ଫିଫା ବିଶ୍ୱକପ୍ କ୍ଵାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଏହି ୮ ଶକ୍ତିଶାଳୀ ଦଳ; ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
FIFA 2026: ୪୮ଟି ଦଳକୁ ନେଇ ଖେଳା ଯାଉଥିବା ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରୁ ୪୦ଟି ଦଳ ବାଦ୍ ପଡ଼ିଛନ୍ତି ଏବଂ ବର୍ତ୍ତମାନ କେବେଳ ୮ଟି ଦଳ ବିଶ୍ୱକପ୍ ଟାଇଟଲ୍ ଦୌଡ଼ରେ ରହିଛନ୍ତି।

Published : July 8, 2026 at 4:07 PM IST
FIFA Quarterfinal Schedule: ଫିଫା ବିଶ୍ୱକପ୍ ୨୦୨୬ର ପ୍ରି-କ୍ଵାର୍ଟର ଫାଇନାଲ୍ ରାଉଣ୍ଡ ଶେଷ ହୋଇଛି। ବୁଧବାର ପ୍ରି-କ୍ଵାର୍ଟର ଫାଇନାଲ୍ର ଶେଷ ମ୍ୟାଚ୍ ସ୍ୱିଜରଲାଣ୍ଡ ଏବଂ କଲୋମ୍ବିଆ ମଧ୍ୟରେ ଖେଳାଯାଇଥିଲା। ୪୮ଟି ଦଳକୁ ନେଇ ଖେଳା ଯାଉଥିବା ଏହି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରୁ ୪୦ଟି ଦଳ ବାଦ୍ ପଡ଼ିଛନ୍ତି ଏବଂ ବର୍ତ୍ତମାନ କେବେଳ ୮ଟି ଦଳ ବିଶ୍ୱକପ୍ ଟାଇଟଲ୍ ଦୌଡ଼ରେ ରହିଛନ୍ତି। ପ୍ରି-କ୍ଵାର୍ଟର ଫାଇନାଲ୍ ରାଉଣ୍ଡରେ ପର୍ତ୍ତୁଗାଲ୍, କାନାଡା, ପାରାଗୁଏ, ବ୍ରାଜିଲ୍, ମେକ୍ସିକୋ, ଆମେରିକା, ଇଜିପ୍ଟ ଓ କଲୋମ୍ବିଆର ଯାତ୍ରା ସମାପ୍ତ ହୋଇଯାଇଛି।
ବିଶ୍ୱକପ୍ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିବା ଦଳ
ଫିଫା ବିଶ୍ୱକପ୍ ୨୦୨୬ କ୍ଵାର୍ଟର ଫାଇନାଲରେ ୮ଟି ଦଳ ପହଞ୍ଚିଛନ୍ତି। ଏଥିରେ ମରକ୍କୋ, ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ୱିଜରଲ୍ୟାଣ୍ଡ, ସ୍ପେନ, ନରୱେ, ବେଲଜିୟମ୍ ଓ ଇଂଲଣ୍ଡ ସାମିଲ ଅଛନ୍ତି। ୯ ଜୁଲାଇରୁ କ୍ଵାର୍ଟର ଫାଇନାଲ୍ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚ୍ ଯେତେବେଳେ ଆରମ୍ଭ ହେବ, ସେତେବେଳେ ଭାରତରେ ୧୦ ଜୁଲାଇ ହୋଇସାରିଥିବ। ଫ୍ରାନ୍ସ ଏବଂ ମରକ୍କୋ ମଧ୍ୟରେ ପ୍ରଥମ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ବୋଷ୍ଟନଠାରେ ଖେଳାଯିବ।
Next: Quarter-finals#FIFAWorldCup pic.twitter.com/To50MPa0Ye
— FIFA World Cup (@FIFAWorldCup) July 8, 2026
ବିଶ୍ୱକପ୍ କ୍ଵାର୍ଟର ଫାଇନାଲର ପୂରା ସୂଚୀ:
ଫ୍ରାନ୍ସ ବନାମ ମରକ୍କୋ (୧୦ ଜୁଲାଇ, ୧:୩୦ AM)
ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ରେ ୟୁରୋପର ଅନ୍ୟତମ ସର୍ବଶ୍ରେଷ୍ଠ ଦଳ ଫ୍ରାନ୍ସର ସାମ୍ନା ମରକ୍କୋ ସହ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ୧୦ ଜୁଲାଇରେ ଖେଳାଯିବ। ଫ୍ରାନ୍ସ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି, କିନ୍ତୁ ମରକ୍କୋ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରି କ୍ଵାର୍ଟର ଫାଇନାଲରେ ପହଞ୍ଚିଛି।
ସ୍ପେନ ବନାମ ବେଲଜିୟମ୍ (୧୧ ଜୁଲାଇ, ୧୨:୩୦ AM)
ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ସ୍ପେନ ଏବଂ ବେଲଜିୟମ୍ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ୧୧ ଜୁଲାଇରେ ଖେଳାଯିବ। ସ୍ପେନ ୨୦୧୦ ଫିଫା ବିଶ୍ୱକପ୍ ଜିତିଥିଲା, କିନ୍ତୁ ଏହାପରେ ଦଳ ସେଭଳି ପ୍ରଦର୍ଶନର ପୁନରାବୃତ୍ତି କରିପାରି ନାହିଁ।
ନରୱେ ବନାମ ଇଂଲଣ୍ଡ (୧୨ ଜୁଲାଇ, ୨:୩୦ AM)
ଫିଫା ବିଶ୍ୱକପ୍ ୨୦୨୬ର ତୃତୀୟ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ନରୱେ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ନରୱେ ଦଳ ରାଉଣ୍ଡ-୧୬ ମ୍ୟାଚ୍ ରେ ୫ ଥରର ଚାମ୍ପିଅନ ବ୍ରାଜିଲ୍କୁ ୨-୧ ରେ ହରାଇ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଅନ୍ୟପଟେ ଆୟୋଜକ ମେକ୍ସିକୋ ବିପକ୍ଷରେ ଏକ ରୋମାଞ୍ଚକର ମୁକାବିଲାରେ ୩-୨ ରେ ବିଜୟ ହାସଲ କରି ଇଂଲଣ୍ଡ କ୍ଵାର୍ଟର ଫାଇନାଲ୍ ପହଞ୍ଚିଛି।
The adidas Golden Boot race continues...#FIFAWorldCup pic.twitter.com/tnz3pZuLpv
— FIFA World Cup (@FIFAWorldCup) July 8, 2026
ଆର୍ଜେଣ୍ଟିନା ବନାମ ସ୍ୱିଜରଲାଣ୍ଡ (୧୨ ଜୁଲାଇ, ୬:୩୦ AM)
ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍ ୨୦୨୬ର ଶେଷ କ୍ଵାର୍ଟର ଫାଇନାଲ୍ ମ୍ୟାଚରେ ସ୍ୱିଜରଲାଣ୍ଡର ସାମ୍ନା କରିବ। ଆର୍ଜେଣ୍ଟିନା ଦଳ ମିଶର ବିପକ୍ଷରେ ବିଜୟ ହାସଲ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ସ୍ୱିଜରଲାଣ୍ଡ ଦଳ ଏକ ବଡ଼ ବିପର୍ଯ୍ୟୟ ଘଟାଇ କଲୋମ୍ବିଆକୁ ପେନାଲ୍ଟି ସୁଟଆଉଟ୍ରେ ୪-୩ ରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି।
ଭାରତରେ କେଉଁଠି ଲାଇଭ୍ ଦେଖିବେ ମ୍ୟାଚ୍?
ଫିଫା ବିଶ୍ୱକପ୍ ୨୦୨୬ର ମ୍ୟାଚ୍ ଗୁଡ଼ିକୁ ଦେଖିବା ପାଇଁ ଭାରତୀୟ ଫୁଟବଲ୍ ପ୍ରଶଂସକମାନଙ୍କୁ ନିଜର ନିଦ ଖରାପ କରିବାକୁ ପଡୁଛି। ଫିଫା ମ୍ୟାଚ୍ ଗୁଡ଼ିକର ଲାଇଭ୍ ଷ୍ଟ୍ରିମିଙ୍ଗ୍ ZEE5 ଆପ୍ରେ ହେଉଛି। ଅନ୍ୟପଟେ ଟିଭିରେ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଗୁଡ଼ିକୁ ୟୁନାଇଟ୍-୮ ସ୍ପୋର୍ଟସ୍ ଚ୍ୟାନେଲ୍ରେ ଦେଖିପାରିବେ।

