ETV Bharat / sports

ଅଧୁରା ରହିଗଲା ଚାମ୍ପିଅନ୍ ହେବାର ସ୍ୱପ୍ନ! ଆର୍ଜେଣ୍ଟିନାଠାରୁ ହାରି ବିଶ୍ୱକପ୍‌ରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡି଼ଲା ଭାରତ

ସୋମବାର ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଟିମ୍ ଇଣ୍ଡିଆକୁ ଆର୍ଜେଣ୍ଟିନା ୫-୩ ଗୋଲ୍‌ରେ ଶୋଚନୀୟ ଭାବେ ପରାସ୍ତ କରିଛି।

Hockey World Cup 2026 Argentina Beats India
ବିଶ୍ୱକପ୍‌ରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡି଼ଲା ଭାରତ (Hockey India (X))
author img

By ETV Bharat Sports Team

Published : August 24, 2026 at 8:36 PM IST

2 Min Read
Choose ETV Bharat

India vs Argentina Hockey: ସୋମବାର (୨୪ ଅଗଷ୍ଟ) ଖେଳାଯାଇଥିବା ହକି ବିଶ୍ୱକପ୍ ୨୦୨୬ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଆର୍ଜେଣ୍ଟିନା, ଟିମ୍ ଇଣ୍ଡିଆକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି। ଏହି ପରାଜୟ ସହ ଭାରତୀୟ ଦଳ ହକି ବିଶ୍ୱକପ୍ ୨୦୨୬ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡଠାରୁ ହାରିବା ପରେ ଭାରତ ନେଦରଲାଣ୍ଡସଠାରୁ ପରାଜିତ ହୋଇଥିଲା ଏବଂ ସୋମବାର ଆର୍ଜେଣ୍ଟିନା ମଧ୍ୟ ଭାରତକୁ ହରାଇ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିବାର ସମସ୍ତ ଆଶା ଉପରେ ବିରାମ ଲଗାଇଦେଇଛି।

ଭାରତୀୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ଥରେ ହିଁ ହକି ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଛି। ତେବେ ଚଳିତ ଥର ଭାରତ ପାଖରେ ଦ୍ୱିତୀୟ ଥର ଜିତିବାର ଏବଂ ୫୧ ବର୍ଷର ପଦକ ମରୁଡ଼ିକୁ ଶେଷ କରିବାର ସୁଯୋଗ ଥିଲା, କିନ୍ତୁ ଏପରି ହୋଇପାରିଲା ନାହିଁ। ସୋମବାର ଦିନ ଖେଳାଯାଇଥିବା ମ୍ୟାଚ୍‌ର ଆରମ୍ଭ ଭାରତ ପାଇଁ ଅତ୍ୟନ୍ତ ଖରାପ ରହିଥିଲା। ଖେଳ ଆରମ୍ଭ ହେବାର ମାତ୍ର ୪୦ତମ ସେକେଣ୍ଡରେ ଆର୍ଜେଣ୍ଟିନାର ତୋସ୍କାନି ଏକ ଫିଲ୍ଡ ଗୋଲ୍ ଦେଇ ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାର କିଛି ମିନିଟ୍ ପରେ, ଅର୍ଥାତ୍ ୭ମ ମିନିଟ୍‌ରେ ନିକୋଲାସ ଡେଲା ଟୋରି ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନାର ଅଗ୍ରଗତିକୁ ୨-୦ କରିଦେଇଥିଲେ।

ମ୍ୟାଚ୍ ର ଯଦିଓ ୧୦ମ ମିନିଟ୍‌ରେ ଭାରତ ତରଫରୁ ସୁଖଜିତ୍ ସିଂହ ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ଦଳକୁ ପ୍ରତ୍ୟାବର୍ତ୍ତନ କରାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦଳ ଏହି ଲୟକୁ ବଜାୟ ରଖିପାରିନଥିଲା। ମ୍ୟାଚ୍ ସମୟରେ ଭାରତୀୟ ଦଳର ରକ୍ଷଣଭାଗ ବହୁତ ଦୁର୍ବଳ ଓ ବିକ୍ଷିପ୍ତ ଦେଖାଯାଉଥିଲା। ପାସିଂରେ କ୍ରମାଗତ ଭୁଲ୍ ଏବଂ ଗ୍ରାଉଣ୍ଡ ଟ୍ୟାକଲ୍‌ରେ ତ୍ରୁଟି ଦଳର ଅସୁବିଧାକୁ ଆହୁରି ବଢ଼ାଇ ଦେଇଥିଲା। ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ବଲ୍ ଉପରେ ନିଜର ନିୟନ୍ତ୍ରଣ ରଖିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ।

ଅଧିନାୟକ ହରମନପ୍ରୀତ ସିଂହଙ୍କୁ ମ୍ୟାଚ୍‌ର ୩୪ତମ ମିନିଟ୍‌ରେ ଗୋଲ୍ କରିବାର ସୁଯୋଗ ମିଳିଥିଲା, ଯେତେବେଳେ ଭାରତକୁ କ୍ରମାଗତ ଭାବେ ଚାରିଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଆର୍ଜେଣ୍ଟିନାର ମଜବୁତ ପ୍ରତିରକ୍ଷା ବାହିନୀ ଏବଂ ଜୁଗରାଜଙ୍କ ଅନୁପସ୍ଥିତି କାରଣରୁ ଭାରତ ଗୋଟିଏ ବି ସୁଯୋଗର ଫାଇଦା ଉଠାଇପାରିନଥିଲା।

ମ୍ୟାଚ୍‌ର ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଆର୍ଜେଣ୍ଟିନାର ଖେଳାଳିମାନେ ଭାରତୀୟ ଗୋଲ୍‌କିପର ମୋହିତଙ୍କ ଚମତ୍କାର ରକ୍ଷଣ ସତ୍ତ୍ୱେ ନିଜର ଦବାଦବା ବଜାୟ ରଖିଥିଲେ। ୟଶଦୀପଙ୍କ ଫାଉଲ୍ ଯୋଗୁଁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ଡୋମେନେ ସହଜରେ ଗୋଲ୍‌ରେ ପରିଣତ କରିଦେଇଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ୍ ଅବଶ୍ୟ ଦେଇଥିଲା, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଶେଷରେ ଭାରତକୁ ୫-୩ ରେ ଏହି ମୁକାବିଲା ହାରିବାକୁ ପଡ଼ିଲା।

ଭାରତୀୟ ଦଳ ପାଇଁ ଦ୍ୱିତୀୟ ରାଉଣ୍ଡ ସମ୍ପୂର୍ଣ୍ଣ ନିରାଶାଜନକ ରହିଛି। ଏହା ପୂର୍ବରୁ ଦଳକୁ ନେଦରଲାଣ୍ଡସ ବିପକ୍ଷରେ ୩-୧ ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଅନ୍ୟପଟେ ପ୍ରଥମ ରାଉଣ୍ଡରେ ଇଂଲଣ୍ଡଠାରୁ ମିଳିଥିବା ପରାଜୟ କାରଣରୁ ଭାରତକୁ କୌଣସି ପଏଣ୍ଟ କ୍ୟାରୀ ଫରୱାର୍ଡ ମିଳିନଥିଲା। ଫଳରେ ଦ୍ୱିତୀୟ ରାଉଣ୍ଡରେ କୌଣସି ପଏଣ୍ଟ ହାସଲ ନକରି ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି।

ଏହା ମଧ୍ୟ ପଢ଼ନ୍ତୁ:

କଲୋମ୍ବୋ ଟେଷ୍ଟ: ପଡ଼ିକଲ୍‌ଙ୍କ ପରେ ଧ୍ରୁବ ଜୁରେଲଙ୍କ ଚମତ୍କାର ଶତକ; ବ୍ୟାକ୍‌ଫୁଟ୍‌ରେ ଘରୋଇ ଦଳ

ଇମ୍ରାନ ଖାନଙ୍କ ପାଇଁ ଏକାଠି ହେଲେ ବିଶ୍ୱର ୨୧ ଜଣ ପୂର୍ବତନ ଅଧିନାୟକ; ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭାଙ୍ଗିଗଲା ଉସେନ୍ ବୋଲ୍ଟଙ୍କ ୧୭ ବର୍ଷର ରେକର୍ଡ! ମାତ୍ର ୯.୩୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଲା ରୋବୋଟ୍