INDW vs AUSW: ମୋନେଙ୍କ ବିସ୍ଫୋରକ ବ୍ୟାଟିଂ; ପ୍ରଥମ ଦିନିକିଆରେ ଭାରତକୁ ୬ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ
INDW vs AUSW: ବ୍ରିସବେନଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୬ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଅଗ୍ରଣି ହାସଲ କରିଛି।

Published : February 24, 2026 at 4:23 PM IST
Australia Women vs India Women: ଭାରତୀୟ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଅଷ୍ଟ୍ରେଲିଆ ପୁଣିଥରେ ନିଜର ଦବଦବା ଦେଖାଇଛି। ବ୍ରିସବେନଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୬ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଅଗ୍ରଣି ହାସଲ କରିଛି। ବେଥ୍ ମୋନେ ଓ ଆଲିସା ହିଲିଙ୍କ ଶାଣିତ ବ୍ୟାଟିଂ ଆଗରେ ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଇଥିଲେ।
ଅଷ୍ଟ୍ରେଲିଆର ରନ୍ ବର୍ଷା: ସହଜରେ ହାସଲ କରିନେଲା ଲକ୍ଷ୍ୟ
୨୧୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲା। ଅଧିନାୟକ ଆଲିସା ହିଲି (୫୦ ରନ୍) ଏକ ଦୃଢ଼ ମୂଳଦୁଆ ପକାଇବା ପରେ ବେଥ୍ ମୋନେ ଧୈର୍ଯ୍ୟର ସହ ଖେଳି ୭୬ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଶେଷରେ ଆନାବେଲ ସଦରଲାଣ୍ଡ (ଅପରାଜିତ ୪୮) ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୮.୧ ଓଭରରେ ଦଳକୁ ବିଜୟୀ କରାଇଥିଲେ।
Australia cruise to a comfortable victory in their first ODI against India 💪
— ICC (@ICC) February 24, 2026
📝: https://t.co/DsGHVRBVD5 pic.twitter.com/9Jqxp34IBr
ଭାରତର ବ୍ୟାଟିଂ ବିପର୍ଯ୍ୟୟ: କାମ ଦେଲାନି ମନ୍ଧନା-ହରମନପ୍ରୀତଙ୍କ ଅର୍ଦ୍ଧଶତକ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ୨୧୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଉପ-ଅଧିନାୟକ ସ୍ମୃତି ମନ୍ଧାନା (୫୮) ଏବଂ ଅଧିନାୟକ ହରମନପ୍ରୀତ କୌର (୫୩) ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଅନ୍ୟ କୌଣସି ବ୍ୟାଟର କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ। ବିଶେଷ କରି ଅଷ୍ଟ୍ରେଲିଆର ଆଶ୍ଲେ ଗାର୍ଡନରଙ୍କ ଶାଣିତ ବୋଲିଂ (୩ ୱିକେଟ୍) ଭାରତୀୟ ମଧ୍ୟକ୍ରମର ଅଣ୍ଟା ଭାଙ୍ଗି ଦେଇଥିଲା।
ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨୭ ତାରିଖରେ ନିଞ୍ଜା ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ପାଇଁ ଏବେ ‘କର ବା ମର’ ସ୍ଥିତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା, ହରମନପ୍ରୀତଙ୍କ ବାହିନୀ ଏହି ପରାଜୟର ପ୍ରତିଶୋଧ ନେଇ ସିରିଜକୁ ଫେରିପାରୁଛନ୍ତି କି ନାହିଁ।
Australia win the 1⃣st ODI by 6 wickets.
— BCCI Women (@BCCIWomen) February 24, 2026
We shift our focus to the next match in Hobart.
Scorecard ▶️ https://t.co/yUKqC8iLON#TeamIndia | #AUSvIND pic.twitter.com/cVOLwrqqeU
ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ଡ଼ବଲ ଝଟକା
ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ଆରମ୍ଭରେ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏଲିସ୍ ପେରି ଏବଂ କିମ୍ ଗାର୍ଥ ଉଭୟ ଦିନିକିଆ ସିରିଜ୍ ରୁ ବାଦ ପଡ଼ିଛନ୍ତି, ଯେତେବେଳେ ମେଗାନ୍ ସ୍କଟ୍ ଏବଂ ବାମହାତୀ ଦ୍ରୁତ ବୋଲର ଲୁସି ହାମିଲଟନ୍ ଦଳରେ ସାମିଲ ହୋଇଛନ୍ତି। ଆଲିସା ହିଲି ଏହି ସିରିଜ୍ ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେବେ। ତେଣୁ ଏହି ସିରିଜ୍ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
କହି ରଖୁଛୁ ଯେ ଭାରତ କେବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଜିତିନାହିଁ। ଦୁଇ ଦଳ ଏପର୍ଯ୍ୟନ୍ତ ୧୨ଟି ଦିନିକିଆ ସିରିଜ୍ ଖେଳିଛନ୍ତି ଏବଂ ଅଷ୍ଟ୍ରେଲିଆ ପ୍ରତ୍ୟେକ ଥର ଜିତିଛି। ସିରିଜ୍ ଜିତିବା ପାଇଁ, ଟିମ୍ ଇଣ୍ଡିଆକୁ ଏବେ ବାକି ଥିବା ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ।

