Glasgow CWG: 39 ମେଡାଲ ସହ ଚତୁର୍ଥ ସ୍ଥାନରେ ଭାରତ, 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଟନ ଗ୍ରହଣ କଲେ ନୀରଜ ଚୋପ୍ରା ଏବଂ ପିଟି ଉଷା
ଗ୍ଲାସଗୋ କମନୱେଲଥ ଗେମ୍ସ-2026ରେ ଭାରତ 13 ସ୍ବର୍ଣ୍ଣ, 17 ରୋପ୍ୟ ଏବଂ 9 କାଂସ୍ୟ ପଦକ ସହ ଚତୁର୍ଥ ସ୍ଥାନ ଅଧିକାର କରିଛି । 2030ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ପରବର୍ତ୍ତୀ ସଂସ୍କରଣ ।

Published : August 3, 2026 at 12:13 PM IST
Glasgow CWC 2026 , ଗ୍ଲାସଗୋ: 11 ଦିନ ଧରି ଚାଲିଥିବା କମନୱେଲଥ ଗେମ୍ସ (CWG) 2026 ଶେଷ ହୋଇଛି । ଉଦଯାପନୀ ସମାରୋହରେ ଆୟୋଜକ ସ୍କଟଲାଣ୍ଡ ପକ୍ଷରୁ କମନୱେଲଥ ଗେମ୍ସର ପତାକା ଏବଂ ଔପଚାରିକ ବ୍ୟାଟନ୍ ଭାରତକୁ ହସ୍ତାନ୍ତର କରାଯାଇଛି । କାରଣ 2030 ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତବାର୍ଷିକୀ ସଂସ୍କରଣ ଗୁଜୁରାଟ ଅହମ୍ମଦାବାଦରେ ଅନୁଷ୍ଠିତ ହେବ।
ଏହି ଅବସରରେ ଭାରତ ପକ୍ଷରୁ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା, ଭାରତୀୟ ଅଲିମ୍ପିକ ମହାସଂଘ (IOA)ର ଅଧ୍ୟକ୍ଷା ପି.ଟି. ଉଷା ଏବଂ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଭାରତ ପକ୍ଷରୁ ପତାକା ଓ ବ୍ୟାଟନ ଗ୍ରହଣ କରିଥିଲେ।
ଦ୍ବିତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ ଭାରତ:
ଅଷ୍ଟ୍ରେଲିଆ ପରେ ଭାରତ ଦ୍ୱିତୀୟ ଦେଶ ଭାବେ ଦ୍ୱିତୀୟ ଥର ପାଇଁ କମନୱେଲଥ ଗେମ୍ସ ଆୟୋଜନ କରିବ । ଏହା ପୂର୍ବରୁ 2010ରେ ନୂଆଦିଲ୍ଲୀରେ କମନୱେଲଥ ଗେମ୍ସ ଆୟୋଜିତ ହୋଇଥିଲା ।
ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଯାପନୀ ଉତ୍ସବରେ ସ୍କଟଲାଣ୍ଡର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଏହାପରେ ଭାରତର ବିବିଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଇଣ୍ଡୋ ସ୍କଟିସ୍ ସଂସ୍କୃତିର 'ଯୁଗଳବନ୍ଦୀ' ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯାହାକି ଗ୍ଲାସଗୋରୁ ଅହମ୍ମଦାବାଦକୁ ଦାୟିତ୍ୱ ହସ୍ତାନ୍ତରର ପ୍ରତୀକ ଥିଲା ।
ଗ୍ଲାସଗୋରେ ଭାରତକୁ 39 ପଦକ:
ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା(କମନୱେଲଥ ଗେମ୍ସ)ରେ ମୋଟ 39ଟି ପଦକ ହାସଲ ସହ ଚତୁର୍ଥ ସ୍ଥାନରେ ରହିଛି । ଏଥିରେ ରହିଛି 13 ଟି ସ୍ୱର୍ଣ୍ଣ, 17ଟି ରୌପ୍ୟ ଓ 9ଟି କାଂସ୍ୟ ପଦକ । 2022 ବର୍ମିଂହାମ କମନୱେଲଥ ଗେମ୍ସରେ ଭାରତ 61ଟି ପଦକ ଜିତିଥିଲା।
ଭାରତ ପକ୍ଷରୁ ଏଥର 122 ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ। ଏଥର ଭାରତ ଚତୁର୍ଥ ସ୍ଥାନ ବଜାୟ ରଖିବା ସହ ଉନ୍ନତ ପଦକ ସଫଳତା ହାର ହାସଲ କରିଛି । ଦଳର ୩୮ ଜଣ ଆଥଲେଟ୍ ପଦକ ଜିତିଛନ୍ତି । Long Distance Runner ଇଭେଣ୍ଟରେ ଗୁଲବୀର ସିଂହ ଏକମାତ୍ର ଭାରତୀୟ ଭାବେ 2ଟି ପଦକ ଜିତିଛନ୍ତି ।
ଗ୍ଲାସଗୋ କମନୱେଲଥ ମେଡାଲ ତାଲିକା (ଶ୍ରେଷ୍ଠ 4ଟି ଟିମ୍)
ଅଷ୍ଟ୍ରେଲିଆ (170 ପଦକ)- 70 ସ୍ବର୍ଣ୍ଣ, 45 ରୌପ୍ୟ, 55 ବ୍ରୋଞ୍ଜ
ଇଂଲଣ୍ଡ (110 ପଦକ) - 29 ସ୍ବର୍ଣ୍ଣ, 45 ରୌପ୍ୟ, 36 ବ୍ରୋଞ୍ଜ
କାନାଡ଼ା ( 62 ପଦକ) - 19 ସ୍ବର୍ଣ୍ଣ, 20 ରୌପ୍ୟ, 23 ବ୍ରୋଞ୍ଜ
ଭାରତ(39 ପଦକ) - 13 ସ୍ବର୍ଣ୍ଣ, 17 ରୌପ୍ୟ, 9 ବ୍ରୋଞ୍ଜ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,"ଗ୍ଲାସଗୋ କମନୱେଲଥ ଗେମ୍ସରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ମୁଁ ଗର୍ବିତ। 13ଟି ସ୍ୱର୍ଣ୍ଣ ସମେତ 39ଟି ପଦକ ଜିତିଥିବାରୁ ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ।"
Proud of our contingent’s performance at the Glasgow Commonwealth Games.
— Narendra Modi (@narendramodi) August 3, 2026
Delighted that India has won 39 medals, including 13 Golds. Congrats to the medal winners.
Throughout the Games, our talented athletes have displayed exceptional skill, determination and dedication.…
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, "ସମଗ୍ର ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତମାନେ ନିଜର ଦକ୍ଷତା, ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମର ପରିଚୟ ଦେଇଛନ୍ତି । ସେମାନଙ୍କ ସଫଳତା ଦେଶର ଯୁବପିଢ଼ିକୁ ପ୍ରେରଣା ଦେବ। ଆଗାମୀ ପ୍ରତିଯୋଗିତା ପାଇଁ ସମଗ୍ର ଭାରତୀୟ ଦଳକୁ ମୋର ଶୁଭକାମନା । "
ଏହା ମଧ୍ୟ ପଢ଼ନ୍ତୁ...

