ପିସିବି ନେଲା ବଡ଼ ନିଷ୍ପତ୍ତି: ପାକିସ୍ତାନ ଦଳର ଅଧିନାୟକ ହେଲେ ବାବର ଆଜମ; ବାଦ ପଡ଼ିଲେ ଶାହୀନ ଆଫ୍ରିଦି
Pakistan Cricket: ପାକିସ୍ତାନ ବୋର୍ଡ ତରଫରୁ ପୁଣିଥରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କୁ ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

Published : July 5, 2026 at 3:09 PM IST
Babar Azam Test Captain: ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ବୋର୍ଡ ତରଫରୁ ପୁଣିଥରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କୁ ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ବାବର ପ୍ରାୟ ୩ ବର୍ଷ ପୂର୍ବେ ସମସ୍ତ ଫର୍ମାଟ୍ର ଅଧିନାୟକ ପଦ ଛାଡ଼ିଥିଲେ। ପିସିବି ଶାନ୍ ମସୁଦଙ୍କୁ ତାଙ୍କର ଖରାପ ଅଧିନାୟକତ୍ୱ କାର୍ଯ୍ୟକାଳ ଯୋଗୁଁ ପଦରୁ ହଟାଇ ଦେଇଛି। ପାକିସ୍ତାନକୁ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଥିବାବେଳେ ଏଥିପାଇଁ ଦଳ ଘୋଷଣା କରାଯାଇଛି।
୧୫ ନଭେମ୍ବର ୨୦୨୩ ରେ ବାବର ଆଜମ ସମସ୍ତ ତିନୋଟି ଫର୍ମାଟ୍ର ଅଧିନାୟକ ପଦକୁ ଅଲବିଦା କହିଥିଲେ। ତାଙ୍କ ପରେ ଶାନ୍ ମସୁଦ ଟେଷ୍ଟର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ, କିନ୍ତୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ମସୁଦଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ୧୬ ଟି ମ୍ୟାଚ୍ ମଧ୍ୟରୁ ୧୨ ଟିରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ଅଧିନାୟକ ଏତେ କମ୍ ସମୟ ବ୍ୟବଧାନରେ ଏତେ ମ୍ୟାଚ୍ ହାରି ନଥିଲେ। କେବଳ ମିସବାହ-ଉଲ୍-ହକ୍ ହିଁ ଏଭଳି ଜଣେ ଅଧିନାୟକ ଥିଲେ ଯାହାଙ୍କ ନେତୃତ୍ୱରେ ଦଳକୁ ମସୁଦଙ୍କଠାରୁ ଅଧିକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ସେ ନିଜର ୫୬ ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୯ ଟି ମ୍ୟାଚ୍ରେ ପରାସ୍ତ ହୋଇଥିଲେ।
2023 - Babar Azam removed as Test captain.
— Mufaddal Vohra (@mufaddal_vohra) July 5, 2026
2026 - Babar Azam reappointed as Test captain. pic.twitter.com/FekvCSBC7W
ଟେଷ୍ଟ ଫର୍ମାଟ୍ରେ ବାବର ଆଜମଙ୍କ ରେକର୍ଡ ଭଲ ବୋଲି କୁହାଯାଇପାରେ। କାରଣ ବାବର ୨୦ଟି ମ୍ୟାଚ୍ରେ ପାକିସ୍ତାନର ନେତୃତ୍ୱ ନେଇଛନ୍ତି, ଯେଉଁଥିରୁ ୧୦ଟି ମ୍ୟାଚ୍ରେ ଦଳ ବିଜୟ ହାସଲ କରିଛି। ଅନ୍ୟପଟେ ୬ଟି ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବା ବେଳେ ୪ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। ବାବର ସର୍ବପ୍ରଥମେ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ୨-୦ ରେ ପରାସ୍ତ କରିଥିଲେ, ଏହାପରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ଗସ୍ତ କରି ସେଠାରେ ମଧ୍ୟ ଟେଷ୍ଟ ସିରିଜ୍ ଜିତିଥିଲେ। ନିଜ ଅଧିନାୟକତ୍ୱ ସମୟରେ ବାବରଙ୍କ ବ୍ୟାଟିଂ ଫର୍ମ ମଧ୍ୟ ବେଶ୍ ଚମକିଥିଲା। ସେ ୫୦ ହାରରେ ୧୭୨୭ ରନ୍ ସ୍କୋର କରିଥିଲେ। ଯେଉଁଥିରେ ୪ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସାମିଲ ଥିଲା।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଆସନ୍ତା ଜୁଲାଇ ୨୫ ତାରିଖରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଦୌଡ଼ରେ ନିଜକୁ ମଜଭୁତ କରିବା ପାଇଁ ପାକିସ୍ତାନକୁ ଏହି ସିରିଜ୍ ଜିତିବା ନିହାତି ଜରୁରୀ।
Babar Azam is back as captain, while Shaheen Shah Afridi, Hasan Ali and Noman Ali have all been left out of Pakistan's Test squad to tour the West Indies and England pic.twitter.com/QcBQiVmxD2
— Cricinfo (@cricinfo) July 5, 2026
ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା
ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା କରାଯାଇଥିବା ପାକିସ୍ତାନୀ ଟେଷ୍ଟ ଦଳ ବିଷୟରେ କହିବାକୁ ଗଲେ, ଏଥିରେ ଶାହୀନ ଆଫ୍ରିଦିଙ୍କ ବ୍ୟତୀତ ହସନ ଅଲି ଏବଂ ନୌମାନ ଅଲିଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି। ଦଳ ଘୋଷଣା ସମୟରେ ପାକିସ୍ତାନୀ ଚୟନକର୍ତ୍ତା ଆକିବ୍ ଜାଭେଦ୍ ସୂଚନା ଦେଇଛନ୍ତି ଯେ, ଫିଟନେସ୍ ସମସ୍ୟା ଯୋଗୁଁ ସାଉଦ୍ ଶକିଲଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଚୟନ କରାଯାଇ ନାହିଁ। ଆଶା କରାଯାଉଛି ଯେ ସେ ଇଂଲଣ୍ଡ ଗସ୍ତ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ। ଏଥିସହିତ ୧୭ ଜଣିଆ ପାକିସ୍ତାନୀ ଦଳରେ ମହମ୍ମଦ ଅଲି ଏବଂ ଆମିର ଜମାଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଏହାବ୍ୟତୀତ ଉବୈଦ ଶାହା, ସ୍ପିନର ଅଲି ଉସମାନ ଏବଂ ଅଭୈସ ଜଫରଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ କରାଯାଇଛି।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ଇମାମ-ଉଲ୍-ହକ୍, ଅଜାନ ଅୱାଇସ, ଅବଦୁଲ୍ଲା ସଫିକ୍, ଅଭୈସ ଜଫର, ଶାନ୍ ମସୁଦ, ସଲମାନ ଅଲି ଆଗା, କାମରାନ ଗୁଲାମ, ସାଉଦ୍ ଶକିଲ, ମହମ୍ମଦ ରିଜୱାନ, ଅଲି ଉସମାନ, ସାଜିଦ ଖାନ, ମହମ୍ମଦ ଅଲି, ଆମିର ଜମାଲ, ମହମ୍ମଦ ଅବ୍ବାସ, ଉବୈଦ ଶାହା ଏବଂ ଖୁରମ ଶହଜାଦ।

