ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ; ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ
ବାହାରିନରେ ଅନୁଷ୍ଠିତ BWF ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍ରେ ନିକଟରେ 2ଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ ।


Published : February 24, 2026 at 10:47 PM IST
ଭୁବନେଶ୍ୱର: ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଷଷ୍ଠ ସ୍ୱର୍ଣ୍ଣ ପଦକ ପ୍ରମୋଦ ହାସଲ କରିଛନ୍ତି । ଏହା ସହ କ୍ରମାଗତ ଚତୁର୍ଥ ଥର ପାଇଁ ସେ ବିଶ୍ୱ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଓଡିଶା ଫେରିବା ପରେ ଆଜି ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଦେଶର ସର୍ବଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ବାହାରିନର ମାନାମାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ର ଏସ୍ ୩ ବର୍ଗର ପୁରୁଷ ଏକକରେ ପୁଣି ଥରେ ବିଜେତା ହୋଇଛନ୍ତି ପ୍ରମୋଦ । ବିଡବ୍ଲ୍ୟୁଏଫ୍ ପାରା ବିଶ୍ୱ ଚାମ୍ପିଅନସିପରେ କ୍ରମାଗତ ୪ର୍ଥ ଥର ତଥା ବିଶ୍ୱ ପାରା-ବ୍ୟାଡମିଣ୍ଟନରେ ୬ଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଛନ୍ତି ପ୍ରମୋଦ । ଭାରତର ସମ୍ମାନ ବଢ଼ାଇଥିବା ପ୍ରମୋଦଙ୍କୁ ଆଜି ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ ।
ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଷଷ୍ଠ ସ୍ୱର୍ଣ୍ଣ ପଦକ ସହ କ୍ରମାଗତ ଚତୁର୍ଥ ଥର ପାଇଁ ବିଶ୍ୱ ଟାଇଟଲ୍ ଜିତି ଇତିହାସ ରଚିଥିବା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କଲି।
— Mohan Charan Majhi (@MohanMOdisha) February 24, 2026
ତାଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ଓ ଆମ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ଅଦମ୍ୟ… pic.twitter.com/KS4EdQHvaB
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ପ୍ରମୋଦଙ୍କ ସଫଳତା ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଗାମୀ ଦିନରେ ସେ ଆହୁରି ସଫଳତା ହାସଲ କରନ୍ତୁ । ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ସେହିପରି କ୍ରୀଡା ବିଭାଗ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଳିଙ୍ଗ ଷ୍ଟାଡିୟମରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କ୍ରୀଡା ସଚିବ ଭୁପିନ୍ଦର ସିଂ ପୁନିଆ, କ୍ରୀଡା ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ାମନ୍ତ୍ରୀ କହିଛନ୍ତି, "ପ୍ରମୋଦଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ । ଆମ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା । ପ୍ରମୋଦଙ୍କର ଅଦମ୍ୟ ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ଭାବେ ଆଗାମୀ ପିଢ଼ୀକୁ ଅଧିକ ଉଚ୍ଚତାରେ ପହଞ୍ଚିବାକୁ ପ୍ରେରିତ କରିବ । ପ୍ରମୋଦଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ସଫଳତା ପାଇଁ ମୋର ଆନ୍ତରିକ ଶୁଭେଚ୍ଛା ।"
ଫାଇନାଲରେ ପ୍ରମୋଦ ୨୧-୧୨, ୨୧-୧୮ ସେଟରେ ଇଣ୍ଡୋନେସିଆର ମହମ୍ମଦ ଅଲ ଇମାମଙ୍କୁ ପରାସ୍ତ କରି ଏହି ଐତିହାସିକ ସଫଳତା ଲାଭ କରିଛନ୍ତି । ପ୍ରମୋଦଙ୍କର ଏହା ହେଉଛି ମୋଟ ଉପରେ ଷଷ୍ଠ ଏବଂ ଲାଗାତାର ଚତୁର୍ଥ ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ । ତା' ସହିତ ସେ ମଧ୍ୟ କିମ୍ବଦନ୍ତୀ ଲିନ ଡାନଙ୍କ ୫ ବିଶ୍ବଚାମ୍ପିଅନ୍ସିପ ସ୍ବର୍ଣ୍ଣ ପଦକ ରେକର୍ଡକୁ ଟପିଛନ୍ତି । ପ୍ରମୋଦ ପୂର୍ବରୁ ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ମଧ୍ୟ ବିଶ୍ବ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ଏହା ବି ପଢନ୍ତୁ- ଓଡ଼ିଆ ପୁଅଙ୍କ ଚମତ୍କାର ପ୍ରଦର୍ଶନ: ସ୍ବର୍ଣ୍ଣ ପଦକ ସହ ରେକର୍ଡ ଭାଙ୍ଗିଲେ ପାରା ଆଥଲେଟ ପ୍ରମୋଦ ଭଗତ
ଇଟିଭି ଭାରତ, ଭୁବନେଶ୍ୱର

