ETV Bharat / sports

ଫିଫା ବିଶ୍ୱକପ୍ କ୍ୱାର୍ଟର-ଫାଇନାଲ୍: ଆଜି ମୁହାଁମୁହିଁ ହେବେ ଫ୍ରାନ୍ସ ଓ ମରକ୍କୋ, ଜାଣନ୍ତୁ କାହର ପଲ୍ଲା ଭାରି?

ଫିଫା ବିଶ୍ୱକପ୍ ୨୦୨୨ ସେମିଫାଇନାଲରେ ଫ୍ରାନ୍ସ ମୋରୋକ୍କୋକୁ ୨-୦ରେ ପରାସ୍ତ କରିଥିଲା। ମୋରୋକ୍କୋ ଏହି ପରାଜୟର ପ୍ରତିଶୋଧ ଆଜି ନେବାକୁ ଚାହିଁବ।

FIFA World Cup Quarter Finals
ଆଜି ମୁହାଁମୁହିଁ ହେବେ ଫ୍ରାନ୍ସ ଓ ମରକ୍କୋ! (Etv Bharat)
author img

By ETV Bharat Sports Team

Published : July 9, 2026 at 5:15 PM IST

2 Min Read
Choose ETV Bharat

France vs Morocco: ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆଜି ରାତିରେ ଖେଳାଯିବ। କିଲିଆନ୍ ଏମବାପ୍ପେଙ୍କ ଫ୍ରାନ୍ସର ମୁକାବିଲା 'ଜାଏଣ୍ଟ କିଲର୍ସ' ମୋରୋକ୍କୋ ସହ ହେବ। ଏହି ମ୍ୟାଚ୍ ଆଜି ରାତି ୧:୩୦ ଟାରୁ (୧୦ ଜୁଲାଇ) ବୋଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଫ୍ରାନ୍ସର ଷ୍ଟ୍ରାଇକର ଏମବାପ୍ପେ ଚଳିତ ଟୁର୍ଣ୍ଣାମେଣ୍ଟରେ ୭ଟି ଗୋଲ୍ ଦେଇସାରିଛନ୍ତି। ମେସି ୮ଟି ଗୋଲ୍ ସହ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି। ଯଦି ଏମବାପ୍ପେ ଏହି ମ୍ୟାଚ୍‌ରେ ଗୋଲ୍ କରନ୍ତି, ତେବେ ସେ ମେସିଙ୍କୁ ପଛରେ ପକାଇଦେବେ।

ହେଡ୍ ଟୁ ହେଡ୍ ରେକର୍ଡ

ଫ୍ରାନ୍ସ ଏବଂ ମୋରୋକ୍କୋ ମଧ୍ୟରେ ପୂର୍ବରୁ ୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିରେ ଫ୍ରାନ୍ସର ଏକପାଖିଆ ଦବଦବା ରହିଛି। ଏହି ମ୍ୟାଚ୍ ମଧ୍ୟରୁ ଫ୍ରାନ୍ସ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ମୋରୋକ୍କୋକୁ କେବଳ ଗୋଟିଏରେ ବିଜୟ ମିଳିଛି ଏବଂ ଅନ୍ୟ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ବିଶ୍ୱକପ୍ ଇତିହାସରେ ଦୁଇ ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ୨୦୨୨ ବିଶ୍ୱକପ୍ ସେମିଫାଇନାଲରେ ଫ୍ରାନ୍ସ ମୋରୋକ୍କୋକୁ ୨-୦ରେ ପରାସ୍ତ କରିଥିଲା। ମୋରୋକ୍କୋ ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ।

ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଫ୍ରାନ୍ସ

ଫ୍ରାନ୍ସ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି। ଦଳ ନିଜର ସମସ୍ତ ୫ଟି ଯାକ ମୁକାବିଲା ଜିତିଛି। ଗ୍ରୁପ୍ ପର୍ଯ୍ୟାୟରେ ଫ୍ରାନ୍ସ ନରୱେକୁ ୪-୧, ଇରାକକୁ ୩-୦ ଏବଂ ସେନେଗାଲକୁ ୩-୧ରେ ହରାଇଥିଲା। ରାଉଣ୍ଡ ଅଫ୍ ୩୨ରେ ଦଳର ସାମ୍ନା ସ୍ୱିଡେନ ସହ ହୋଇଥିଲା। ଏଥିରେ ଦଳ ୩-୦ରେ ବିଜୟ ହାସଲ କରିଥିଲା। ଏହାପରେ ରାଉଣ୍ଡ ଅଫ୍ ୧୬ରେ ପାରାଗୁଏକୁ ୧-୦ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି।

ଅନ୍ୟପଟେ ମୋରୋକ୍କୋ ଦଳ ମଧ୍ୟ ଏହି ବିଶ୍ୱକପରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହିଁ। ଗ୍ରୁପ୍ ପର୍ଯ୍ୟାୟରେ ଦଳ ହାଇତିକୁ ୪-୨ ଏବଂ ସ୍କଟଲ୍ୟାଣ୍ଡକୁ ୧-୦ରେ ପରାସ୍ତ କରିଥିଲା। ସେହିପରି ଶକ୍ତିଶାଳୀ ବ୍ରାଜିଲକୁ ୧-୧ରେ ଡ୍ର'ରେ ଅଟକାଇଥିଲା। ରାଉଣ୍ଡ ଅଫ୍ ୩୨ରେ ମୋରୋକ୍କୋର ସାମ୍ନା ନେଦରଲାଣ୍ଡ ସହ ହୋଇଥିଲା। ଫୁଲ୍ ଟାଇମ୍ (ନିର୍ଦ୍ଧାରିତ ସମୟ) ପର୍ଯ୍ୟନ୍ତ ମ୍ୟାଚ୍ ୧-୧ରେ ବରାବର ରହିଥିଲା। ଶେଷରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ମୋରୋକ୍କୋ ୩-୨ରେ ବିଜୟ ହାସଲ କରିଥିଲା। ରାଉଣ୍ଡ ଅଫ୍ ୧୬ରେ ଦଳ କାନାଡାକୁ ୩-୦ରେ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି।

ଏମବାପ୍ପେଙ୍କ ଷ୍ଟ୍ରାଇକ୍ ବନାମ ହକିମିଙ୍କ ଡିଫେନ୍ସ

ଫ୍ରାନ୍ସ ଦଳ ଏମବାପ୍ପେରୁ ଆକ୍ରମଣାତ୍ମକ ଫିନିସିଂ ଚାହିଁବ। ମୋରୋକ୍କୋର ଡିଫେନ୍ସକୁ ଭେଦ କରିବା ଦାୟିତ୍ୱ ତାଙ୍କ ଉପରେ ରହିବ। ଅନ୍ୟପଟେ ମୋରୋକ୍କୋ ତାରକା ଡିଫେଣ୍ଡର ତଥା ଅଧିନାୟକ ଅଚରାଫ ହକିମିଙ୍କ ଦମରେ ଫ୍ରାନ୍ସର ଆଟାକକୁ ରୋକିବା ପାଇଁ ପଡ଼ିଆକୁ ଓହ୍ଲାଇବ। ତେବେ ଏହି ମ୍ୟାଚରେ ଫ୍ରାନ୍ସର ପଲ୍ଲା ଭାରି ରହିବା ଆଶା କରାଯାଉଛି।

ଉଭୟ ଦଳର ସମ୍ଭାବ୍ୟ ପ୍ରାରମ୍ଭିକ ଏକାଦଶ:

ଫ୍ରାନ୍ସ: ମାଇକ୍ ମ୍ୟାଗ୍ନନ୍, ଜୁଲ୍ସ କୌଣ୍ଡେ, ଉପାମେକାନୋ, ୱିଲିୟମ୍ ସଲିବା, ଥିଓ ହର୍ଣ୍ଣାଣ୍ଡେଜ୍, ଚୁଆମେନି, ଏଡ୍ରିଆନ୍ ରୈବିଓ, ମାଇକେଲ୍ ଓଲିସ୍, ଉସ୍ମାନ୍ ଡେମବେଲେ, ବାର୍କୋଲା, କିଲିଆନ୍ ଏମବାପ୍ପେ।

ମୋରୋକ୍କୋ: ୟାସିନ୍ ବୋନୋ, ଅଚରାଫ ହକିମି, ନାୟେଫ୍ ଅଗୁଏର୍ଡ, ରୋମାନ୍ ସିସ୍, ନୁସୈର୍ ମଜରୌଇ, ସୋଫୟାନ୍ ଅମରାବତ୍, ଅଜେଦିନ୍‌ ଅୌନାହି, ସେଲିମ୍ ଅମଲ୍ଲାହ, ହାକିମ୍ ଜିୟେଚ୍, ୟୁସୁଫ୍ ଏନ୍-ନେସିରି, ସୋଫିଆନ୍ ବୌଫାଲ୍।

ଏହା ମଧ୍ୟ ପଢ଼ନ୍ତୁ:

ଫିଫା ବିଶ୍ୱକପ୍ କ୍ଵାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଏହି ୮ ଶକ୍ତିଶାଳୀ ଦଳ; ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଚକ୍‌ଖଡ଼ିରେ ଫିଫା ବିଶ୍ୱକପ୍‌! ଅଭିନବ କଳାକୃତି ସୃଷ୍ଟି କରି ଚର୍ଚ୍ଚାରେ ବ୍ରହ୍ମପୁରର ଯୁବ ଇଂଜିନିୟର