PAK vs ENG: ହ୍ୟାରି ବ୍ରୁକ୍ଙ୍କ ବିସ୍ଫୋରକ ଶତକ: ପାକିସ୍ତାନକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଇଂଲଣ୍ଡ
England vs Pakistan: ବିଜୟ ସହ ଇଂଲଣ୍ଡ ଚଳିତ ବିଶ୍ୱକପ୍ର ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ୍ ହାତେଇଛି।

Published : February 25, 2026 at 9:28 AM IST
England vs Pakistan: ଟି-୨୦ ବିଶ୍ୱକପ୍ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୮ ମ୍ୟାଚ୍ରେ ପାକିସ୍ତାନକୁ ୨ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ। ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ଲଢ଼େଇରେ ବିଜୟ ସହ ଇଂଲଣ୍ଡ ଚଳିତ ବିଶ୍ୱକପ୍ର ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ୍ ହାତେଇଛି। ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ ଷ୍ଟାର ବ୍ୟାଟର ହ୍ୟାରି ବ୍ରୁକ୍। ଯାହାଙ୍କ ଧୂଆଁଧାର ଶତକ ବଳରେ ଇଂଲଣ୍ଡ ଏକ କଷ୍ଟକର ପରିସ୍ଥିତିରୁ ବାହାରି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।
ନିରାଶ କରିଥିଲେ ପାକସ୍ତାନ ବ୍ୟାଟର
ମ୍ୟାଚ୍ ବିଷୟରେ କହିଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସୈମ୍ ଆୟୁବ (୭) ରନ୍ କରି ଆଉଟ୍ ହୋଇଥିଲେ। ଭଲ ଫର୍ମରେ ଥିବା ସାହିବଜାଦା ଫରହାନ ୪୫ ବଲରେ ପାକସ୍ତାନ ପାଇଁ ସର୍ବାଧିକ ୬୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଫରହାନଙ୍କ ବ୍ୟତୀତ ପାକିସ୍ତାନର ଅନ୍ୟ କୌଣସି ଖେଳାଳି ବେଶି ସମୟ କ୍ରିଜରେ ବ୍ୟାଟିଂ କରି ପାରି ନଥିଲେ।
Skipper Harry Brook’s sensational #T20WorldCup ton guides England into the semi-finals with a thrilling win over Pakistan 👏
— ICC (@ICC) February 24, 2026
📝: https://t.co/vwGXfd370g pic.twitter.com/2CwAxjbWnt
ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘା ମଧ୍ୟ ମାତ୍ର ୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ବାବର ଆଜମ (୨୪ ବଲ୍ରେ ୨୫) ଏବଂ ଫଖର ଜମାନ (୧୬ ବଲ୍ରେ ୨୫) ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବଡ଼ ସ୍କୋର କରିପାରିନଥିଲେ। ଶେଷ ଆଡ଼କୁ ଶଦାବ ଖାନ ୧୧ ବଲ୍ରେ ୨୩ ରନ୍ର ଏକ ଦ୍ରୁତ ଇନିଂସ ଖେଳିବାରୁ ପାକିସ୍ତାନ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଲିଆମ୍ ଡସନ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଜାମି ଓଭରଟନ ଏବଂ ଜୋଫ୍ରା ଆର୍ଚର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ହ୍ୟାରି ବ୍ରୁକ୍ଙ୍କ ବିସ୍ଫୋରକ ଶତକ
୧୬୫ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡର ଆରମ୍ଭ ମଧ୍ୟ ଖରାପ ରହିଥିଲା। ମାତ୍ର ୧୭ ରନ୍ରେ ଦଳର ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ପଡ଼ିଯାଇଥିଲା। କିନ୍ତୁ ଗୋଟିଏ ପଟେ ହ୍ୟାରି ବ୍ରୁକ୍ ଅଟଳ ରହି ପାକ୍ ବୋଲରଙ୍କୁ ନାକେଦମ କରିଥିଲେ। ସେ ମାତ୍ର ୫୧ଟି ବଲ୍ରେ ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ଏକ ଅବିଶ୍ୱସନୀୟ ଶତକ ହାସଲ କରିଥିଲେ। ତାଙ୍କୁ ଉଇଲ୍ ଜ୍ୟାକ୍ସ (୨୮) ଭରପୂର ସହଯୋଗ କରିଥିଲେ। ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦି ଘାତକ ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ ସୁଦ୍ଧା ବ୍ରୁକ୍ଙ୍କୁ ଅଟକାଇବା ଅସମ୍ଭବ ହୋଇପଡ଼ିଥିଲା।
A superb knock from the England captain helped his side secure a spot in the semi-finals of the #T20WorldCup 🌟
— ICC (@ICC) February 25, 2026
More 👉 https://t.co/4zrKd3I7Cx pic.twitter.com/TlGZAwH7Aq
ପାକିସ୍ତାନ ଦେଇଥିବା ୧୬୫ ରନ୍ ର ଲକ୍ଷ୍ୟକୁ ଇଂଲଣ୍ଡ ୧୯.୧ ଓଭରରେ ୮ ୱିକେଟ ହରାଇ ହାସଲ କରିନେଇଥିଲା। ଅବିଶ୍ୱସନୀୟ ବ୍ୟାଟିଂ ପାଇଁ ହ୍ୟାରି ବ୍ରୁକ୍ଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଘୋଷଣା କରାଯାଇଛି।
ଏହି ବିଜୟ ସହ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ନିଜର ୧୦୦% ବିଜୟ ରେକର୍ଡ ବଜାୟ ରଖିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ମଧ୍ୟରେ ୪ଟି ବିଶ୍ୱକପ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ଚାରିଟିଯାକ ମ୍ୟାଚ୍କୁ ଇଂଲଣ୍ଡ ଜିତିଛି।

