ETV Bharat / sports

ବେଲଜିୟମ କଲା ଚମତ୍କାର! ସେନେଗାଲକୁ ୩-୨ ରେ ହରାଇ ରାଉଣ୍ଡ ଅଫ୍ ୧୬ରେ କଲା ପ୍ରବେଶ

ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୩୨ ମ୍ୟାଚ୍‌ରେ ବୁଧବାର ଫୁଟବଲ୍ ଇତିହାସର ସବୁଠାରୁ ଅବିଶ୍ୱସନୀୟ ଏବଂ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି ।

Belgium vs Senegal Round of 32 match report
ସେନେଗାଲକୁ ୩-୨ ରେ ହରାଇଲା ବେଲଜିୟମ (AP)
author img

By ETV Bharat Sports Team

Published : July 2, 2026 at 10:01 AM IST

3 Min Read
Choose ETV Bharat

FIFA World Cup 2026: ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୩୨ ମ୍ୟାଚ୍‌ରେ ବୁଧବାର ଫୁଟବଲ୍ ଇତିହାସର ସବୁଠାରୁ ଅବିଶ୍ୱସନୀୟ ଏବଂ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । ଗୋଟିଏ ସମୟରେ ଟୁର୍ଣ୍ଣାମେଣ୍ଟରୁ ସମ୍ପୂର୍ଣ୍ଣ ବାହାର ହେବା ସ୍ଥିତିରେ ଥିବା ବେଲଜିୟମ୍ ଦଳ ଦୁଇଟି ଗୋଲ୍‌ରେ ପଛୁଆ ରହିବା ପରେ ଶେଷ ମିନିଟ୍ ଗୁଡ଼ିକରେ କ୍ରମାଗତ ତିନୋଟି ଗୋଲ୍ ଦେଇ ସେନେଗାଲ୍‌କୁ ୩-୨ ରେ ହରାଇ ଦେଇଛି । ଏହି ବିଜୟ ସହ ବେଲଜିୟମ୍ ସମ୍ମାନର ସହ ରାଉଣ୍ଡ ଅଫ୍ ୧୬ରେ ନିଜ ସ୍ଥାନ ପକ୍କା କରିନେଇଛି ।

ବେଲଜିୟମର ଏହି ଐତିହାସିକ ପ୍ରତ୍ୟାବର୍ତ୍ତନର ଆରମ୍ଭ ସବ୍‌ଷ୍ଟିଚ୍ୟୁଟ୍‌ ଭାବେ ପଡ଼ିଆକୁ ଓହ୍ଲାଇଥିବା ଅଭିଜ୍ଞ ରୋମେଲୁ ଲୁକାକୁ କରିଥିଲେ। ଯାହା ପରେ ୟୁରି ଟିଲେମ୍ୟାନ୍ସ ଏକ୍ସଟ୍ରା ଟାଇମ୍‌ର ଶେଷ ଷ୍ଟପେଜ୍-ଟାଇମରେ ବିଶ୍ୱକପ୍ ଇତିହାସର ସବୁଠାରୁ ବିଳମ୍ବିତ ଐତିହାସିକ ଗୋଲ୍ ଦେଇ ନିଜ ଦଳକୁ ଏକ ଚମତ୍କାର ବିଜୟ ଦେଇଥିଲେ । ଫିଫା ବିଶ୍ୱକପ୍‌ର ବିଗତ ୧୧ଟି ସିଜନର ନକଆଉଟ୍ ଇତିହାସରେ ଏହା ମାତ୍ର ଦ୍ୱିତୀୟ ସୁଯୋଗ, ଯେତେବେଳେ କୌଣସି ଦଳ ୨ କିମ୍ବା ତା’ଠାରୁ ଅଧିକ ଗୋଲ୍‌ରେ ପଛୁଆ ରହିବା ପରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହା ପୂର୍ବରୁ ୨୦୧୮ ବିଶ୍ୱକପ‌ରେ ଜାପାନ ବିପକ୍ଷରେ ମଧ୍ୟ ବେଲଜିୟମ୍ ହିଁ ଏହି ଚମତ୍କାର କରିଥିଲା ।

ମ୍ୟାଚର ପ୍ରାରମ୍ଭିକ ୮୦ ମିନିଟ୍ ପର୍ଯ୍ୟନ୍ତ ସେନେଗାଲ୍ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରିଥିବା ଦେଖାଯାଇଥିଲା । ଖେଳର ୨୫ତମ ମିନିଟ୍ ରେ ହବିବ୍ ଦିଆରା ଗୋଲ୍ କରି ସେନେଗାଲ୍‌କୁ ୧-୦ ରେ ଆଗୁଆ କରିଦେଇଥିଲେ । ଏହାପରେ ଦ୍ୱିତୀୟ ହାଫ୍‌ର ଷଷ୍ଠ ମିନିଟ୍ (୫୧ତମ ମିନିଟ୍) ରେ ଇସ୍ମାଇଲା ସାର୍ ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ଗୋଲ୍ ଦେଇ ସେନେଗାଲ୍‌ର ଅଗ୍ରଣୀକୁ ୨-୦ କରିଦେଇଥିଲେ । ମୁସର ନିଆକାତେଙ୍କ ଲମ୍ବା ପାସ୍ କୁ ସାର୍ ଚମତ୍କାର ଫାଷ୍ଟ-ଟଚ୍‌ ସହ ନିୟନ୍ତ୍ରଣ କରିଥିଲେ ଏବଂ ବେଲଜିୟମର ଅଭିଜ୍ଞ ଗୋଲକିପର ଥିବଟ୍ କୋର୍ଟୁଆଙ୍କୁ ଚକମା ଦେଇ ବଲ୍ କୁ ନେଟ୍ ଭିତରକୁ ପଠାଇ ଦେଇଥିଲେ । ଏହାପରେ କୋର୍ଟୁଆ କିଛି ଦ୍ୱନ୍ଦ୍ୱାତ୍ମକ ଗୋଲକୁ ଚମତ୍କାର ଭାବେ ରୋକି ବେଲଜିୟମକୁ ମ୍ୟାଚରେ ବଜାୟ ରଖିଥିଲେ ।

ବେଲଜିୟମର ଯେତେବେଳେ ବିଦାୟ ପ୍ରାୟ ନିଶ୍ଚିତ ମନେହେଉଥିଲା, ସେତେବେଳେ ୮୬ତମ ମିନିଟ୍‌ରେ ଦେଶର ଅଲ୍-ଟାଇମ୍ ଲିଡିଂ ସ୍କୋରର୍ ରୋମେଲୁ ଲୁକାକୁ ଗୋଲ୍ କରି ସ୍କୋରକୁ ୨-୧ କରିଥିଲେ । ଏହାର ଠିକ୍ ତିନି ମିନିଟ୍ ପରେ, ୮୯ତମ ମିନିଟ୍‌ରେ ୟୁରି ଟିଲେମ୍ୟାନ୍ସ ଏକ ରକେଟ୍ ଶଟ୍ ମାରି ମ୍ୟାଚ୍ କୁ ୨-୨ ବରାବରକୁ ଆଣିଥିଲେ ଏବଂ ମୁକାବିଲାକୁ ଏକ୍ସଟ୍ରା ଟାଇମ୍‌କୁ ଟାଣି ନେଇଥିଲେ । ଏକ୍ସଟ୍ରା ଟାଇମ୍‌ର ଖେଳ ଶେଷ ହେବାକୁ ଯାଉଥିଲା ଏବଂ ଉଭୟ ଦଳ ପେନାଲ୍ଟି ସୁଟ୍‌ଆଉଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ଠିକ୍ ସେତିକିବେଳେ ଏକ୍ସଟ୍ରା ଟାଇମର ଶେଷ ମୁହୂର୍ତ୍ତରେ ଟିଲେମ୍ୟାନ୍ସଙ୍କୁ ସେନେଗାଲର ବକ୍ସ ଭିତରେ ତଳେ ପକାଇ ଦିଆଯାଇଥିଲା । VAR ରିଭ୍ୟୁ ପରେ ରେଫ୍ରି ବେଲଜିୟମକୁ ପେନାଲ୍ଟି ଦେଇଥିଲେ । ଟିଲେମ୍ୟାନ୍ସ ଏକ୍ସଟ୍ରା ଟାଇମ୍ ଷ୍ଟପେଜ୍-ଟାଇମର ୫ମ ମିନିଟ୍ (୧୨୫ତମ ମିନିଟ୍) ରେ ଏହି ପେନାଲ୍ଟିକୁ ଅତି ଶାନ୍ତ ମନରେ ଗୋଲରେ ପରିଣତ କରିଥିଲେ । ଏହା ଫିଫା ବିଶ୍ୱକପ୍ ଇତିହାସର ସବୁଠାରୁ ବିଳମ୍ବରେ କରାଯାଇଥିବା ଗୋଲ୍ ବନିଯାଇଛି ।

ଏହି ଯନ୍ତ୍ରଣାଦାୟକ ପରାଜୟ ପରେ ସେନେଗାଲର ଖେଳାଳିମାନେ ପଡ଼ିଆ ଭିତରେ ହିଁ କାନ୍ଦି ପକାଇଥିଲେ । ପେନାଲ୍ଟି ଦିଆଯିବା ନିଷ୍ପତ୍ତିରେ ସେନେଗାଲର ଖେଳାଳିମାନେ ଏତେ ରାଗିଯାଇଥିଲେ ଯେ ଡିଫେଣ୍ଡର ପାଥେ ସିସ୍ ରେଫ୍ରିଙ୍କ ନିଷ୍ପତ୍ତିର ବିରୋଧ କରି ପେନାଲ୍ଟି ସ୍ପଟ୍ ଉପରେ ହିଁ ଶୋଇପଡ଼ିଥିଲେ, ଯାହାଙ୍କୁ ପରେ ସେଠାରୁ ହଟାଯାଇଥିଲା ।

ମ୍ୟାଚ୍ ପରେ ସେନେଗାଲର କୋଚ୍ ପାପେ ଥିଆଭ୍ ରେଫ୍ରିଙ୍କ ସମାଲୋଚନା ନକରି କହିଥିଲେ, "ଏହା ଏକ ଅତ୍ୟନ୍ତ ନିଷ୍ଠୁର ପରାଜୟ । ଆମେ ମ୍ୟାଚ୍‌ରେ ବହୁତ ଭଲ ସ୍ଥିତିରେ ଥିଲୁ ଏବଂ ୨-୦ ରେ ଆଗୁଆ ଥିଲୁ । କିନ୍ତୁ ଫୁଟବଲ୍ ମ୍ୟାଚ୍ ୮୫ ମିନିଟ୍‌ର ହୋଇନଥାଏ । ବେଲଜିୟମ୍ ଶେଷ ମିନିଟ୍ ଗୁଡ଼ିକରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କଲା ଏବଂ ଆମେ ତାହାକୁ ସମ୍ଭାଳି ପାରିଲୁ ନାହିଁ । ଯେତେବେଳେ ପେନାଲ୍ଟି ଦିଆଗଲା, ଆମ ବିଚାରରେ ତାହା ପେନାଲ୍ଟି ନଥିଲା । ଖେଳାଳିମାନେ ନିଜ ପକ୍ଷରୁ ରେଫ୍ରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ସେମାନଙ୍କର ଅଧିକାର ଥିଲା, କିନ୍ତୁ ଶେଷରେ ନିଷ୍ପତ୍ତି ଆମ ବିପକ୍ଷରେ ଗଲା ଏବଂ ଆମେ ବିଶ୍ୱକପ୍‌ରୁ ବାହାର ହୋଇଗଲୁ ।"

୧ ଜୁଲାଇରେ ଖେଳାଯାଇଥିବା ଅନ୍ୟାନ୍ୟ ମ୍ୟାଚ୍

ଆମେରିକା ବନାମ ବୋସନିଆ-ହର୍ଜେଗୋଭିନା: ୨-୦

ଫୋଲାରିନ୍ ବାଲୋଗୁନ୍ ଏବଂ ମାଲିକ୍ ଟିଲମ୍ୟାନ୍‌ଙ୍କ ଚମତ୍କାର ଗୋଲ୍ ବଳରେ ଫିଫା ବିଶ୍ୱରପ୍ ସହ-ଆୟୋଜକ ଆମେରିକା ସହଜରେ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି । ମ୍ୟାଚ୍‌ର ଶେଷ ଭାଗରେ ଏକ ରେଡ୍ କାର୍ଡ ପାଇବା ସତ୍ତ୍ୱେ, ଆମେରିକା ଦଳ ରକ୍ଷଣଭାଗରେ ଶୃଙ୍ଖଳା ବଜାୟ ରଖି ବିପକ୍ଷ ଦଳକୁ ଗୋଟିଏ ହେଲେ ଗୋଲ୍ କରିବାକୁ ଦେଇନଥିଲା ।

ଇଂଲଣ୍ଡ ବନାମ ଡିଆର୍ କଙ୍ଗୋ: ୨-୧

ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୩୨ ଅନ୍ୟ ଏକ ମୁକାବିଲାରେ ଇଂଲଣ୍ଡ ୨-୧ ଗୋଲ୍‌ରେ ଡିଆର୍ କଙ୍ଗୋକୁ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ନିଜ ସ୍ଥାନ ପକ୍କା କରିଛି । ମ୍ୟାଚ୍ ଆରମ୍ଭରେ ଡିଆର୍ କଙ୍ଗୋ ପ୍ରଥମେ ଗୋଲ୍ କରି ସମସ୍ତଙ୍କୁ ଚକିତ କରିଦେଇଥିଲା ଏବଂ ଇଂଲଣ୍ଡ ଉପରେ ଚାପ ପକାଇଥିଲା । କିନ୍ତୁ ଦ୍ୱିତୀୟ ହାଫ୍‌ରେ ଇଂଲଣ୍ଡର ଅଧିନାୟକ ହ୍ୟାରୀ କେନ୍ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ଦୁଇଟି ଗୋଲ୍ ଦେଇଥିଲେ । କେନ୍‌ଙ୍କ ଏହି ଦମଦାର୍ ଗୋଲ୍ ବଳରେ ଇଂଲଣ୍ଡ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ମ୍ୟାଚ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:

ଫିଫା ବିଶ୍ୱକପ୍‌ ୨୦୨୬: ସ୍ୱିଡେନକୁ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପହଞ୍ଚିଲା ଫ୍ରାନ୍ସ,ଚମକିଲେ ଏମବାପ୍ପେ

ବଡ଼ ଓଲଟଫେର! ଫିଫା ବିଶ୍ୱକପରୁ ବିଦା ହେଲେ ଦୁଇ ଶକ୍ତିଶାଳୀ ଦଳ, ଅଳ୍ପକେ ବର୍ତ୍ତିଲା ବ୍ରାଜିଲ୍