ସଂଘର୍ଷରୁ ସଫଳତାର ଶୀର୍ଷରେ ପାୟଲ: ବଲାଙ୍ଗୀରର ସୁନା ଝିଅ ଏବେ ଜିଲ୍ଲାର 'SIR' ବ୍ରାଣ୍ଡ ଆମ୍ବାସାଡର
ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସୁନା ଝିଅ ପାୟଲ ନାଗଙ୍କୁ ‘ଏସ.ଆଇ.ଆର’ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ରିପୋର୍ଟ: ଶେଖ ମହମ୍ମଦ ୱାହିଦ


Published : June 2, 2026 at 3:47 PM IST
|Updated : June 2, 2026 at 4:09 PM IST
ବଲାଙ୍ଗୀର: ବଲାଙ୍ଗୀରର ସୁନା ଝିଅ ପାୟଲ ନାଗ। ଯିଏ ଦାଦନ ଖଟିବା ଓ ଗରିବୀର କଷାଘାତ ଭିତରୁ ବାହାରି ଆଜି ବିଶ୍ୱବିଜୟିନୀ ସାଜିଛନ୍ତି। ଜଣେ ପାରା-ଆଥଲେଟ୍ ଆର୍ଚ୍ଚର ଭାବରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ସେ ଇତିହାସ ରଚିଛନ୍ତି। ସେ ଏବେ ନିଜ ଗାଁ ମାଟିକୁ ଫେରିଛନ୍ତି। ଦୁର୍ଘଟଣାରେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇବା ପରେ, ସମ୍ପର୍କୀୟମାନେ ତାଙ୍କୁ ବଞ୍ଚାଇ ରଖିବା ନିରର୍ଥକ ବୋଲି ଭାବି ମାରିଦେବାକୁ ପରାମର୍ଶ ଦେଉଥିଲେ। ହେଲେ ତାଙ୍କ ମା’ ତାଙ୍କ ସାଥୀରେ ଦୃଢ଼ଭାବେ ଠିଆ ହୋଇ ସାହସ ଦେଇଥିଲେ। ମା’ଙ୍କ ସେହି ଦମ୍ଭ ଯୋଗୁଁ ହିଁ ସେ ଆଜି ଏତେ ବଡ଼ ସଫଳତା ପାଇପାରିଛନ୍ତି। ଯେଉଁ ଲୋକମାନେ ଦିନେ ତାଙ୍କୁ ଅବହେଳା କରୁଥିଲେ, ଆଜି ସେମାନେ ତାଙ୍କୁ ନେଇ ଗର୍ବ କରୁଛନ୍ତି ଏବଂ ବିପୁଳ ସମ୍ବର୍ଦ୍ଧନା ଦେଉଛନ୍ତି। ଏହି ସଫଳତା ପଛରେ ପ୍ରଶାସନର ମଧ୍ୟ ବଡ଼ ଭୂମିକା ରହିଛି ଏବଂ ଏବେ ତାଙ୍କୁ ଜିଲ୍ଲାର ‘ଏସ.ଆଇ.ଆର’ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି।
ବଲାଙ୍ଗୀର ଜିଲ୍ଲା ଯମୁନାବାହାଲ ଗ୍ରାମର ପାୟଲ ନାଗ, ଦିନେ ଦାଦନ ଓ ଗରିବୀର ପ୍ରତିଛବି ଥିଲେ। ଲୋକେ ଜିଲ୍ଲାର ଗରିବୀ ଓ ଦାଦନ ସମସ୍ୟା କଥା କହିବା ବେଳେ ତାଙ୍କୁ ଉଦାହରଣ ଦେଉଥିଲେ। କିନ୍ତୁ ଆଜି ପାୟଲ ନାଗ ନିଜର ଦୃଢ଼ ଇଚ୍ଛାଶକ୍ତି, ପ୍ରଶାସନିକ ସହାୟତା ଏବଂ ପରିବାରର ସମର୍ଥନରେ ନିଜ ଭାଗ୍ୟ ବଦଳାଇ ଦେଇଛନ୍ତି। ନିଜର ପରିଚୟ ସେ ଆଉ ଜଣେ ଦାଦନ ପୀଡ଼ିତା ବା ଗରିବ ଭାବେ ରଖିନାହାନ୍ତି, ବରଂ ଜଣେ ବିଶ୍ୱବିଜୟିନୀ ଭାବେ ସାରା ବିଶ୍ୱରେ ସ୍ଥାପିତ କରିଛନ୍ତି।
ଥାଇଲାଣ୍ଡର ବ୍ୟାଙ୍କକ୍ରେ ଅନୁଷ୍ଠିତ ବିଶ୍ୱ ପାରା-ଆର୍ଚ୍ଚେରୀ ପ୍ରତିଯୋଗିତାରେ ସେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ବିଜେତା ହୋଇଛନ୍ତି। ବଲାଙ୍ଗୀର ଫେରିବା ପରେ ତାଙ୍କୁ ନାଚଗୀତ ଓ ବାଦ୍ୟର ତାଳେ ତାଳେ ଗ୍ରାମବାସୀ ପାଛୋଟି ନେଇଥିଲେ। ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛି। ଜିଲ୍ଲାପାଳ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ଅଲମ୍ପିକ୍ସରେ ପଦକ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ପାୟଲ ଦଶମ ଶ୍ରେଣୀ ପାସ୍ କରିବା ପରେ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି। ୧୮ ବର୍ଷ ବୟସ ଅତିକ୍ରମ କରିଥିବାରୁ ତାଙ୍କୁ 'ଏସ.ଆଇ.ଆର'ରେ ସାମିଲ କରାଯାଇଛି। ଲୋକମାନେ ଯେପରି ସଚେତନ ହେବେ ଓ ସଠିକ ତଥ୍ୟ ପ୍ରଦାନ କରିବେ, ସେଥିପାଇଁ ପାୟଲଙ୍କୁ ଜିଲ୍ଲା ବ୍ରାଣ୍ଡ ଆମ୍ବାସାଡର କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ପାୟଲ ନିଜ ଅତୀତର କୋହକୁ ଲୁଚାଇ ନପାରି କହିଛନ୍ତି, "ମୁଁ ମାଆ-ବାପାଙ୍କ ସହିତ ଦାଦନ ଖଟିବାକୁ ଯାଇଥିଲି। ଭାଇ ସହ ଖେଳିବା ସମୟରେ ଦୁର୍ଘଟଣାବଶତଃ ମୁଁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲି, ଯାହାଫଳରେ ମୋର ଦୁଇ ହାତ ଓ ଦୁଇ ଗୋଡ଼ କଟିଯାଇଥିଲା। ଗାଁକୁ ଫେରିବା ପରେ ମୋ ଅବସ୍ଥା ଦେଖି ସମ୍ପର୍କୀୟମାନେ ମୋତେ ମାରିଦେବାକୁ ମାଆଙ୍କୁ କହିଥିଲେ। କିନ୍ତୁ ମୋ ମାଆ ସେମାନଙ୍କୁ କଡ଼ା ଜବାବ ଦେଇ ମୋତେ ଦମ୍ଭ ଦେଇଥିଲେ। ସେ ପ୍ରତିକ୍ଷଣ ମୋ ସାଙ୍ଗରେ ରହି ମୋତେ ସାହସ ଦେଇଥିଲେ। ମୁହଁରେ କଲମ ଧରିବା ମୋତେ ମାଆ ଶିଖାଇଥିଲେ। ପରେ ମୁଁ ଆଶ୍ରମକୁ ଆସି ପାଠ ପଢ଼ିବା ସହ ଚିତ୍ରକଳା କରିବା ଆରମ୍ଭ କରିଥିଲି। ପ୍ରଶାସନିକ ଅଧିକାରୀଙ୍କ ଚିତ୍ର ଆଙ୍କି ମୁଁ ଖୁବ୍ ପ୍ରଶଂସା ପାଇଥିଲି। ମୋର ଇଚ୍ଛା ଅନୁଯାୟୀ ଜିଲ୍ଲା ପ୍ରଶାସନ ମୋତେ ଧନୁତୀର ପ୍ରଶିକ୍ଷଣ ପାଇଁ ଜାମ୍ମୁ ପଠାଇଥିଲେ ଏବଂ ମୋର ସମସ୍ତ ଖର୍ଚ୍ଚ ସରକାର ବହନ କରିଥିଲେ।"

ସେ ଆହୁରି କହିଛନ୍ତି, "ପ୍ରଶିକ୍ଷଣ ନେବା ପରେ ମୁଁ ଖେଲୋ ଇଣ୍ଡିଆ ପାରା-ଗେମ୍ସରେ ରୌପ୍ୟ ପଦକ, ପଞ୍ଚମ ଜାତୀୟ ପାରା-ଆର୍ଚ୍ଚେରୀରେ ଦୁଇଟି ସ୍ୱର୍ଣ୍ଣ ପଦକ, ପଞ୍ଜାବରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ପାଇଥିଲି। ବ୍ୟାଙ୍କକ୍ରେ ବିଶ୍ୱ ପାରା-ଆର୍ଚରୀରେ ମୁଁ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଆଗକୁ ଅଲମ୍ପିକ୍ସ ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ମୋ ପ୍ରଶିକ୍ଷଣ ଜାରି ରଖିଛି। ମୋ ସଫଳତା ପଛରେ ସମସ୍ତଙ୍କ ସହଯୋଗ ରହିଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମୁଁ ଏବେ ପାଇଥିବା ଅନ୍ୟ ଦାୟିତ୍ୱ ଏସ.ଆଇ.ଆରରେ ନିଜ ନା ସମ୍ମିଳିତ କରିଛି। ସମସ୍ତଙ୍କୁ ମୁଁ ଅନୁରୋଧ କରିବି ସମସ୍ତେ ଏଥିରେ ସଠିକ ତଥ୍ୟ ଦେଇ ସମ୍ମିଳିତ ହୁଅନ୍ତୁ।"

ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର କହିଛନ୍ତି, "ପାୟଲ ନାଗ କେବଳ ବଲାଙ୍ଗୀର ନୁହେଁ, ସାରା ଦେଶ ପାଇଁ ଗର୍ବ। ତାଙ୍କ କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ତାଙ୍କୁ ଆଜି ଏହି ସଫଳତା ଦେଇଛି। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ତାଙ୍କୁ ମୁଁ ଓ ବଲାଙ୍ଗୀରବାସୀଙ୍କ ତରଫରୁ ଅଶେଷ ଶୁଭେଚ୍ଛା। ଆଗକୁ ସେ ଅଲମ୍ପିକ୍ସ ଓ ଏସିଆନ୍ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣନ୍ତୁ। ତାଙ୍କୁ ଯେଉଁ ସମୟରେ ଯାହା ଆବଶ୍ୟକ ହୋଇଛି, ପ୍ରଶାସନ ଓ ରାଜ୍ୟ ସରକାର ତାଙ୍କ ସହ ଛିଡ଼ା ହୋଇଛନ୍ତି। ଆଗକୁ ମଧ୍ୟ ଆମେ ତାଙ୍କ ସହ ଅଛୁ। ସେ ଏବେ ୧୮ ବର୍ଷ ବୟସ ହୋଇଛନ୍ତି। ତେଣୁ ସେ ନାଗରିକତା ପାଇଁ ଯୋଗ୍ୟ ହୋଇଥିବା ବେଲେ ତାଙ୍କୁ ଆମେ ଏସ ଆଇ ଆର ରେ ସମ୍ମିଳିତ କରିଛୁ। ସେହିପରି ତାଙ୍କୁ ଆମେ ଏସ ଆଇ ଆର ଜିଲ୍ଲା ଆମ୍ବସେଡର କରୁଛୁ।"

