Women's Asia Cup: ଏସିଆ କପ୍ରେ ଭାରତୀୟ ମହିଳା ଦଳର ଜୟଯାତ୍ରା; ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହେଲା ‘ଇଣ୍ଡିଆ-ଏ’
ଭାରତୀୟ ମହିଳା କ୍ରିକେଟ୍ ପାଇଁ ଆଜିର ଦିନଟି ଇତିହାସର ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ।

Published : February 22, 2026 at 4:25 PM IST
India A Women vs Bangladesh A Women: ଭାରତୀୟ ମହିଳା କ୍ରିକେଟ୍ ପାଇଁ ଆଜିର ଦିନଟି ଇତିହାସର ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ‘ଡିପି ୱାର୍ଲ୍ଡ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ’ର ଫାଇନାଲ୍ରେ ବାଂଲାଦେଶ-ଏ ଦଳକୁ ୪୬ ରନ୍ରେ ପରାସ୍ତ କରି ଭାରତୀୟ ମହିଳା ‘ଏ’ ଦଳ ଏସିଆ କପ୍ ଟାଇଟଲ୍ ହାତେଇଛି। ରାଧା ଯାଦବଙ୍କ ନେତୃତ୍ୱରେ ଦଳର ଏହି ଦମଦାର ପ୍ରଦର୍ଶନ ପୁଣିଥରେ ପ୍ରମାଣ କରିଛି ଯେ ଏସୀୟ କ୍ରିକେଟ୍ରେ ଭାରତର ଦବଦବା ଅତୁଟ ରହିଛି।
ତେଜଲ ହସବନିସଙ୍କ ବିସ୍ଫୋରକ ବ୍ୟାଟିଂ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଆରମ୍ଭରେ ଦଳ କିଛି ଝଟକା ସହିଥିଲେ ମଧ୍ୟ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ତେଜଲ ହସବନିସ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ମାତ୍ର ୩୩ଟି ବଲ୍ରୁ ୫୧ ରନ୍ର ଏକ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ସେ ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଅଧିନାୟିକା ରାଧା ଯାଦବ ମଧ୍ୟ ଧୈର୍ଯ୍ୟର ସହ ୩୬ ରନ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଯାହା ଫଳରେ ଭାରତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
𝐏𝐫𝐞𝐬𝐞𝐧𝐭𝐢𝐧𝐠 𝐭𝐨 𝐲𝐨𝐮 𝐭𝐡𝐞 #𝐃𝐏𝐖𝐨𝐫𝐥𝐝𝐖𝐨𝐦𝐞𝐧𝐬𝐀𝐬𝐢𝐚𝐂𝐮𝐩𝐑𝐢𝐬𝐢𝐧𝐠𝐒𝐭𝐚𝐫𝐬𝟐𝟎𝟐𝟔 𝐂𝐡𝐚𝐦𝐩𝐢𝐨𝐧𝐬 🏆🇮🇳#ACC pic.twitter.com/T83kbNEchM
— AsianCricketCouncil (@ACCMedia1) February 22, 2026
ଭାରତୀୟ ବୋଲରଙ୍କ ଘାତକ ବୋଲିଂ
୧୩୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ-ଏ ଦଳ ଭାରତୀୟ ବୋଲରଙ୍କ ସଠିକ୍ ଲାଇନ୍ ଏବଂ ଲେନ୍ଥ ଆଗରେ ଆତ୍ମସମର୍ପଣ କରିଥିଲା। ଭାରତ ପକ୍ଷରୁ ପ୍ରେମା ରାୱତ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇ ମାତ୍ର ୧୨ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ସହଯୋଗ କରି ସୋନିଆ ମେନ୍ଧିଆ ଏବଂ ଅଭିଜ୍ଞ ତନୁଜା କନୱର ୨ଟି ଲେଖାଏଁ ୱିକେଟ୍ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପୂରା ବାଂଲାଦେଶ ଦଳ ୧୯.୧ ଓଭରରେ ମାତ୍ର ୮୮ ରନ୍ କରି ଅଲ୍-ଆଉଟ୍ ହୋଇଯାଇଥିଲା।
A proper all-round show from Team India in the Grand Finale ~ every box ticked, every moment owned. Worthy champions of the #DPWorldWomensAsiaCupRisingStars2026 👏🇮🇳#INDWvBANW #GrandFinale #ACC pic.twitter.com/1cDtUKED2T
— AsianCricketCouncil (@ACCMedia1) February 22, 2026
ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକ ବଡ଼ ପଦକ୍ଷେପ
ଏହି ବିଜୟ ପରେ ଏହା ସ୍ପଷ୍ଟ ହୋଇଛି ଯେ ଭାରତୀୟ ମହିଳା କ୍ରିକେଟ୍ର ଭବିଷ୍ୟତ ସମ୍ପୂର୍ଣ୍ଣ ସୁରକ୍ଷିତ। ‘ରାଇଜିଂ ଷ୍ଟାର୍ସ ଏସିଆ କପ୍’ ଅନେକ ନୂଆ ପ୍ରତିଭାଙ୍କୁ ସାମ୍ନାକୁ ଆଣିଛି, ଯେଉଁମାନେ ଖୁବ୍ ଶୀଘ୍ର ଜାତୀୟ ଦଳରେ ସ୍ଥାନ ପାଇବାର ଦକ୍ଷତା ରଖିଛନ୍ତି।
ବିଜୟ ପରେ ଖୁସି ବ୍ୟକ୍ତ କରି ରାଧା ଯାଦବ କହିଛନ୍ତି, "ଏହା ଦଳଗତ ପ୍ରଚେଷ୍ଟାର ଫଳ। ପୂରା ଟୁର୍ଣ୍ଣାମେଣ୍ଟରେ ଆମ ଝିଅମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି, ସେଥିପାଇଁ ମୁଁ ଗର୍ବିତ।" ଏହି ଐତିହାସିକ ବିଜୟ ପାଇଁ ସୋସିଆଲ ମିଡିଆରେ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି।

