ETV Bharat / sports

ଟି-୨୦ ବିଶ୍ୱକପ୍: ସାଉଥ୍ ଆଫ୍ରିକାକୁ ୪୦ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଇଂଲଣ୍ଡ

ରୋମାଞ୍ଚକର ସେମିଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୦ ରନରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି।

ENG W vs SA W Semifinal 2026
ସାଉଥ୍ ଆଫ୍ରିକାକୁ ୪୦ ରନରେ ପରାସ୍ତ କଲା ଇଂଲଣ୍ଡ (AP)
author img

By ETV Bharat Sports Team

Published : July 3, 2026 at 9:44 AM IST

2 Min Read
Choose ETV Bharat

ENG W vs SA W Semifinal 2026: ଇଂଲଣ୍ଡ ଓଭାଲ୍ ପଡ଼ିଆରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୦ ରନରେ ହରାଇ ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଚାପର ମୁହୂର୍ତ୍ତରେ ଚମତ୍କାର ମନୋବଳ ପ୍ରଦର୍ଶନ କରିଥିଲା। ବର୍ଷ ୨୦୧୮ ପରେ ଇଂଲଣ୍ଡ ଏହା ପ୍ରଥମ ସୁଯୋଗ, ଯେତେବେଳେ ଦଳ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମୁକାବିଲାରେ ପହଞ୍ଚିଛି। ଟାଇଟଲ୍ ମୁକାବିଲା ଖେଳିବାକୁ ଦଳ ରବିବାର ଦିନ ଲର୍ଡସର ଐତିହାସିକ ପଡ଼ିଆରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ଭେଟିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା ଏବଂ ଦଳ ମାତ୍ର ୨୩ ରନରେ ନିଜର ୩ ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ହରାଇଥିଲା। ସଙ୍କଟର ଏହି ସମୟରେ ଅଧିନାୟିକା ନାଟ୍ ସାଇଭର-ବ୍ରଣ୍ଟ ଏବଂ ହିଥର ନାଇଟ୍ ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ୯୦ ବଲରେ ୧୩୩ ରନର ରେକର୍ଡ ଭାଗିଦାରୀ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ଅସୁସ୍ଥ ଥାଇ ମଧ୍ୟ ସାଇଭର-ବ୍ରଣ୍ଟ ପଡ଼ିଆର ଚତୁର୍ଦ୍ଦିଗରେ ଚମତ୍କାର ସଟ୍ସ ଖେଳିଥିଲେ ଏବଂ ଦକ୍ଷିଣ ଆଫ୍ରିକାର ବୋଲରମାନଙ୍କୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ଯାହାଫଳରେ ଇଂଲଣ୍ଡ ଏକ ମଜବୁତ ସ୍କୋରରେ ପହଞ୍ଚି ପାରିଥିଲା।

ସାଉଥ୍ ଆଫ୍ରିକା ଦଳ ପୁଣିଥରେ ଫେଲ୍ ମାରିଥିଲା। ବିଜୟ ପାଇଁ ୧୭୦ ରନର ଲକ୍ଷ୍ୟକୁ ପିଛା କରୁଥିବା ସାଉଥ୍ ଆଫ୍ରିକା ଦଳ ଅଧିନାୟିକା ଲୌରା ୱୋଲଭାର୍ଡଙ୍କଠାରୁ ଏକ ବଡ଼ ପାରି ଆଶା କରୁଥିଲା। ୱୋଲଭାର୍ଡ ଚମତ୍କାର ଫର୍ମରେ ମଧ୍ୟ ଦେଖାଯାଉଥିଲେ, କିନ୍ତୁ ଷଷ୍ଠ ଓଭରରେ ସୋଫି ଏକ୍ଲେଷ୍ଟୋନ୍ ମିଡ୍-ଅନରେ ତାଙ୍କର ଏକ ଅଦ୍ଭୁତ କ୍ୟାଚ୍ ଧରି ଦକ୍ଷିଣ ଆଫ୍ରିକାକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଏହାପରେ ଏକ୍ଲେଷ୍ଟୋନ୍ ସର୍ଟ ଫାଇନ୍ ଲେଗ୍‌ରେ ସୁନେ ଲୁସଙ୍କ ଆଉ ଏକ ମୁସ୍କିଲ୍ କ୍ୟାଚ୍ ଧରି ଇଂଲଣ୍ଡର ଚମତ୍କାର ଫିଲ୍ଡିଂର ନମୁନା ପ୍ରଦର୍ଶନ କରିଥିଲେ।

ଟ୍ୟାଜମିନ୍ ବ୍ରିଟ୍ସ ୪୪ ବଲରେ ଅର୍ଦ୍ଧଶତକ ହାସଲ କରି ଦକ୍ଷିଣ ଆଫ୍ରିକାର ଆଶାକୁ ଜୀବିତ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାର୍ଲି ଡିନ୍‌ଙ୍କ ସ୍ପିନ୍ ଯାଦୁ ଆଗରେ ମଧ୍ୟକ୍ରମ ତାସର ଘର ଭଳି ଭାଙ୍ଗି ପଡ଼ିଥିଲା। ବ୍ରିଟ୍ସ ଏବଂ ବିପଜ୍ଜନକ ଅଲରାଉଣ୍ଡର ମାରିଜାନେ କାପ୍ ଉଭୟ ଏକ୍ସଟ୍ରା କଭରରେ ନାଟ୍ ସାଇଭର-ବ୍ରଣ୍ଟଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏକ ସମୟରେ ୫ ୱିକେଟ୍ ବିନିମୟରେ ୯୫ ରନ୍ କରିବା ପରେ ଦକ୍ଷିଣ ଆଫ୍ରିକା ଦଳ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଏବଂ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଯାଇଥିଲା।

ଏହି ବିଜୟ ଇଂଲଣ୍ଡ ପାଇଁ ବର୍ଷ ୨୦୨୩ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ହାତରୁ ମିଳିଥିବା ପରାଜୟର ପ୍ରତିଶୋଧ ମଧ୍ୟ ଅଟେ। ଗ୍ରୁପ୍ ପର୍ଯ୍ଯାୟରେ କୌଣସି ଆହ୍ୱାନ ବିନା ଆଗକୁ ବଢ଼ିଥିବା ଇଂଲଣ୍ଡ ଦଳ ନିଜ ଘରୋଇ ମାଟିରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଟିକେଟ୍ ହାସଲ କରିଛି।

ଏହା ମଧ୍ୟ ପଢ଼ନ୍ତୁ:

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ଦାବି

ଭାରତ-ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ମାସ ହେବାକୁ ଯାଉଛି ଟେଷ୍ଟ ସିରିଜ୍, BCCI ଜାରି କଲା ସେଡ୍ୟୁଲ୍

ହାର୍ଦ୍ଦିକଙ୍କ ପାଇଁ ପାଗଳ ଓଡ଼ିଆ ଫ୍ୟାନ୍! ୨୦୦୦ କିଲୋମିଟର ସାଇକେଲ ଚଲାଇ ପହଞ୍ଚିଲେ ବେଙ୍ଗାଲୁରୁ, ଦେଲେ ବିଶେଷ ଉପହାର