୍ ଦେଇ ୨ଟି ୱିକେଟ୍ର ଏକ ମ୍ୟାଚ୍-ୱିନିଂ ସ୍ପେଲ୍ ବୋଲିଂ କରିଥିଲେ।
ଆଫଗାନିସ୍ତାନ ସିରିଜ୍ ପାଇଁ ଅଲରାଉଣ୍ଡର ଭାବେ ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଏବଂ ଯୁବ ଖେଳାଳି ନୀତିଶ କୁମାର ରେଡ୍ଡୀଙ୍କ ଉପରେ ଭରସା ପ୍ରକଟ କରାଯାଇଛି। କୃଣାଲ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ୨୦୨୧ ରେ ଖେଳିଥିଲେ। ଏପର୍ଯ୍ୟନ୍ତ ଖେଳିଥିବା ୧୯ଟି ଟି-୨୦ ମ୍ୟାଚ୍ରେ ତାଙ୍କ ନାମରେ ୧୨୪ ରନ୍ ଏବଂ ୧୫ଟି ୱିକେଟ୍ ରହିଛି, କିନ୍ତୁ ଦଳରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ବର୍ତ୍ତମାନ ପାଇଁ ତାଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।
335 runs and 31 wickets across the last two IPL seasons, yet Krunal Pandya misses out on the national call-up 🇮🇳🔥
— CricInformer (@CricInformer) September 1, 2026
Taking to Instagram after being snubbed by selectors, Krunal shares a powerful message
👉 "Hope is still alive 🤞🇮🇳" pic.twitter.com/eTvMct7yoU
୧୩, ୧୫ ଓ ୧୭ ସେପ୍ଟେମ୍ବରରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ତିନିଟି ମ୍ୟାଚ୍ ପାଇଁ ଭାରତ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଟପ୍ ଅର୍ଡରରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ ଏବଂ ଯୁବ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଉପସ୍ଥିତ ଥିବାବେଳେ ମଧ୍ୟକ୍ରମକୁ ମଜବୁତ କରିବା ପାଇଁ ଶ୍ରେୟସ ଆୟର, ତିଲକ ବର୍ମା ଓ ଶିବମ ଦୁବେଙ୍କୁ ସାମିଲ କରାଯାଇଛି।
ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ତିଲକ ବର୍ମା, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ହର୍ଷିତ ରାଣା।

