ETV Bharat / sports

ଏସୀୟ କ୍ରୀଡ଼ାରେ ଭାରତର ପଦକ ଆଶାକୁ ବଡ଼ ଝଟକା: ଆଘାତ କାରଣରୁ ପ୍ରତିଯୋଗିତାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା

ଆଘାତ ଯୋଗୁଁ ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା, 2026 ସିଜନର ବାକି ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

Big blow to India's medal hopes at Asian Games: Neeraj Chopra ruled out of competition due to injury
ଏସୀୟ କ୍ରୀଡ଼ାରେ ଭାରତର ପଦକ ଆଶାକୁ ବଡ଼ ଝଟକା: ଆଘାତ କାରଣରୁ ପ୍ରତିଯୋଗିତାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା (ETV Bharat)
author img

By ETV Bharat Odisha Team

Published : August 29, 2026 at 6:23 PM IST

2 Min Read
Choose ETV Bharat

NEERAJ CHOPRA RULED OUT ASIAN GAMES, ହାଇଦ୍ରାବାଦ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପଦକ ଆଶାକୁ ଏକ ବଡ଼ ଝଟକା ଲାଗିଛି । ଷ୍ଟାର ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ୨୦୨୬ ସିଜିନ୍ ରୁ ଓହରିଯିବା ଲାଗି ଘୋଷଣା କରିଛନ୍ତି । ଏହାର ଅର୍ଥ ହେଉଛି, ସେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେଉଥିବା ଏସୀଆନ କ୍ରୀଡ଼ାରେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ ।

ନୀରଜ ଚୋପ୍ରା ପ୍ରଶିକ୍ଷଣ ସମୟରେ ଗୋଡ଼ ଲିଗାମେଣ୍ଟରେ ଆଘାତ ପାଇଥିଲେ । ଶୁକ୍ରବାର ଦିନ ନୀରଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଲୌସାନ୍ ଡାଇମଣ୍ଡ ଲିଗ୍ ରେ ତାଙ୍କର ସିଜିନ୍ ର ସର୍ବୋତ୍ତମ ଥ୍ରୋ ରେକର୍ଡ କରିବା ପରେ ତାଙ୍କୁ ଏହି ଆଘାତ ଲାଗିଥିଲା । ସେ ତାଙ୍କ ଡାକ୍ତର ଏବଂ ଦଳ ସହିତ ପରାମର୍ଶ କରିଥିଲେ ଏବଂ ୨୦୨୬ ସିଜିନ୍ ର ଅବଶିଷ୍ଟ ପ୍ରତିଯୋଗିତାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ ।

ନୀରଜ ତାଙ୍କର ଏହି ପୋଷ୍ଟରେ ଲେଖିଛନ୍ତି, "ଦୁର୍ଭାଗ୍ୟବଶତଃ, ଲୌସାନ୍ ଡାଇମଣ୍ଡ ଲିଗ୍ ର କିଛି ସମୟ ପରେ, ମୁଁ ତାଲିମ ନେବା ସମୟରେ ମୋର ଗୋଡ଼ ଲିଗାମେଣ୍ଟ ଛିଣ୍ଡିଗଲା । ମୋର ଡାକ୍ତର ଏବଂ ଦଳ ସହିତ ଆଲୋଚନା କରିବା ପରେ, ଆମେ ନିଷ୍ପତ୍ତି ନେଇଛୁ ଯେ, ମୁଁ ଏହି ସିଜିନ୍ ର ବାକି ସମୟ ପାଇଁ ଅଂଶଗ୍ରହଣ କରିବି ନାହିଁ ।"

ନୀରଜ ଚୋପ୍ରା କହିଛନ୍ତି, "ଏହା ନିରାଶାଜନକ, ବିଶେଷକରି କାରଣ ମୁଁ ଅନୁଭବ କରୁଥିଲି ଯେ, ମୁଁ ମୋର ଲୟ ପାଇବାର ନିକଟତର । କିନ୍ତୁ ଯେପରି ସେମାନେ କୁହନ୍ତି, ବିଫଳତା ଯାତ୍ରାର ଏକ ଅଂଶ । ଏବେ ମୋର ଧ୍ୟାନ ଭଲ ଭାବେ ସୁସ୍ଥ ହେବା ଏବଂ ଆହୁରି ଶକ୍ତିଶାଳୀ ହୋଇ ଫେରିବା ଉପରେ ।"

ଏହି ସିଜିନରୁ ଚୋପ୍ରାଙ୍କ ଓହରିଯିବାର ଅର୍ଥ ହେଉଛି, ସେ ଡାଇମଣ୍ଡ ଲିଗ୍ ଫାଇନାଲ୍ ହରାଇବେ, ଯାହା ପାଇଁ ସେ ଯୋଗ୍ୟତା ଅର୍ଜନ କରିଥିଲେ ।

ଆଘାତ ପରେ ଜୁନ୍ ମାସରେ ଫେରିଥିଲେ

ଲମ୍ବା ଆଘାତ ପରେ, ନୀରଜ ଚୋପ୍ରା ଜୁନ୍ ମାସରେ ଦୋହା ଡାଇମଣ୍ଡ ଲିଗ୍‌ରେ କାର୍ଯ୍ୟକୁ ଫେରିଥିଲେ, ଯେଉଁଠାରେ ସେ 85.69 ମିଟର ଥ୍ରୋ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ । ପରବର୍ତ୍ତୀ ସମୟରେ, ଭାରତୀୟ ତାରକା ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 85.83 ମିଟର ଥ୍ରୋ ସହିତ ରୌପ୍ୟ ପଦକ ଜିତିଥିଲେ । ଚୋପ୍ରାଙ୍କ ଶେଷ ପ୍ରତିଯୋଗିତା ଲୌସାନେରେ ଡାଇମଣ୍ଡ ଲିଗ୍ ଇଭେଣ୍ଟରେ ଥିଲା, ଯେଉଁଠାରେ ସେ 88.05 ମିଟର ଥ୍ରୋ ସହିତ ତାଙ୍କର ସିଜିନର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ ।

ଭାରତର ଏସୀୟ କ୍ରୀଡ଼ା ଆଶାକୁ ବଡ଼ା ଧକ୍କା ଲାଗିଛି

ତାରକା ଜାଭେଲିନ୍ ଥ୍ରୋୟର ଚୋପ୍ରାଙ୍କ ଅନୁପସ୍ଥିତି, ଏସୀୟ କ୍ରୀଡ଼ାରେ ଭାରତର ପଦକ ଆଶାକୁ ଏକ ବଡ଼ ଧକ୍କା ଦେଇଛି । ଚୋପ୍ରା ଗତ ଦୁଇଟି ସଂସ୍କରଣରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ୨୦୨୦ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି ।

ନୀରଜଙ୍କ ପ୍ରତ୍ୟାହାର ସହିତ, ସମସ୍ତଙ୍କ ନଜର ଏବେ ରୋହିତ ଯାଦବଙ୍କ ଉପରେ ରହିବ, ଯିଏ ଏହି ଇଭେଣ୍ଟ ପାଇଁ ପୁରୁଷ ଜାଭେଲିନ୍ ଥ୍ରୋ ଲାଇନଅପ୍‌ର ଅଂଶ ହେବେ । ଯାଦବ ସମ୍ପ୍ରତି ଭୁବନେଶ୍ୱରରେ ବିଶ୍ୱ ଆଥଲେଟିକ୍ସ ରୌପ୍ୟ-ସ୍ତରୀୟ କଣ୍ଟିନେଣ୍ଟାଲ ଟୁର୍ ଇଭେଣ୍ଟରେ ୮୭.୬୮ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ବିଜୟୀ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ଡାଇମଣ୍ଡ ଲିଗ୍ ଫାଇନାଲ୍ସ ପାଇଁ କ୍ୱାଲିଫାଏ କଲେ ନୀରଜ ଚୋପ୍ରା

ଏହା ମଧ୍ୟ ପଢ଼ନ୍ତୁ- ଲୌସାନ୍ ଡାଇମଣ୍ଡ ଲିଗ୍: 9 ସେଣ୍ଟିମିଟର ପାଇଁ ପ୍ରଥମ ସ୍ଥାନରୁ ବଞ୍ଚିତ ନୀରଜ, ଜାଣନ୍ତୁ କିଏ ହେଲେ ଚାମ୍ପିଅନ୍?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ