ତିନି ପ୍ରମୁଖ ଦଳର ସଦସ୍ୟଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ 2026ରେ ଶେଷ ହେବ କି ?
ବିଜେଡି ଭାଙ୍ଗିଯାଉଛି, କଂଗ୍ରେସ ଉପରେ ଭରସା ଆସୁନି । ରାଜନୈତିକ ଶୂନ୍ୟତା ଯୋଗୁଁ 2026ରେ ରାଜ୍ୟରେ ନୂଆ ରାଜନୈତିକ ଶକ୍ତିର ସମିକରଣ ହେବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ରବି ଦାଶ ।

Published : January 3, 2026 at 10:25 AM IST
|Updated : January 3, 2026 at 12:41 PM IST
ଭୁବନେଶ୍ବର: ଅନେକ ଆଶା ଏବଂ ସମ୍ଭାବନାକୁ ନେଇ ଆସିଛି 2026 । ନୂଆବର୍ଷକୁ ନେଇ ସମସ୍ତଙ୍କ ଭିତରେ ନୂଆ ନୂଆ ଏଜେଣ୍ଡା। ଖାସ କରି ରାଜନୈତିକ ଦଳ ମାନେ କିଛି ନୂଆ କରିବାର ପରିକଳ୍ପନା ପାଇଁ ନୂଆବର୍ଷକୁ ଉଚିତ ସମୟ ବୋଲି ମନେ କରିଥାନ୍ତି । ବିଶେଷକରି ରାଜନୈତିକ ଦଳର ନେତାମାନେ ଏଥର ନୂଆବର୍ଷରେ କ'ଣ ଏଜେଣ୍ଡା ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, କାହିଁକିନା ଅଧିକାଂଶ ଦଳରେ ଅନ୍ତଃକନ୍ଦଳ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି, ଯାହା ହାଇକମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାରି ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ ମ୍ୟାନେଜ କରି ଗଠନ ମୂଳକ ଭୂମିକା ଗୁରୁତ୍ୱ ଦେଇ ଆଗକୁ ବଢିବା ପାଇଁ ସବୁ ରାଜନୈତିକ ଦଳ ମନେ କରୁଛନ୍ତି। ସେପଟେ ଗୋଷ୍ଠୀ ଗନ୍ଦଳ ମଧ୍ୟରେ ଓଡ଼ିଶା ରାଜନୀତିରେ ବିରାଟ ରଜନାତିକ ଶୂନ୍ୟତା ସୃଷ୍ଟି ହୋଇଛି ଯାହା 20206ରେ ଏକ ନୂଆ ରାଜନୈତିକ ଶକ୍ତିର ସମିକରଣ ହେବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ରବି ଦାଶ । ଆସନ୍ତୁ ଦେଖିବା ନୂଆବର୍ଷରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ଏଜେଣ୍ଡା କ'ଣ ?
ବିଜେପିର ସ୍ଥିତି:
ଦେଢ଼ ବର୍ଷ ତଳେ କ୍ଷମତାକୁ ଆସିଛି ଡବଲ ଇଞ୍ଜିନ ସରକାର। ଅର୍ଥାତ ପ୍ରଥମ କରି ବିଜେପି ଏକାକୀ ସରକାର ଗଢ଼ିଛି ଯାହାକୁ ନେଇ ରାଜ୍ୟବାସୀଙ୍କ ଭିତରେ ଆଶା ଓ ଉଦ୍ଦୀପନା ଭରପୁର। ଲୋକଙ୍କ ନିକଟତର ହେବା ସହ ଲୋକଙ୍କୁ ସରକାରୀ ଯୋଜନାରେ ସଫଳ ରୂପାୟନ,ତାର ନମୁନା ପ୍ରଦର୍ଶନ ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ଶାସକ ଦଳ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମନ୍ୱୟ ରକ୍ଷା କରି ଓଡି଼ଶାବାସୀଙ୍କ ପାଇଁ ବିକାଶକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ଆଗକୁ ବଢୁଛି ସରକାର। ମୋଟାମୋଟି ଭାବେ କହିବାକୁ ଗଲେ ଶାସକ ଦଳ ଲୋକଙ୍କ ଆଶା ଏବଂ ଆଗ୍ରହକୁ ପୂରଣ ପାଇଁ ଗୁରୁତ୍ୱ ଦେଇଛନ୍ତି। ସେ ଦୃଷ୍ଟିରୁ ଦଳର ପ୍ରାଥମିକତା ହେଉଛି ଦଳୀୟ ଅନ୍ତଃକନ୍ଦଳକୁ ପ୍ରଶମିତ କରିବା। କାରଣ କ୍ଷମତାରେ ଥାନ୍ତୁ କିମ୍ବା ନଥାନ୍ତୁ ସବୁ ରାଜନୈତିକ ଦଳ ଭିତରେ ଗୋଷ୍ଠୀ ବିବାଦ ଏକ ସାଧାରଣ କଥା। ତାକୁ କିଭଳି ପ୍ରଶମିତ କରି ଦଳକୁ ଅଧିକ ସଂଗଠିତ କରି ଆଗକୁ ବଢିବାକୁ ପଡିବ ନୂଆବର୍ଷରେ ଏଜେଣ୍ଡା ରଖିଥାନ୍ତି। ଓଡ଼ିଶାରେ ମଧ୍ୟ ବିଜେପି ସରକାର ସେହି ଏଜେଣ୍ଡା ରଖିଛି।
ଖାସକରି ବିଜେପି ଏବେ ତିନୋଟି କ୍ଷମତା କେନ୍ଦ୍ରରେ ବିଭକ୍ତ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଅନ୍ତ କନ୍ଦଳକୁ ବାହାରେ ନପକାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସଂଗଠନକୁ ସୁଦୃଢ଼ କରି କିଭଳି ଦଳକୁ ଅଧିକ କ୍ରିୟାଶୀଳ କରାଯିବ, ମୁଖ୍ୟତଃ ସରକାର ଏବଂ ଦଳ ଉଭୟଙ୍କ ଉତ୍ତମ ସମନ୍ୱୟ ରକ୍ଷା କରାଯିବ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି। ଦଳୀୟ ସଂଗଠନ ଦାୟିତ୍ୱ ,ନିଗମ ବୋର୍ଡ଼ ଗୁଡ଼ିକରେ ନେତାଙ୍କୁ ଥଇଥାନ କରି ସବୁ ବର୍ଗକୁ ଖୁସ କରିବା ପାଇଁ ହୁଏତ ବିଳମ୍ବ ହେଉଛି।
ବିଜେପିର ଦ୍ୱିତୀୟ କ୍ଷମତା କେନ୍ଦ୍ର ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମଧ୍ୟ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ରାଲି କରି ଶୋଭାଯାତ୍ରାରେ ବୁଲି ସମ୍ବର୍ଦ୍ଧିତ ହେବା ଏକ ପ୍ରତିଯୋଗିତା ଭଳି ଅନୁଭବ ହେଉଛି । ସବୁଠୁ ବଡ଼ କଥା ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ମୋହନ ଚରଣ ମାଝୀ ଅସହାୟ ଥିବା ଭଳି ମନେ ହେଉଛନ୍ତି ଏକଥା ଅଭିଯୋଗ ଆଣୁଛନ୍ତି ବିରୋଧୀ। ବିରୋଧୀଙ୍କ ଅଭିଯୋଗ ହେଉଛି ପ୍ରଥମ ଦିନରୁ ଲୋକଙ୍କ ସରକାର ଲୋକଙ୍କ ମୁଖ୍ୟମନ୍ତ୍ରୀ କହି ବୁଲୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଢ଼ ବର୍ଷ ବିତିଗଲା ପରେ ମଧ୍ୟ ତାଙ୍କ ଉଦ୍ୟମ କେତେଦୂର ସଫଳ ହୋଇଛି ଲୋକେ କେତେ ପ୍ରଶଂସା କରୁଛନ୍ତି ସେ ତ ଭିନ୍ନ କଥା କିନ୍ତୁ ଏହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିପାରି ନାହିଁ।
ତା ଛଡା ସବୁଠୁ ବଡ଼ କଥା ହେଉଛି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନହୋଇପାରିବା ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ତେଣୁ ମୋଟାମୋଟି ଭାବେ ସରକାର ଏବଂ ଦଳୀୟ ସଂଗଠନକୁ ତ୍ୱରାନ୍ୱିତ କରିବାରେ ବିଳମ୍ବ ଦଳୀୟ ଅନ୍ତଃ କନ୍ଦଳର ସଂକେତ ମିଳୁଛି। ନୂଆବର୍ଷରେ ଦଳୀୟ ଅନ୍ତଃକନ୍ଦଳ ଭୁଳିବା ପାଇଁ ଦଳୀୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ଭରପୁର ଉଦ୍ୟମ କରିବେ ବୋଲି ଆଶା କରାଯାଉଛି, ଏହା ପ୍ରତିଫଳିତ ମଧ୍ୟ ହେଉଛି।
ରାଜନୈତିକ ବିଶେଷଜ୍ଞ ରବି ଦାଶ କହିଛନ୍ତି," ବିଜେପିର ଏକ ଆଡଭାଣ୍ଟେଜ ହେଉଛି ତାହା ଏକ ଜାତୀୟ ଦଳ, ଯାହାବି କନ୍ଦଳ ହେଲେ ଜାତୀୟ ସ୍ତରରେ ତାହା ସମାଧାନ ହେବ । ସେ ସମାଧାନ ନହେଲା ପର୍ଯ୍ୟନ୍ତ ସରକାରଙ୍କୁ କ୍ରିୟାଶିଳତା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ତାହା ସମୟ ଅନୁସାରେ ହୋଇପାରୁନି । କାହିଁକିନା ରାଜନୈତିକ ଦୃଷ୍ଟିଭଙ୍ଗିର କନ୍ଦଳରୁ ମୁକ୍ତି ପାଇପାରୁନି । ମନ୍ତ୍ରୀମଣ୍ଡଳ ହୋଇପାରୁନି । "
ଦଳୀୟ କନ୍ଦଳରେ ପଛରେ ପଡ଼ିନାହାନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ କଂଗ୍ରେସ। ବିଜେଡ଼ିର ଉପରକୁ ପଲା ଭାରି ବୋଲି ସମସ୍ତେ କହି ବୁଲୁଛନ୍ତି କିନ୍ତୁ ବାସ୍ତବରେ ଦଳ ଭିତରେ ଅନ୍ତଃକନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ନେତୃତ୍ୱ ଏବଂ ଉତ୍ତରାଧିକାରୀ ପାଇଁ ବିଜେଡି ଦଳ ଏବେ ହରଡ଼ ଘଣାରେ। ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାର ଯୋଜନା ଏବଂ ଭି.କେ. ପାଣ୍ଡିଆନଙ୍କ ଭୂମିକା ବିଷୟରେ ପ୍ରଶ୍ନ ଉଠୁଛି ଯାହା ଦଳ ଭିତରେ ଅସନ୍ତୋଷ ମୁଣ୍ଡ ଟେକିଛି।
ବିଜେଡିର ସ୍ଥିତି:
ବିଜେପି ସହିତ ବିଜେଡିର ଅସ୍ପଷ୍ଟ ସମ୍ପର୍କ ଏବଂ ଧର୍ମନିରପେକ୍ଷ ମୂଲ୍ୟବୋଧ ଉପରେ ଆପୋଷ ବୁଝାମଣା ମଧ୍ୟ ବିଜେଡ଼ିକୁ ସଙ୍କଟରେ ଛିଡା କରିଛି । ଦ୍ୱିତୀୟ ପର୍ଯ୍ୟାୟ ନେତୃତ୍ୱ ଏବଂ ବିଜେଡି ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ଏବେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଦଳର ପ୍ରତିଷ୍ଠା ଦିବସରେ ବିଜେଡି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ନବୀନଙ୍କ ଦୃଢୋକ୍ତି ହାସ୍ୟାସ୍ପଦ ବୋଲି ମନେହୁଏ, କାରଣ ଦଳର ଦ୍ଵିତୀୟ ପିଢ଼ି 27ବର୍ଷରେ ସୃଷ୍ଟି କରିବାକୁ ଅକ୍ଷମ ଥିବା ବେଳେ ଦଳର ମୁଖିଆ ଦଳ ଆହୁରି ଶହେ ବର୍ଷ ଶାସନ କରିବ କହିବା ହଜମ ହେଉନାହିଁ। ନବୀନ ବିଜେଡିର କ୍ଷମତା କେନ୍ଦ୍ର ଅର୍ଥାତ ଦଳର ସମସ୍ତ ନିଷ୍ପତ୍ତି ସେ ନିଅନ୍ତି । ବିଶେଷକରି ଭାରତୀୟ ଜନତା ପାର୍ଟି ସହିତ ଭିତିରି ସମ୍ପର୍କ ଏବଂ ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ଦଳରେ ଭିତରେ ଭିନ୍ନମତ ପାର୍ଥକ୍ୟ ଦେଖାଦେଇଛି। ପାଣ୍ଡିଆନଙ୍କ ଭୂମିକା ଏବଂ ବିଜେପି ପ୍ରତି ବିଜେଡିର ନରମ ମନୋଭାବକୁ ନେଇ ଚିନ୍ତା ପ୍ରକାଶ କରି ଅନେକ ବରିଷ୍ଠ ନେତା ଦଳ ଛାଡୁଛନ୍ତି। ପାଣ୍ଡିଆନଙ୍କ ହାକିମାତିକୁ ବରିଷ୍ଠ ନେତାମାନେ ଗ୍ରହଣ କରିପାରୁ ନାହାଁନ୍ତି । ଯାହା ଫଳରେ ଦଳ ଭିତରେ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି, ଏମିତିକି ଦଳ ଭାଙ୍ଗିଯିବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ତେବେ ସମସ୍ତ ଅସନ୍ତୋଷକୁ ଦୂର କରି 2026 ରେ ପ୍ରଶମିତ କରିବାକୁ ଉଦ୍ୟମ କରି ସରକାର ବିରୋଧରେ ଲଢ଼ିବ ଦଳ।
ରାଜନୈତିକ ବିଶେଷଜ୍ଞ ରବି ଦାଶ କହିଛନ୍ତି," 2026ରେ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ରହିଛି ବିଜେଡି ପାଇଁ, ନବୀନଙ୍କ ନେତୃତ୍ବ ଉପରେ ନିର୍ଭର କରି ଦଳ ଆଉ କେତେ ଦିନ ଚାଲିବ ବୋଲି ପ୍ରଶ୍ନ । ଦ୍ବିତୀୟ ଶ୍ରେଣୀର ନେତା ଦଳ ମଧ୍ୟରେ ସୃଷ୍ଟି କରାଯାଇନାହିଁ । ଗତ ନିର୍ବାଚନରେ ପାଣ୍ଡିଆନଙ୍କୁ ପ୍ରମୁଖ ଭୂମିକାକୁ ଆଣିବା ଫଳରେ ଯେଉଁ କାର୍ଯ୍ୟ କରାଗଲା ତାହା ଦଳର ବିପର୍ଯ୍ୟୟର କାରଣ ହୋଇଗଲା, ବିରୋଧୀ ଦଳ ଭୂମିକାରେ ଥାଇ ମଧ୍ୟ ସେମିତି କିଛି କରିପାରିନାହାନ୍ତି, ଯାହା କମିଟି କରିଛନ୍ତି ତାହାର କିଛି ମାନେ ରହୁନାହିଁ । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠି ନେତୃତ୍ବର ଆବଶ୍ୟକତା ରହିଛି । "
କଂଗ୍ରେସର ସ୍ଥିତି:
କଂଗ୍ରେସ ଦଳ ମଧ୍ୟ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛି, ରାଜ୍ୟ ନେତୃତ୍ୱ ବିରୁଦ୍ଧରେ ଅସନ୍ତୋଷ ଏବଂ ସାଂଗଠନିକ ପୁନର୍ଗଠନ ତ୍ୱରାନ୍ୱିତ ବିଳମ୍ବ ମଧ୍ୟ ଅନ୍ୟତମ କାରଣ। ନେତୃତ୍ୱ ବିରୋଧରେ ମୁଁହ ଖୋଲି ଦଳରୁ ବିଦା ହୋଇଥିବା ମୋକିମଙ୍କ ଭଳି ଅନେକ ନେତା ଦଳୀୟ ନେତୃତ୍ୱ ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କଂଗ୍ରେସରେ ଗୋଷ୍ଠୀବିବାଦ କିଛି ନୂଆ କଥା ନୁହେଁ। ଯେତେ ପ୍ୟାଚ ପକାଇବାକୁ ଚେଷ୍ଟା କଲେ ବି ତାହା ସମ୍ଭବ ହେଉନାହିଁ। ଦଳର ସଭାପତି ଭକ୍ତ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲିବା ପାଇଁ ଉଦ୍ୟମ କଲେ ମଧ୍ୟ ସମ୍ଭବ ହେଉନାହିଁ। ତେବେ ଦଳ ଭିତରେ କୌଣସି ଅନ୍ତର୍ଦ୍ୱନ୍ଦ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା।
ସନ୍ତୋଷ ସିଂହ ସାଲୁଜା କହିଛନ୍ତି," କଂଗ୍ରେସ ଦଳ ସବୁଠାରୁ ପୁରୁଣା ଦଳ । ଦଳ ଭିତରେ ଅନ୍ତଃକନ୍ଦଳ ନାହିଁ । ଏହାର କାରଣ ଆମର ହାଇକମାଣ୍ଡ ଯାହା କୁହନ୍ତି ସମସ୍ତେ ତାହାକୁ ମାନନ୍ତି ଓ ସମ୍ମାନ ଦିଅନ୍ତି । ଯେତେବି ସବାସମିତି ହେଉଛି ସମସ୍ତ ବରିଷ୍ଠ ନେତା ସାମିଲ ହେଉଛନ୍ତି ଓ କଂଗ୍ରେସ ପକ୍ଷରେ ମତାମତ ରଖୁଛନ୍ତି । ବିଜେପିରେ ମନ୍ତ୍ରୀମଣ୍ଡଳ ଓ ନିଗମକୁ ନେଇ ତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଓ ଲବି ରହିଛି, ଯାହା ଫଳରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ସେମାନେ ମନ୍ତ୍ରୀମଣ୍ଡଳ ବିସ୍ତାର କରିପାରୁନାହାନ୍ତି । ଯେଉଁବି ପୋଷ୍ଟ ଖାଲି ଅଛି ତାହାକୁ ପୂରଣ କରିପାରୁନାହାନ୍ତି । ବିଜେଡି ସରକାର ଯିବା ପରେ ଦଳରେ ଗ୍ରୁପିଜିମ ରହିଛି । ଯାହା ଫଳରେ କେହି କାହାକଥା ମାନୁ ନାହାନ୍ତି । ନୂଆପଡାରେ ଦେଖିବା ମିଳିଲା ତାଙ୍କ ଦଳର ପ୍ରାର୍ଥୀ ବିଜେପିକୁ ଚାଲିଗଲେ । ଜିଲ୍ଲାରେ ପ୍ରାର୍ଥୀ ଥାଇ ମଧ୍ୟ ବାହର ଜିଲ୍ଲାରୁ ପ୍ରାର୍ଥୀ ଦେଲେ । କେବେ ବି ଦଳରେ ଏମିତି ହୋଇନଥିଲା । ଯଦି ବିଜେପି ବିଜେଡିକୁ ଦେଖିବେ ତେବେ ଦଳର ଅନ୍ତଃକନ୍ଦଳ ରହିଛି ଓ ବିଶୃଙ୍ଖଳିତ ହୋଇସାରିଛନ୍ତି । କିନ୍ତୁ କଂଗ୍ରେସ ଶୃଙ୍ଖଳା ମଧ୍ୟରେ ରହିଛି । ଦଳ ଗୁଡିକ ପାଇଁ ଏହା ଘାତକ । "
ରାଜନୈତିକ ବିଶେଷଜ୍ଞ ରବି ଦାଶ କହିଛନ୍ତି," କଂଗ୍ରେସର କେବଳ ଆଭ୍ୟନ୍ତରୀଣ କନ୍ଦଳ ନୁହେଁ, ତାହା ପଦାକୁ ଆସୁଛି । ମୋକିମ ଦଳରୁ ବହିଷ୍କୃତ ହେଲେ, ତାଙ୍କ ଝିଅ ବିଧାୟିକା ଅଛନ୍ତି, ଆଗକୁ ପରିସ୍ଥିତି କେଉଁ ଦିଗକୁ ଗତି କରିବ ତାହା କାହାକୁବି ଜଣାନାହିଁ । କଂଗ୍ରେସ ଦଳରେ କୌଣସି ଶୃଙ୍ଖଳା ନାହିଁ । କଂଗ୍ରେସକୁ ଲୋକେ ଭରସା କରିପାରୁନାହାନ୍ତି, ଯାହା ଫଳରେ ବାରମ୍ବାର କୁହାଯାଉଛି ଓଡ଼ିଶାରେ ରାଜନୈତିକ ଶୂନ୍ୟତା ସୃଷ୍ଟି ହେଉଛି । ବିଜେଡି ଭାଙ୍ଗିଯାଉଛି, କଂଗ୍ରେସ ଉପରେ ଭରସା ଆସୁନି ତାଙ୍କ କନ୍ଦଳ ଯୋଗୁଁ । ତେଣୁ ଏପରି ଶୂନ୍ୟତା ଯୋଗୁଁ 26 ମସିହାରେ ରାଜ୍ୟରେ ନୂଆ ରାଜନୈତିକ ଶକ୍ତିର ସମିକରଣ ହେବ, ଯେଉଁଟାକି ଆଞ୍ଚଳିକ ଭିତିରେ ।"
ବର୍ଷକ ପରେ ପଞ୍ଚାୟତ ଏବଂ ପୌର ନିର୍ବାଚନ। ତେଣୁ ତୃଣମୂଳ ସ୍ତରରୁ ଦଳକୁ ସଙ୍ଗଠିତ କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାଥମିକତା ଏବଂ ଆବଶ୍ୟକତା ମଧ୍ୟ। ତାକୁ କିଭଳି ଠିକ ମାର୍ଗରେ ପରିଚାଳିତ କରାଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
ପ୍ରତିଷ୍ଠା ଦିବସରେ ନବୀନଙ୍କ ପ୍ରତିଶ୍ରୁତି, '100 ବର୍ଷ ପର୍ଯ୍ୟନ୍ତ ଓଡି଼ଶାବାସୀଙ୍କ ସ୍ୱର ହୋଇ ରହିବ BJD'
ଭଦ୍ରକ ବିଜେଡିରେ ହଇଚଇ; ପଦ୍ମ ଧରିପାରନ୍ତି ମଣ୍ଡଳ ଦମ୍ପତି, ଚର୍ଚ୍ଚାକୁ ଖଣ୍ଡନ କଲେ ମୁକ୍ତିକାନ୍ତ
ଇଟିଭି ଭାରତ, ଭୁବନେଶ୍ବର

