ନୂଆ ରୂପରେ CM ଟ୍ରଫି: ଏଥର ଗୋଟିଏ ନୁହେଁ ଚାରିଟି କ୍ରୀଡ଼ାରେ ହେବ ସିଏମ୍ ଟ୍ରଫି
ଫୁଟବଲ ସହ କବାଡ଼ି, ଖୋଖୋ ଏବଂ ଭଲିବଲରେ ମଧ୍ୟ ହେବ ଇଭେଣ୍ଟ l ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଖେଳାଯିବ l


Published : January 7, 2026 at 8:49 AM IST
ଭୁବନେଶ୍ବର: ନୂଆ ରୂପରେ ସିଏମ୍ ଟ୍ରଫି l ଏଥର ଗୋଟିଏ ନୁହେଁ ଚାରିଟି କ୍ରୀଡ଼ାରେ ହେବ ସିଏମ୍ ଟ୍ରଫି l ଫୁଟବଲ ସହ କବାଡ଼ି, ଖୋଖୋ ଏବଂ ଭଲିବଲରେ ମଧ୍ୟ ହେବ ଇଭେଣ୍ଟ l ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଖେଳାଯିବ l ଏପରିକି ସମସ୍ତ ଜିଲ୍ଲାରେ ଖେଳାଯିବ ଏସବୁ ପ୍ରତିଯୋଗିତା l ଉଭୟ ବାଳକ ଏବଂ ବାଳିକା ବିଭାଗରେ ହେବ ମୁକାବିଲା l ଜାନୁଆରୀ 7ରୁ 14 ଯାଏ ହେବ ରେଜିଷ୍ଟ୍ରେସନ l ସମଗ୍ର ରାଜ୍ୟକୁ ଚାରିଟି ଜୋନରେ ବିଭକ୍ତ କରାଯାଇଛି l
ତୃଣମୂଳ ସ୍ତରରୁ ପ୍ରତିଭା ଚି଼ହ୍ନଟ ସହ ପଡିଆରୁ ପୋଡିୟମ ଯାଏ ପହଞ୍ଚାଇବା ଯାଏ ସହାୟକ ହେବ ଏହି ଟୁର୍ଣ୍ଣାମେଣ୍ଟ l
ସଂକଳ୍ପ "ପଡ଼ିଆରୁ ପୋଡିୟମ୍"
୩୨,୦୦୦ରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା l ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ "ପଡ଼ିଆରୁ ପୋଡିୟମ୍" ର ସଂକଳ୍ପକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ 'ସିଏମ୍ ଟ୍ରଫି' ଚମ୍ପିୟାନରସିପର ଆୟୋଜନ କରାଯିବ । ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନକରି ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ । ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରାଯିବ ।

- ଫୁଟବଲ୍ (୧୫ ବର୍ଷରୁ କମ୍)
- ଭଲିବଲ୍ (୧୪ ବର୍ଷରୁ କମ୍)
- କବାଡ଼ି (୧୬ ବର୍ଷରୁ କମ୍)
- ଖୋ-ଖୋ (୧୪ ବର୍ଷରୁ କମ୍)
ଏହି ଟୁର୍ଣ୍ଣାମେଣ୍ଟ ଏକ ବହୁ-ସ୍ତରୀୟ ପ୍ରକ୍ରିୟାରେ ପରିଚାଳିତ ହେବ । ପ୍ରଥମେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରାଯାଇ ଜିଲ୍ଲାସ୍ତର, ଜୋନାଲ୍ ସ୍ତର ଏବଂ ଶେଷରେ ରାଜ୍ୟସ୍ତରୀୟ ଚାମ୍ପିଅନସିପ ଅନୁଷ୍ଠିତ ହେବ । ୭ ଜାନୁଆରୀରୁ ୧୪ ଜାନୁଆରୀ, ୨୦୨୬ ମଧ୍ୟରେ ଆଶାୟୀ କ୍ରୀଡ଼ାବିତ୍ ମାନେ ସିଏମ୍ ଟ୍ରଫି ଚାମ୍ପିୟନସିପ୍ ପାଇଁ ପଞ୍ଜୀକରଣ କରିପାରିବେ । ମେଧା ଭିତ୍ତିରେ ଜିଲ୍ଲା ସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଟିମ୍ ଗଠନ କରାଯିବ । ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏବଂ ୩୨,୦୦୦ ଯୁବ କ୍ରୀଡ଼ାବିତ୍ ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି।

ପ୍ରତିଯୋଗିତାଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ:
- ପ୍ରଥମ ପର୍ଯ୍ୟାୟ: ଜାନୁଆରୀ - ଫେବୃଆରୀ ମଧ୍ୟରେ
- ଦ୍ୱିତୀୟ ପର୍ଯ୍ୟାୟ: ମେ ମାସରୁ ଆରମ୍ଭ ହେବ
- ସେମି-ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଗୁଡ଼ିକ ମେ' ୨୦୨୬ରେ ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ କ୍ରୀଡ଼ା ସଂଘଗୁଡ଼ିକ ଖେଳାଳିଙ୍କ ପଞ୍ଜୀକରଣ, ଟ୍ରାୟଲ୍ ପରିଚାଳନା, ବୈଷୟିକ ଅଧିକାରୀଙ୍କ ନିଯୁକ୍ତି ଏବଂ ମ୍ୟାଚ୍ ଆୟୋଜନ ପରି ବୈଷୟିକ ଦିଗଗୁଡ଼ିକର ଦାୟିତ୍ୱ ନେବେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ସମଗ୍ର କାର୍ଯ୍ୟକ୍ରମର ଯୋଜନା ଏବଂ ପରିଚାଳନା ଦିଗ ଉପରେ କାର୍ଯ୍ୟ କରିବେ।
ଏହା ମଧ୍ୟ ପଢ଼ନ୍ତୁ- ଓପନ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନସିପରେ ୨୬ ସ୍ବର୍ଣ୍ଣ ପଦକ ଜିତିଲା ବ୍ରହ୍ମପୁର
ଏହା ମଧ୍ୟ ପଢ଼ନ୍ତୁ- କଟକରେ ଖେଳାଯିବ ଜାତୀୟ ଜୁନିଅର ଫେନସିଂ ଚମ୍ପିଆନସିପ୍, ଯୋଗଦେବେ ବିଭିନ୍ନ ରାଜ୍ୟର 500ରୁ ଅଧିକ ଖେଳାଳି
ଇଟିଭି ଭାରତ, ଭୁବନେଶ୍ବର

