ETV Bharat / sports

T20 World Cup: ସେମିଫାଇନାଲ୍ ଲଢ଼େଇ ପାଇଁ ୪ଟି ଦଳ ପ୍ରସ୍ତୁତ; ଜାଣନ୍ତୁ କେବେ ଓ କେଉଁଠି ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ

ଟି-୨୦ ବିଶ୍ୱକପ୍ ୨୦୨୬ ସୁପର-୮ ପର୍ଯ୍ୟାୟ ଶେଷ ହେବା ପରେ ସେମିଫାଇନାଲ୍ ପାଇଁ ଚାରୋଟି ଶକ୍ତିଶାଳୀ ଦଳ ନିଜର ସ୍ଥାନ ପକ୍କା କରିସାରିଛନ୍ତି।

ICC T20 World Cup 2026 Semi-Finals
ସେମିଫାଇନାଲ୍ ଲଢ଼େଇ ପାଇଁ ୪ଟି ଦଳ ପ୍ରସ୍ତୁତ (IANS)
author img

By ETV Bharat Sports Team

Published : March 2, 2026 at 10:07 AM IST

2 Min Read
Choose ETV Bharat

ICC T20 World Cup 2026 Semi-Finals: ଟି-୨୦ ବିଶ୍ୱକପ୍ ୨୦୨୬ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ସୁପର-୮ ପର୍ଯ୍ୟାୟ ଶେଷ ହେବା ପରେ ସେମିଫାଇନାଲ୍ ପାଇଁ ଚାରୋଟି ଶକ୍ତିଶାଳୀ ଦଳ ନିଜର ସ୍ଥାନ ପକ୍କା କରିସାରିଛନ୍ତି। ନିଜ ଘରୋଇ ମାଟିରେ ଖେଳୁଥିବା ଭାରତ ସମେତ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏବେ ଟାଇଟଲ୍ ଲଢ଼େଇ ପାଇଁ ପରସ୍ପରକୁ ସାମ୍ନା କରିବେ।

ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ: ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ଭାରତ

ରବିବାର କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୪ ୱିକେଟ ହରାଇ ୧୯୫ ରନର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। କିନ୍ତୁ ସଞ୍ଜୁ ସାମସନଙ୍କ ଅପରାଜିତ ୯୭ ରନର ଧୂଆଁଧାର ଇନିଂସ ବଳରେ ଭାରତ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ସେମିଫାଇନାଲ ଟିକେଟ୍ ହାସଲ କରିଛି।

ମ୍ୟାଚ୍ ପରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ଗ୍ରହଣ କରିବା ସମୟରେ ସାମସନଙ୍କ ଆଖି ଛଳଛଳ ହୋଇଯାଇଥିଲା । ଏହି ସମୟରେ ସେ କହିଛନ୍ତି, ଏହା ମୋ ପାଇଁ ସାରା ଦୁନିଆ ସମାନ । ଯେବେଠାରୁ କ୍ରିକେଟ୍ ଖେଳିବା ଆରମ୍ଭ କଲି, ଦେଶ ପାଇଁ ଖେଳିବାକୁ ସ୍ୱପ୍ନ ଦେଖିଥିଲି । ମୁଁ ଏହି ଦିନକୁ ଅପେକ୍ଷା କରିଥିଲି । ମୋ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଆସିଛି । ଅନେକ ଥର ନିଜକୁ ପ୍ରଶ୍ନ କରିଛି ଯେ କ’ଣ ମୁଁ ସଫଳ ହୋଇପାରିବି? କିନ୍ତୁ ବିଶ୍ୱାସ ହରାଇନଥିଲି । ଭଗବାନଙ୍କୁ ଧନ୍ୟବାଦ ଯେ ଆଜି ଏହି ଦିନ ଦେଖିବାକୁ ମୋତେ ସୁଯୋଗ ମିଳିଲା ।"

ସେମିଫାଇନାଲ୍ ସୂଚୀ: କାହା ସହ କାହାର ଟକ୍କର?

ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି ଯାକ ସେମିଫାଇନାଲ୍ ମ୍ୟାଚ୍‌କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେ ପ୍ରବଳ ଉତ୍ସାହ ଦେଖାଦେଇଛି।

୧. ପ୍ରଥମ ସେମିଫାଇନାଲ୍: ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲାଣ୍ଡ

  • ତାରିଖ: ମାର୍ଚ୍ଚ ୪, ବୁଧବାର
  • ସ୍ଥାନ: ଇଡେନ ଗାର୍ଡେନ୍ସ, କୋଲକାତା

ଏହି ଦୁଇ ଦଳ ମଧ୍ୟରୁ ଯିଏ ଜିତିବ, ସେ ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ହେବାର ଗୌରବ ଅର୍ଜନ କରିବ।

୨. ଦ୍ୱିତୀୟ ସେମିଫାଇନାଲ୍: ଭାରତ ବନାମ ଇଂଲଣ୍ଡ

  • ତାରିଖ: ମାର୍ଚ୍ଚ ୫, ଗୁରୁବାର
  • ସ୍ଥାନ: ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ

ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଲଗାତାର ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୨୨ରେ ଇଂଲଣ୍ଡ ଭାରତକୁ ହରାଇଥିବା ବେଳେ ୨୦୨୪ରେ ଭାରତ ପ୍ରତିଶୋଧ ନେଇଥିଲା। ଏବେ ୨୦୨୬ରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା।

ତୃତୀୟ ଥର ପାଇଁ ଭାରତ ହେବ କି ଚାମ୍ପିଅନ୍?

ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବେ ଟାଇଟଲ୍ ଠାରୁ ମାତ୍ର ଦୁଇ ପାଦ ଦୂରରେ ଅଛି। ୨୦୦୭ ଓ ୨୦୨୪ ପରେ ଏବେ ନିଜ ମାଟିରେ ତୃତୀୟ ଥର ପାଇଁ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାର ବାହିନୀ। ଯଦି ଭାରତ ଇଂଲଣ୍ଡକୁ ହରାଏ, ତେବେ ପୁଣିଥରେ ବିଶ୍ୱକପ୍ ଫାଇନାଲରେ ତ୍ରିରଙ୍ଗା ଉଡ଼ିବାର ସୁଯୋଗ ମିଳିବ।

୮ ମାର୍ଚ୍ଚରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍ ଫାଇନାଲ୍

କହି ରଖୁଛୁ ଯେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୮ ମାର୍ଚ୍ଚ ସନ୍ଧ୍ୟା ୭ଟାରେ ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେମିଫାଇନଲେରେ ବିଜେତା ଏହି ଦିନ ବିଶ୍ୱକପ୍ ଟାଇଟଲ୍ ପାଇଁ ଲଢ଼ିବେ।

ଏହା ମଧ୍ୟ ପଢ଼ନ୍ତୁ:

ଆମେରିକାରେ ବିଶ୍ୱକପ୍ ଖେଳିବ କି ଇରାନ? ଆକ୍ରମଣ ପରେ ଦ୍ୱନ୍ଦ୍ୱରେ ଫୁଟବଲ୍ ଫେଡେରେସନ୍

ବିଶ୍ୱକପରେ ଶ୍ରୀଲଙ୍କାର ଲଜ୍ଜାଜନକ ପ୍ରଦର୍ଶନ; କୋଚ୍ ପଦ ଛାଡ଼ିବେ ସନତ ଜୟସୂରିୟା