ETV Bharat / sports

ICC Rankings: ବିଶ୍ୱର ନମ୍ବର ୱାନ୍ ଟି-20 ବ୍ୟାଟ୍ସମ୍ୟାନ ବନିଲେ ଏହି ଭାରତୀୟ ଖେଳାଳି, ଅଭିଷେକଙ୍କୁ ବଡ଼ ଝଟକା

ICC Rankings: ଆଇସିସି ତରଫରୁ ଜାରି କରାଯାଇଥିବ ସଦ୍ୟ ରାଙ୍କିଂରେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ବିଶ୍ୱର ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ICC Rankings
ଅଭିଷେକଙ୍କୁ ବଡ଼ ଝଟକା (IANS)
author img

By ETV Bharat Sports Team

Published : July 1, 2026 at 4:08 PM IST

2 Min Read
Choose ETV Bharat

ICC Rankings: ଆଇସିସି ତରଫରୁ ପ୍ରକାଶ ପାଇଥିବା ସଦ୍ୟ ରାଙ୍କିଂରେ ଭାରତୀୟ କ୍ରିକେଟର ଦବଦବା ସ୍ପଷ୍ଟ ଭାବେ ନଜର ଆସିଛି। ଟି-୨୦ ବ୍ୟାଟିଂ ରାଙ୍କିଂରେ ବର୍ତ୍ତମାନ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ବନିଯାଇଛନ୍ତି। ସେ ନିଜ ଦଳର ସାଥୀ ଖେଳାଳି ଅଭିଷେକ ଶର୍ମାଙ୍କ ଶୀର୍ଷ ସ୍ଥାନ ହାସଲ କରି ନେଇଛନ୍ତି, ଯିଏକି ଗତ ପ୍ରାୟ ଏକ ବର୍ଷ ହେବ ଏହି ସ୍ଥାନରେ ଥିଲେ। ସଦ୍ୟ ପରିସଂଖ୍ୟାନ ଅନୁଯାୟୀ, ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମାତ୍ର ସାତ ରେଟିଂ ପଏଣ୍ଟର ସାମାନ୍ୟ ବ୍ୟବଧାନ ରହିଯାଇଛି। କିଶନ ଏହା ସହିତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଅଭିଷେକ ଶର୍ମାଙ୍କ ପରେ ଟି-୨୦ ଅନ୍ତର୍ଜାତୀୟରେ ନମ୍ବର-୧ ହେବାରେ ଚତୁର୍ଥ ଭାରତୀୟ ପୁରୁଷ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି।

ଇଶାନ କିଶନଙ୍କ ଏହି ଶୀର୍ଷ ସ୍ଥାନ ପଛରେ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍ ୨୦୨୬ରେ ତାଙ୍କର ଧମାକେଦାର ପ୍ରଦର୍ଶନ ରହିଛି। ଇଶାନ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରାୟ ୨୦୦ର ତୁଫାନୀ ଷ୍ଟ୍ରାଇକ୍ ରେଟ୍‌ରେ ୩୧୭ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ନିକଟରେ ଶେଷ ହୋଇଥିବା ସିରିଜରେ ଭାରତ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ଆୟରଲାଣ୍ଡ ଦଳକୁ ମଧ୍ୟ ଏହି ରାଙ୍କିଂରେ ଜବରଦସ୍ତ ଫାଇଦା ମିଳିଛି।

ଆୟରଲାଣ୍ଡ ଖେଳାଳିମାନଙ୍କୁ ମିଳିଲା ଲାଭ

ଆୟରଲାଣ୍ଡ ବ୍ୟାଟ୍ସମ୍ୟାନ ଲୋର୍କାନ ଟକର ଚାରି ସ୍ଥାନ ଉପରକୁ ଉଠି ମିଳିତ ଭାବେ ୭୭ତମ ଏବଂ ରସ୍ ଆଡାୟାର ୬ଟି ସ୍ଥାନ ଉପରକୁ ଉଠି ୮୪ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପଟେ ସିରିଜରେ ଚାରିଟି ୱିକେଟ୍ ହାସଲ କରିଥିବା ଆୟରଲାଣ୍ଡର ବାମହାତୀ ଦ୍ରୁତ ବୋଲର ମ୍ୟାଥ୍ୟୁ ହମ୍ଫ୍ରିଜ୍ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୨୫ତମ ରାଙ୍କିଂରେ ପହଞ୍ଚି ଯାଇଛନ୍ତି। ଭାରତର ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ତିନି ସ୍ଥାନ ଉପରକୁ ଉଠି ଅଲରାଉଣ୍ଡରମାନଙ୍କ ତାଲିକାରେ ସପ୍ତମ ସ୍ଥାନକୁ ଆସିଛନ୍ତି।

ଟେଷ୍ଟ କ୍ରିକେଟ୍ ରାଙ୍କିଂରେ ବଡ଼ ପରିବର୍ତ୍ତନ

ରାଙ୍କିଂର ଏହି ବଡ଼ ଓଲଟପାଲଟ କେବଳ ଟି-୨୦ ମଧ୍ୟରେ ସୀମିତ ରହିନାହିଁ ବରଂ ଟେଷ୍ଟ କ୍ରିକେଟରେ ମଧ୍ୟ ନୂଆ କିଙ୍ଗ୍‌ଙ୍କ ଏଣ୍ଟ୍ରି ହୋଇଛି। ଅଷ୍ଟ୍ରେଲିଆର ଜବରଦସ୍ତ ବ୍ୟାଟ୍ସମ୍ୟାନ ଟ୍ରାଭିସ୍ ହେଡ୍ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ବନିଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ଏବଂ ଜୋ ରୁଟ୍‌ଙ୍କ ବ୍ୟାଟ୍ ଶାନ୍ତ ରହିଥିଲା, ଯାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିଛି। ବ୍ରୁକ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ଵିତୀୟ ଏବଂ ରୁଟ୍ ତୃତୀୟ ସ୍ଥାନକୁ ଚାଲିଆସିଛନ୍ତି। ଏହା ସମେତ ରାଙ୍କିଂରେ ରଚିନ ରବୀନ୍ଦ୍ର (୭ମ), ଡେରିଲ ମିଚେଲ (୧୧ତମ) ଏବଂ ଡେଭନ କନୱେ (୧୫ତମ) ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂ କଥା କହିବାକୁ ଗଲେ ଟେଷ୍ଟ କ୍ରିକେଟରେ ଭାରତର ଷ୍ଟାର୍ ବୋଲର କିଙ୍ଗ୍ ଜସପ୍ରୀତ ବୁମ୍ରା ଆଉ ଥରେ ବିଶ୍ୱର ନମ୍ବର-୧ ଟେଷ୍ଟ ବୋଲରର ତାଜ୍ ନିଜ ନାମରେ କରିଛନ୍ତି। ସେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ୍ ହେନ୍ରିଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ଏହା ବ୍ୟତୀତ ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଟେଷ୍ଟ ଅଲରାଉଣ୍ଡରମାନଙ୍କ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚି ନିଜ କ୍ୟାରିୟରର ଶେଷ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:

'ସେ ଘରକୁ ଯାଇ ଗଳି କ୍ରିକେଟ୍ ଖେଳୁ', ୧୫ ବର୍ଷୀୟ ସୂର୍ଯ୍ୟବଂଶୀଙ୍କୁ ନେଇ ପୂର୍ବତନ ଭେଟେରାନଙ୍କ ବଡ଼ ବୟାନ

ଗୌତମଙ୍କ କୋଚିଂରେ 'ଗମ୍ଭୀର' ସଙ୍କଟ: ଟିମ୍ ଇଣ୍ଡିଆ ନାମରେ ଯୋଡ଼ିହେଲା ୭ ଲଜ୍ଜାଜନକ ରେକର୍ଡ!