ଏସିଆନ୍ ଗେମ୍ସ ପାଇଁ ୫୦୩ ଭାରତୀୟ ଆଥଲେଟ୍ଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟର ମଞ୍ଜୁରୀ
ଏସିଆନ୍ ଗେମ୍ସ ୨୦୨୬ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପ୍ରାୟ ୭୫୦ ଜଣିଆ ସଦସ୍ୟ ବିଶିଷ୍ଟ ଦଳକୁ ମଞ୍ଜୁରୀ ପ୍ରଦାନ କରିଛି।

Published : September 3, 2026 at 12:43 PM IST
ହାଇଦ୍ରାବାଦ: ଏସିଆନ୍ ଗେମ୍ସ ୨୦୨୬ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପ୍ରାୟ ୭୫୦ ଜଣିଆ ସଦସ୍ୟ ବିଶିଷ୍ଟ ଦଳକୁ ମଞ୍ଜୁରୀ ପ୍ରଦାନ କରିଛି। ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ା ପାଇଁ ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ୫୦୩ ଜଣ ଖେଳାଳିଙ୍କ ସମେତ ୨୪୭ ଜଣ ଦଳୀୟ ଅଧିକାରୀ ଓ ସପୋର୍ଟ ଷ୍ଟାଫ୍ ଥିବା ଭାରତୀୟ ଦଳକୁ ଅନୁମୋଦନ ଦେଇଛି। ଏଥିରେ କ୍ରିକେଟରମାନେ ମଧ୍ୟ ସାମିଲ ଅଛନ୍ତି। ଯେଉଁମାନେ ଏହି ଟୁର୍ଣ୍ଣାମେଣ୍ଟର କ୍ରିକେଟ୍ ପ୍ରତିଯୋଗିତାରେ ଭାଗ ନେବେ। ୭୫୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏହି ଦଳ ଜାପାନ ଗସ୍ତ କରିବ। ଯେଉଁଥିରେ ୨୫୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି।
କ୍ରୀଡ଼ା ମନ୍ତ୍ରଣାଳୟ ପୂର୍ବରୁ ଏସିଆନ୍ ଗେମ୍ସ ପାଇଁ ୪୯୨ ଜଣ ଖେଳାଳିଙ୍କୁ ମଞ୍ଜୁରୀ ଦେଇଥିଲା, କିନ୍ତୁ ଆଶା ମୁତାବକ କିଛି ଅଧିକ ନାମ ଏଥିରେ ଯୋଡ଼ା ଯାଇଛି। ଏଥିରେ ମୁଖ୍ୟତଃ ଆଥଲେଟିକ୍ସ ଦଳର ଖେଳାଳିମାନେ ସାମିଲ ଅଛନ୍ତି। କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପୂର୍ବରୁ କହିଥିଲେ ଯେ କାହାରି ଚାପରେ ଆସି କୌଣସି ଖେଳାଳିଙ୍କ ନାମ ଯୋଡ଼ା ଯିବ ନାହିଁ, ଏବଂ ଠିକ୍ ସେହିପରି କିଛି ଦେଖିବାକୁ ମିଳିଛି। ଏହିପରି ଭାବରେ ଏବେ ଭାରତୀୟ ଦଳରେ ମୋଟ ୭୬୮ ଜଣ ସଦସ୍ୟ ରହିବେ। ଯେଉଁଥିରେ ଦଳର ୧୯ ଜଣ ପଦାଧିକାରୀ ମଧ୍ୟ ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରେ ଦଳର ମୁଖ୍ୟ ସହଦେବ ଯାଦବ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିନଶା ପାର୍ଦ୍ଦିୱାଲା ରହିଛନ୍ତି।

ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ବିନା ମଇଦାନକୁ ଓହ୍ଲାଉଥିବା ୭୯ ଜଣିଆ ଆଥଲେଟିକ୍ସ ଦଳ ପାଇଁ ସବୁଠାରୁ ଅଧିକ ୩୧ ଜଣ ସପୋର୍ଟ ଷ୍ଟାଫ୍ଙ୍କୁ ମଞ୍ଜୁରୀ ମିଳିଛି। ଏମାନଙ୍କ ମଧ୍ୟରେ ଜାତୀୟ କୋଚ୍ ପି ରାଧାକୃଷ୍ଣନଙ୍କ ନେତୃତ୍ୱରେ ୨୦ ଜଣ କୋଚ୍ ସାମିଲ ଅଛନ୍ତି। ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ପାଇଁ ୨୦ ଜଣ ସପୋର୍ଟ ଷ୍ଟାଫ୍ଙ୍କୁ ଅନୁମୋଦନ କରାଯାଇଛି। ଯାହାର ନେତୃତ୍ୱ ଭିଭିଏସ୍ ଲକ୍ଷ୍ମଣ ନେବେ। ଭାରତ ଏହି କ୍ରୀଡ଼ା ମହାକୁମ୍ଭରେ ୩୬ଟି ଖେଳରେ ଭାଗ ନେବ। ଏହି ପ୍ରତିଯୋଗିତା ଅକ୍ଟୋବର ୪ ତାରିଖରେ ଶେଷ ହେବ। ତେବେ କ୍ରିକେଟ୍ ଖେଳ କିଛି ଦିନ ପୂର୍ବରୁ ଆରମ୍ଭ ହେବ ଏବଂ ମହିଳା ବିଭାଗର ମ୍ୟାଚ୍ ସହିତ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେବ।
ଭାରତୀୟ ଖେଳାଳିମାନେ ଖେଳ ଅନୁଯାୟୀ ଜାପାନ ଗସ୍ତ କରିବେ। କାରଣ ଏକାସଙ୍ଗେ ଏତେ ସଂଖ୍ୟକ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କ ରହିବା ବ୍ୟବସ୍ଥା କରିବା କଷ୍ଟକର ହେବ। ଯେପରି ଖେଳାଳିମାନଙ୍କର ଇଭେଣ୍ଟ ଶେଷ ହେବ, ସେହିପରି ସେମାନେ ସ୍ୱଦେଶ ଫେରିବେ। ତେବେ କ୍ରିକେଟ୍କୁ ନେଇ ସମସ୍ୟା ହେଉଛି, ସେଠାରେ ସେପରି ସୁବିଧା ସୁଯୋଗ ନାହିଁ ଯେଉଁଥିରେ କ୍ରିକେଟ୍ ଦଳଗୁଡ଼ିକ ଅଭ୍ୟସ୍ତ। ହୋଟେଲ୍ ରୁମ୍ଗୁଡ଼ିକ ବହୁତ ଛୋଟ, ଯେଉଁଠାରେ ଦୁଇ ଜଣ ଲୋକ ରହିଲେ କ୍ରିକେଟ୍ କିଟ୍ ରଖିବା ପାଇଁ ମଧ୍ୟ ଜାଗା ନାହିଁ। ଏପରିକି ଡ୍ରେସିଂ ରୁମ୍ଗୁଡ଼ିକ ମଧ୍ୟ ବହୁତ ଛୋଟ ଏବଂ ୱାଶ୍ରୁମ୍ ସୁବିଧା ବେଶ୍ ଦୂରରେ ରହିଥିବା ସୂଚନା ମିଳିଛି। ଏହା ସତ୍ତ୍ୱେ ବିସିସିଆଇ ନିଜର ଶୀର୍ଷ ଦଳକୁ ଜାପାନ ପଠାଇବାକୁ ନିଷ୍ପତ୍ତି ନେଇଛି।

