କ୍ୟାମ୍ପସରେ ପୋଷ୍ଟର ୱାର୍; କାନ୍ଥ, ପାଚେରୀରେ ପ୍ରାର୍ଥୀଙ୍କ ମୁହଁ, ପ୍ରଚାର ଜୋରଦାର
ନାମାଙ୍କନ ପ୍ରକ୍ରିୟା ସରିବା ପରେ ଜୋରଦାର ହୋଇଛି ପ୍ରଚାର । ଯୁଆଡେ ଚାହିଁବ ସିଆଡେ ପୋଷ୍ଟର । ବିଭିନ୍ନ ପୋଷ୍ଟରରେ ଚମକୁଛି କ୍ୟାମ୍ପସ ରିପୋର୍ଟ-ବିକାଶ କୁମାର ଦାସ


Published : October 11, 2026 at 4:40 PM IST
|Updated : October 11, 2026 at 5:02 PM IST
STUDENTS' UNION ELECTION: ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ରବିବାର ହେଲେ ମଧ୍ୟ ପାର୍ଥୀମାନେ ପ୍ରଚାର ପ୍ରସାର କରୁଛନ୍ତି । ଦିନ ଗଡ଼ିବା ସହ ବଢ଼ୁଛି ନିର୍ବାଚନୀ ଉଷ୍ମତା । ଆଉ ଏହି ଉଷ୍ମତା ଏବେ ଦେଖିବାକୁ ମିଳୁଛି କ୍ୟାମ୍ପସର କାନ୍ଥରେ । କେଉଁଠି ପ୍ରାର୍ଥୀଙ୍କ ବଡ଼ ବଡ଼ ପୋଷ୍ଟର ତ କେଉଁଠି ସମର୍ଥକଙ୍କ ନାରା । ପ୍ରବେଶ ପଥଠାରୁ କ୍ୟାଣ୍ଟିନ୍, ନୋଟିସ୍ ବୋର୍ଡ ନିକଟରୁ ଆରମ୍ଭ କରି କ୍ୟାମ୍ପସର ପ୍ରମୁଖ ସ୍ଥାନ..ସବୁଠି ଏବେ ଛାଇଗଲାଣି ନିର୍ବାଚନୀ ପୋଷ୍ଟର।
ଭୋଟରମାନଙ୍କ ନଜରକୁ ନିଜ ଆଡ଼କୁ ଆକୃଷ୍ଠ କରିବା ପାଇଁ ପ୍ରାର୍ଥୀମାନେ ଆପଣାଇଛନ୍ତି ଭିନ୍ନ ଭିନ୍ନ ରଣନୀତି । କିଏ ନିଜର ଫଟୋ ସହ ପ୍ରଚାର କରୁଛନ୍ତି, ତ ଆଉ କିଏ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନିଜ ଏଜେଣ୍ଡାକୁ ପୋଷ୍ଟରରେ ସ୍ଥାନ ଦେଇଛନ୍ତି । କେତେକ ସ୍ଥାନରେ ପୋଷ୍ଟର ଉପରେ ଆଉ ଗୋଟିଏ ପୋଷ୍ଟର ଲଗାଇବାକୁ ନେଇ ଦେଖିବାକୁ ମିଳୁଛି ପ୍ରତିଯୋଗିତା ।

ତେବେ ପୋଷ୍ଟର କେବଳ ପ୍ରଚାରର ମାଧ୍ୟମ ନା ଭୋଟରଙ୍କୁ ପ୍ରଭାବିତ କରିବାର ରଣନୀତି? ନିଜର ପ୍ରଚାର ପାଇଁ ପ୍ରାର୍ଥୀମାନେ କାହିଁକି ଦେଉଛନ୍ତି ଏତେ ଗୁରୁତ୍ୱ? ଆଉ କ୍ୟାମ୍ପସରେ ପୋଷ୍ଟର ଲଗାଇବାକୁ ନେଇ ପ୍ରାର୍ଥୀମାନଙ୍କ ମତ କ’ଣ?

ପୋଷ୍ଟର ୱାର୍କୁ ନେଇ ବିସିଜେଡି ପ୍ରାର୍ଥୀମାନେ କହିଛନ୍ତି ଯେ, ଗାନ୍ଧିଜୀଙ୍କ ଆଦର୍ଶରେ ଆମେ ଚାଲିବାକୁ ଚାହୁଁଛୁ । ଯେତେବେଳେ ଦେଶ ସ୍ୱାଧୀନତା ପାଇଁ ଲଢ଼ୁଥିଲା, ସେତେବେଳେ ଗାନ୍ଧିଜୀ ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇ ସାରା ଦେଶକୁ ଏକାଠି କରିଥିଲେ । ଆମେ ମଧ୍ୟ ସେହି ଆଦର୍ଶକୁ ନେଇ ନିର୍ବାଚନ ଲଢ଼ିବାକୁ ଚାହୁଁଛୁ । ହିଂସାରେ ନୁହେଁ, ଶାନ୍ତି, ସହଯୋଗ ଓ ଛାତ୍ରଙ୍କ ସମସ୍ୟାକୁ ମୁଦ୍ଦା କରି ଆମେ ନିର୍ବାଚନ ଲଢ଼ିବୁ । ଆମର କନସେପ୍ଟ ପୂରା କ୍ଲିୟର-କ୍ୟାମ୍ପସରେ ଶାନ୍ତି ରହିବ ଏବଂ ଛାତ୍ରଙ୍କ ସ୍ୱାର୍ଥ ହିଁ ଆମର ପ୍ରାଥମିକତା ।

ଏପଟେ ଏଭିବିପିର ପାର୍ଥୀ କହିଛନ୍ତି ଯେ, ଆମକୁ ନିର୍ବଚନରେ ଖର୍ଚ୍ଚ କରିବା ପାଇଁ ଏକ ଲିମିଟ ରହିଛି । ସେହି ଲିମିଟ ଆନୁସାରେ ଆମେ ପୋଷ୍ଟର କରିଛୁ। ତେଣୁ କଲେଜ ବାହାରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରା ଚାଲିଛି । ପ୍ରତ୍ୟେକଟି ପିଲାଙ୍କ ନିକଟରେ ପହଂଚିପାରିବ । ଆମେ ପିଲାଙ୍କ ପାଇଁ ସବୁବେଳେ ରହିଛୁ, ଆଗକୁ ମଧ୍ୟ ରହିବୁ । ଯେତେବେଳେ ନିର୍ବାଚନ ହେଉନଥିଲା ସେହି ସମୟରେ ମଧ୍ୟ ପ୍ରତ୍ୟେକଟି ପିଲାଙ୍କ ସମସ୍ୟା ବୁଝୁଥିଲୁ ବୋଲି କହିଛନ୍ତି ଏଭିବିପି ପାର୍ଥୀ ।
ଏନଏସୟୁଆଇ ପାର୍ଥୀ କହିଛନ୍ତି ଯେ, ଆମେ ଶାନ୍ତିଶୃଙ୍ଖଳାର ସହ ନିର୍ବଚନ ଲଢ଼ିବୁ । ଆମର ପୋଷ୍ଟର ବିଭିନ୍ନ କଲେଜରେ ଲଗାଯାଇଛି । ବିଭିନ୍ନ କଲେଜର ପ୍ରମୁଖ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଯାଇଛି । ଯାହା ପିଲାଙ୍କ ନିକଟରେ ପହଂଚିବ । ପ୍ରତ୍ୟେକଟି ପିଲାଙ୍କ ସମସ୍ୟା ସମାଧାନ କରାଯିବ ।

ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ଦେଖିଲେ, ମୋଟ ୧୩ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ସାମିଲ ହୋଇଥିବାବେଳେ ୪୨୯ ପ୍ରାଥୀ ନାମାଙ୍କନ ଦାଖଲ କରିଛନ୍ତି । ସେଥିରୁ ୪୯ଙ୍କ ନାମାଙ୍କନ ବାତିଲ ହୋଇଥିବାବେଳେ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ୩୮୦ ରହିଛି । ତେବେ ୩୪ ଜଣଙ୍କ ପାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି । ଚୂଡ଼ାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା ରହିଛି ୨୮୭ ।
ତେବେ ରାଜ୍ୟରେ ମୋଟ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟ ଗୁଡିକରେ ନିର୍ବାଚନ ଲଢୁଛନ୍ତି ପାର୍ଥୀ । ତେବେ ଏହି ତାଲିକାରେ କଲେଜ ଓ ବିଶ୍ୱବିଦ୍ୟାଳୟ ମିଶାଇ ୬,୬୪୯ ଜଣ ପ୍ରାର୍ଥୀ ରହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଗିଫ୍ଟରେ ଭୋଟରଙ୍କ ମୁଡ୍: ଛାତ୍ରଙ୍କ ପାଇଁ ଭୋଜିଭାତ, ଛାତ୍ରୀଙ୍କ ପାଇଁ ଜୁଏଲାରି ଗିଫ୍ଟ
ଏହା ମଧ୍ୟ ପଢନ୍ତୁ STUDENTS' UNION ELECTION: ରାଜ୍ୟବ୍ୟାପୀ ୧୨ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ନାମାଙ୍କନ ପ୍ରକ୍ରିୟା ଶେଷ

