IND VS ENG Semifinal: ବର୍ଷା ଯୋଗୁଁ ମ୍ୟାଚ୍ ଧୋଇଗଲେ କିଏ ପାଇବ ଫାଇନାଲ୍ ଟିକେଟ୍? ଜାଣନ୍ତୁ କ’ଣ କହୁଛି ICC ନିୟମ
IND VS ENG Semifinal: ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ।

Published : March 3, 2026 at 9:40 AM IST
IND VS ENG Semifinal: ଟି-୨୦ ବିଶ୍ୱକପ୍ ୨୦୨୬ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। କିନ୍ତୁ ଏହି ବଡ଼ ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଏକ ବଡ଼ ପ୍ରଶ୍ନ- ଯଦି ବର୍ଷା ଖେଳ ବିଗାଡ଼େ, ତେବେ କିଏ ଯିବ ଫାଇନାଲ୍?
କ’ଣ ଏହି ରିଜର୍ଭ ଡେ' (Reserve Day) ନିୟମ?
ଆଇସିସି (ICC) ନିୟମ ଅନୁଯାୟୀ, ସେମିଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଏକ 'ରିଜର୍ଭ ଡେ' ରଖାଯାଇଛି। ଯଦି ମାର୍ଚ୍ଚ ୫ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଖେଳ ହୋଇପାରେ ନାହିଁ, ତେବେ ତା’ ପରଦିନ ଅର୍ଥାତ୍ ମାର୍ଚ୍ଚ ୬ରେ ମ୍ୟାଚ୍ କରାଯିବ। ଯଦି ପ୍ରଥମ ଦିନରେ କିଛି ଓଭର ଖେଳ ହେବା ପରେ ବର୍ଷା ହୁଏ, ତେବେ ବାକି ଓଭରଗୁଡ଼ିକ ରିଜର୍ଭ ଡେ’ରେ ଖେଳାଯିବ। ଆଇସିସି ସବୁବେଳେ ଚାହେଁ ଯେ ମ୍ୟାଚ୍ର ନିଷ୍ପତ୍ତି ପଡ଼ିଆରେ ହିଁ ହେଉ।
The dates, times, venues and teams have been confirmed for the semi-finals at the #T20WorldCup 💪
— ICC (@ICC) March 2, 2026
Details 👇https://t.co/0UKXfuke7c
ଯଦି ଦୁଇ ଦିନ ଯାକ ବର୍ଷା ହୁଏ, ତେବେ କାହାର ହେବ ଫାଇଦା?
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଉଭୟ ୫ ଏବଂ ୬ ତାରିଖରେ ବର୍ଷା ଲାଗି ରହେ ଏବଂ ଗୋଟିଏ ବି ବଲ୍ ପଡ଼ି ନପାରେ, ତେବେ ସୁପର-୮ ପର୍ଯ୍ୟାୟର ପ୍ରଦର୍ଶନକୁ ଆଧାର କରାଯିବ। ନିୟମ ଅନୁଯାୟୀ, ଯେଉଁ ଟିମ୍ ସୁପର-୮ରେ ଭଲ ପ୍ରଦର୍ଶନ କରିଥିବ, ସେହି ଦଳ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବ।
ଏହି କ୍ଷେତ୍ରରେ ଇଂଲଣ୍ଡ ପାଇଁ ପଲ୍ଲା ଭାରି ରହିଛି। ଇଂଲଣ୍ଡ ନିଜର ସମସ୍ତ ୩ଟି ସୁପର-୮ ମ୍ୟାଚ୍ ଜିତିଥିବା ବେଳେ ଭାରତ ୨ଟି ଜିତି ଗୋଟିଏରେ ପରାସ୍ତ ହୋଇଛି। ତେଣୁ ମ୍ୟାଚ୍ ବାତିଲ ହେଲେ ଇଂଲଣ୍ଡ ଫାଇନାଲରେ ପହଞ୍ଚିବ।
ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଲଢ଼େଇ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଲଢ଼େଇ ସବୁବେଳେ ଜବରଦସ୍ତ ହୋଇଥାଏ। ପରିସଂଖ୍ୟାନ ଅନୁଯାୟୀ ଭାରତ ଇଂଲଣ୍ଡ ବିପକ୍ଷରେ ମୋଟ ୨୯ଟି ମ୍ୟାଚ୍ ଖେଳିଛି। ଯେଉଁଠାରେ ଭାରତ ୧୭ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୧୨ଟି ମ୍ୟାଚ୍ ରେ ବିଜୟ ଲାଭ କରିଛି।
𝐀𝐧𝐝 𝐭𝐡𝐞𝐧 𝐭𝐡𝐞𝐫𝐞 𝐰𝐞𝐫𝐞 𝐟𝐨𝐮𝐫 🤩
— ICC (@ICC) March 1, 2026
The #T20WorldCup 2026 semi-finals are locked 🔒
More details➡️ https://t.co/0UKXfuke7c pic.twitter.com/IxJeZvr5M3
ସେମିଫାଇନାଲରେ ଭାରତ ସମେତ ୪ ଦଳ
ଟି-୨୦ ବିଶ୍ୱକପ୍ ୨୦୨୬ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ସୁପର-୮ ପର୍ଯ୍ୟାୟ ଶେଷ ହେବା ପରେ ସେମିଫାଇନାଲ୍ ପାଇଁ ଚାରୋଟି ଶକ୍ତିଶାଳୀ ଦଳ ନିଜର ସ୍ଥାନ ପକ୍କା କରିସାରିଛନ୍ତି। ନିଜ ଘରୋଇ ମାଟିରେ ଖେଳୁଥିବା ଭାରତ ସମେତ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟାଇଟଲ୍ ଲଢ଼େଇ ପାଇଁ ପରସ୍ପରକୁ ସାମ୍ନା କରିବେ।
୨୦୨୨ ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡ ଭାରତକୁ ହରାଇଥିଲା, କିନ୍ତୁ ୨୦୨୪ରେ ଭାରତ ଏହାର ପ୍ରତିଶୋଧ ନେଇ ବ୍ରିଟିସ୍ ଟିମ୍ କୁ ପରାସ୍ତ କରିଥିଲା। ଏବେ ସମସ୍ତଙ୍କ ନଜର ପାଣିପାଗ ଉପରେ। ଯଦି ବର୍ଷା ନହୁଏ, ତେବେ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। କିନ୍ତୁ ବର୍ଷା ହେଲେ ଭାରତ ପାଇଁ ଅଡ଼ୁଆ ବଢ଼ିପାରେ।

