ଫିଫା ବିଶ୍ୱକପ୍ ୨୦୨୬: ସ୍ୱିଡେନକୁ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପହଞ୍ଚିଲା ଫ୍ରାନ୍ସ,ଚମକିଲେ ଏମବାପ୍ପେ
FIFA World Cup 2026: ସ୍ୱିଡେନକୁ ୩-୦ ରେ ପରାସ୍ତ କରି ଫ୍ରାନ୍ସ ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୧୬ ରେ ସ୍ଥାନ ପକ୍କା କରିନେଇଛି।

Published : July 1, 2026 at 10:26 AM IST
FIFA World Cup 2026: ସ୍ୱିଡେନକୁ ୩-୦ ରେ ପରାସ୍ତ କରି ଫ୍ରାନ୍ସ ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୧୬ ରେ ସ୍ଥାନ ପକ୍କା କରିନେଇଛି। ଏହି ମ୍ୟାଚରେ କିଲିଆନ୍ ଏମବାପ୍ପେ ପୁଣିଥରେ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ୍ ଦେଇଥିବା ବେଳେ, ବ୍ରାଡ୍ଲି ବାରକୋଲା ମଧ୍ୟ ଗୋଟିଏ ଗୋଲ୍ କରିଥିଲେ। ଏହାସହ ଫ୍ରାନ୍ସ ଟୁର୍ଣ୍ଣାମେଣ୍ଟରେ ନିଜର କ୍ରମାଗତ ବିଜୟ ଯାତ୍ରା ଜାରି ରଖିଛି। ବିଶ୍ୱକପ୍ ଇତିହାସରେ ଫ୍ରାନ୍ସ ପ୍ରଥମ ଦଳ ଭାବେ କ୍ରମାଗତ ପାଞ୍ଚଟି ମ୍ୟାଚରେ ଅତିକମରେ ତିନିଟି ଲେଖାଁଏ ଗୋଲ୍ କରିବାର ରେକର୍ଡ କରିଛି।
ଏମବାପ୍ପେ ଏହି ମୁକାବିଲାରେ ଦୁଇଟି ଗୋଲ୍ କରି ବିଶ୍ୱକପ୍ରେ ନିଜର ମୋଟ ଗୋଲ୍ ସଂଖ୍ୟା ୧୮ରେ ପହଞ୍ଚାଇଛନ୍ତି। ଏହାସହ ସେ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ୍ କରିଥିବା ଖେଳାଳିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛନ୍ତି। ସେ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜେଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ଏବେ ତାଙ୍କ ଆଗରେ କେବଳ ଲିଓନେଲ ମେସି ରହିଛନ୍ତି। ଯାହାଙ୍କ ନାମରେ ୧୯ଟି ଗୋଲ୍ ରହିଛି।
Kylian Mbappé becomes the top European goalscorer in #FIFAWorldCup history 🌟 pic.twitter.com/96wJcfhip1
— FIFA World Cup (@FIFAWorldCup) July 1, 2026
ମ୍ୟାଚ୍ ବିଷୟରେ କହିଲେ ଫ୍ରାନ୍ସ ପ୍ରଥମ ହାଫ୍ରେ ଅନେକ ସୁଯୋଗ ସୃଷ୍ଟି କରିଥିଲା କିନ୍ତୁ ସ୍ୱିଡେନର ମଜବୁତ ରକ୍ଷଣଭାଗ ଯୋଗୁଁ ଗୋଲ୍ କରିପାରି ନଥିଲା। ଶେଷରେ ଏମବାପ୍ପେ ଚମତ୍କାର ଫୁଟୱର୍କ ପ୍ରଦର୍ଶନ କରି ପେନାଲ୍ଟି ବକ୍ସ ଭିତରୁ ଏକ ସାନଦାର ସଟ୍ ମାରି ଦଳକୁ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ ହାଫ୍ ଆରମ୍ଭରୁ ହିଁ ଫ୍ରାନ୍ସ ମ୍ୟାଚ୍ ଉପରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ସୁଦୃଢ଼ କରିନେଇଥିଲା। ମାଇକେଲ୍ ଓଲିସେ ଏକ ସୁନ୍ଦର ପାସ୍ ଦେଇ ବ୍ରାଡ୍ଲି ବାରକୋଲାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲେ, ଯାହାକୁ ସେ ଗୋଲ୍ରେ ପରିଣତ କରିଥିଲେ। ଏହାର କିଛି ସମୟ ପରେ ଓଲିସେ ଆଉ ଏକ ଚମତ୍କାର ପାସ୍ ଏମବାପ୍ପେଙ୍କୁ ଦେଇଥିଲେ ଏବଂ ଫ୍ରାନ୍ସ ଅଧିନାୟକ ବିନା କୌଣସି ଭୁଲ୍ରେ ନିଜର ଦ୍ୱିତୀୟ ଗୋଲ୍ ଦେଇଥିଲେ। ବିଶ୍ୱକପ୍ର ନକଆଉଟ୍ ମୁକାବିଲାରେ ଏହା ମଧ୍ୟ ଏମବାପ୍ପେଙ୍କ ୧୦ମ ଗୋଲ୍ ଥିଲା।
Three more spots are taken in the Round of 16 🙌#FIFAWorldCup
— FIFA World Cup (@FIFAWorldCup) July 1, 2026
୭ମ ଥର ପାଇଁ ବିଶ୍ୱକପ୍ ପ୍ରି-କ୍ୱାର୍ଟରରେ ଫ୍ରାନ୍ସ
ଫ୍ରାନ୍ସ ୭ମ ଥର ପାଇଁ ବିଶ୍ୱକପ୍ର ପ୍ରି-କ୍ୱାର୍ଟର ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଏହାପୂର୍ବରୁ ଦଳ ୧୯୮୬, ୧୯୯୮, ୨୦୦୬, ୨୦୧୪, ୨୦୧୮ ଏବଂ ୨୦୨୨ ରେ ମଧ୍ୟ ଏହି ପର୍ଯ୍ୟାୟରେ ପହଞ୍ଚିଥିଲା। କ୍ରମାଗତ ଚତୁର୍ଥ ଥର ପାଇଁ ରାଉଣ୍ଡ ଅଫ୍ ୧୬ ରେ ପହଞ୍ଚିବା ମାମଲାରେ ଫ୍ରାନ୍ସ ଆଗରେ କେବଳ ବ୍ରାଜିଲ୍ ରହିଛି। ବର୍ତ୍ତମାନ ଜୁଲାଇ ୫ ରେ ଫିଲାଡେଲଫିଆରେ ଏହି ଦଳର ମୁକାବିଲା ପାରାଗୁଏ ସହ ହେବ। ଏହି ମ୍ୟାଚରେ ଫ୍ରାନ୍ସ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।
A strong performance sees France through 💪#FIFAWorldCup
— FIFA World Cup (@FIFAWorldCup) June 30, 2026
ଆଇଭରି କୋଷ୍ଟକୁ ୨-୧ ରେ ପରାସ୍ତ କଲା ନରୱେ
ଫିଫା ବିଶ୍ୱକପ୍ ୨୦୨୬ର ନକଆଉଟ୍ ଅନ୍ୟ ଏକ ମୁକାବିଲାରେ ଆଇଭରି କୋଷ୍ଟକୁ ୨-୧ ରେ ପରାସ୍ତ କରି ନରୱେ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ ୧୬ ରେ ନିଜର ସ୍ଥାନ ପକ୍କା କରିନେଇଛି। ଡଲାସରେ ଖେଳାଯାଇଥିବା ଏହି ଅତି ରୋମାଞ୍ଚକର ଏବଂ କଠିନ ମୁକାବିଲାରେ ନରୱେ ବିଜୟର ହିରୋ ପୁଣିଥରେ ଷ୍ଟାର୍ ଷ୍ଟ୍ରାଇକର୍ ଏର୍ଲିଙ୍ଗ ହାଲାଣ୍ଡ ସାଜିଥିଲେ। ଯିଏକି ଶେଷ ମୂହୁର୍ତ୍ତରେ ଏକ ଜାଦୁଗରୀ ଗୋଲ୍ ଦେଇ ନିଜ ଦଳକୁ ଏହି ଐତିହାସିକ ବିଜୟ ଦେଇଥିଲେ।
Norway push through to the next round! ⏭️#FIFAWorldCup
— FIFA World Cup (@FIFAWorldCup) June 30, 2026
ଇକ୍ୱାଡୋରକୁ ଏକପାଖିଆ ପରାସ୍ତ କଲା ମେକ୍ସିକୋ
ଦିନର ଅନ୍ୟତମ ମ୍ୟାଚରେ ଇକ୍ୱାଡୋରକୁ ୨-୦ ରେ ପରାସ୍ତ କରି ମେକ୍ସିକୋ ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୧୬ (ପ୍ରି-କ୍ୱାର୍ଟର ଫାଇନାଲ୍) ରେ ପ୍ରବେଶ କରିଛି । ଏହି ଐତିହାସିକ ବିଜୟ ସହ ମେକ୍ସିକୋ ବିଶ୍ୱକପ୍ ନକଆଉଟ୍ ପର୍ଯ୍ୟାୟରେ ଚାଲିଥିବା ତାହାର ୪୦ ବର୍ଷର ବିଜୟ ମରୁଡ଼ିର ଅନ୍ତ ଘଟାଇଛି । ଏଷ୍ଟାଡିଓ ଆଜ୍ଟେକା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମେକ୍ସିକୋ ପକ୍ଷରୁ ଜୁଲିଆନ୍ କ୍ୱିନୋନେସ୍ ୨୨ତମ ମିନିଟ୍ରେ ପ୍ରଥମ ଗୋଲ୍ କରିଥିବା ବେଳେ ରାଉଲ୍ ଜିମେନେଜ୍ ୩୧ତମ ମିନିଟ୍ରେ ଏକ ଚମତ୍କାର ଗୋଲ୍ ଦେଇ ଦଳକୁ ୨-୦ ରେ ଆଗୁଆ କରିଥିଲେ ।
Mexico secure their spot in the Round of 16 on home soil! 👊#FIFAWorldCup
— FIFA World Cup (@FIFAWorldCup) July 1, 2026

